ଇସକଫ ପକ୍ଷରୁ ‘ଯୁଦ୍ଧ ନୁହେଁ, ଶାନ୍ତି ଚାହୁଁ ‘ ଆଲୋଚନା ଚକ୍ର
ଛତ୍ରପୁର (ଓ୍ବାଇଏନଏସ): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ )ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ‘ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ବିନାଶ ନୁହେଁ ପ୍ରଗତି ଚାହୁଁ ‘ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଜିଲ୍ଲା ସଭାପତି ହର ପ୍ରସାଦ ରଥ ସଭାପତିତ୍ୱ କରିଥିଲେ।ଏଥିରେ ଜାତୀୟ ଉପସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ଏନଏଫଆଇଡବ୍ଲୁ ନେତ୍ରୀ ଏନ. ଭାନୁମତି ରେଡ୍ଡୀ, ଜିଲ୍ଲା ସମ୍ପାଦକ କୈଳାଶ ପଲେଇ, ଯୁବ ନେତା ନୀଳକଣ୍ଠ ଦାଶ ଓ ଏସ. କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ଶାନ୍ତି ଓ ଯୁଦ୍ଧର ଭୟାବହତା ସମ୍ପର୍କରେ ଆଲୋକପାତ କରିବା ସହ ଟ୍ରମ୍ପଙ୍କ ଇସାରାରେ ପରିଚାଳିତ ହେଉଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ । ପରେ ଇସକଫ ପକ୍ଷରୁ ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯିବା ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଔଧତ୍ୟ ଓ ଇସ୍ରାଏଲ ପକ୍ଷରୁ ନିରୀହ ଜନତାଙ୍କ ଉପରେ ମିସାଇଲ ଆକ୍ରମଣକୁ ନିନ୍ଦା କରାଯାଇଥିଲା। ସେହିପରି ମଧ୍ୟପ୍ରାଚ୍ୟ ଦେଶ ମାନଙ୍କରେ ଫସି ରହିଥିବା ଭାରତୀୟ ମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ଦାବି କରାଯିବା ସହ ଭେନେଜୁଆଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକା ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ଦାବି କରାଯାଇଥିଲା। ଏଥିରେ ଏସ ତ୍ରିନାଥ ରେଡ୍ଡୀ, ଏନ.ସୁକାନ୍ତ ଆଚାରୀ, ରାଜେନ୍ଦ୍ର ନାହାକ, ବାସୁଦେବ ସାହୁ, ଅନୁରାଗ ମିଶ୍ର ପ୍ରମୁଖ ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ।


