ଈଶାଣୀ ବୈଶାଖୀ ମହୋତ୍ସବ ୨ୟ ସନ୍ଧ୍ୟା
ବାଲେଶ୍ୱର, (ଓ୍ବାଇଏନଏସ): ଈଶାଣୀ ବୈଶାଖୀ ମହୋତ୍ସବ ୨ୟ ସନ୍ଧ୍ୟାରେ ଅନୁଷ୍ଠାନର ଦିବଂଗତ ଉପଦେଷ୍ଟା କର୍ମୀ ସ୍ୱର୍ଗୀୟ ଗୌରୀ କୁମାର ରାଉତ ଏବଂ ସ୍ୱର୍ଗୀୟ ସତ୍ୟନାଥ ମାଝୀଙ୍କୁ ଉତ୍ସର୍ଗୀକୃତ କରାଯାଇଥିବା ମଞ୍ଚରେ ବାଲେଶ୍ୱର ଜିଲ୍ଲାର ଉପଜିଲ୍ଲାପାଳ ଶିବ ମାଲବ୍ୟ ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହି ଉଦ୍ଘାଟିତ କରିଥିଲେ। ଭାରତର ପ୍ରତି ପୁରପଲ୍ଲୀ ଗାଁମାନଙ୍କର ଇତିହାସକୁ ସୁରକ୍ଷିତ କରି ଏହି ଐତିହ୍ୟମୟ ଦେଶକୁ ଅଧିକରୁ ଅଧିକ ଉଜ୍ଜ୍ୱଳ କରାଇବା ପାଇଁ ପ୍ରତିଟି ଜନଗଣଙ୍କୁ ସେ ଆହ୍ୱାନ କରିଥିଲେ। ଆଜିର ଛୋଟଛୋଟ ପିଲା କାଲିର ଭବିଷ୍ୟତ। ପିଲାମାନଙ୍କ ଯତ୍ନ ନେବା ସଙ୍ଗେସଙ୍ଗେ ତାଙ୍କର ବାପା ମା’ମାନଙ୍କର ପ୍ରମୁଖ କର୍ତ୍ତବ୍ୟକୁ ଚେତାଇଦେବାବେଳେ ଅତିଥି-ବକ୍ତା ଭାବେ ବାଲେଶ୍ୱର ଓକିଲ ସଂଘର ସଭାପତି ମନୋଜ ନାୟକ ଏବଂ ପ୍ରମୁଖ ବକ୍ତା ଭାବେ ବିଶିଷ୍ଟ ସାରସ୍ୱତ ଗବେଷକ ଡ. ରାଧାରଞ୍ଜନ ପଟ୍ଟନାୟକ ଈଶାଣୀ ବୈଶାଖୀ ମହୋତ୍ସବର ସ୍ତୁତି ଗାନ କରିବା ସାଙ୍ଗକୁ ସମସ୍ତେ ଏକ ହୋଇ ଅଞ୍ଚଳର ପ୍ରଗତି ଦିଗରେ ଲକ୍ଷ୍ୟ ରଖିବାପାଇଁ ଉତ୍ସାହିତ କରିଥିଲେ। ଏହି ସନ୍ଧ୍ୟାରେ ବୈଶାଖୀ ମହୋତ୍ସବର କାର୍ଯ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ ରମେଶ ବେହେରା ଅତିଥିମାନଙ୍କୁ ସ୍ୱାଗତ କରିଥିବା ସଂଗେସଂଗେ କମିଟିର ଉପସଭାପତି ସୁରେଶ ମାଝୀଙ୍କ ଦ୍ୱାରା ସଭା ପରିଚାଳନା କରାଯାଇଥିଲା। ଛୋଟଛୋଟ ପିଲାମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ସଂଗୀତ ଓ ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠାନର ସଭାପତି ଆଇନଜୀବୀ ଅଶୋକ କୁମାର ସେନାପତି, ସାଧାରଣ ସଂପାଦକ ଭାଗବତ ସାହୁ, କାର୍ଯ୍ୟକାରୀ ସଭାପତି ଶ୍ରୀଦେବ, ଉପସଭାପତି ନରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ସନ୍ଧ୍ୟା ପରିବେଶଟିକୁ ଶୃଙ୍ଖଳିତ କରିବାରେ ସହଯୋଗ କରିଥିଲେ। ଏହାପରେ ସମଗ୍ର ବୈଶାଖୀ ମିନି ଷ୍ଟେଡିୟମ୍ ଭିତରର ସନ୍ଧ୍ୟା କୁନିକୁନି ପିଲାମାନଙ୍କର ନୃତ୍ୟ ପରିବେଷଣ ସାଂଗକୁ ଅର୍କେଷ୍ଟ୍ରା ସଂଗୀତରେ ହଜାର ହଜାର ଲୋକଙ୍କୁ ଆକୃଷ୍ଟ କରିଥିଲା।


