ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ। ପୁଣି ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ପୁରୀ ଗଜପତି

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ ): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି । ଅଦିନିଆ ରଥଯାତ୍ରାଙ୍କୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀମନ୍ଦିର ସେବାୟତ ବିରୋଧ କରୁଛନ୍ତି । ତେବେ ଏହାକୁ ବନ୍ଦ କରିବାକୁ ଗଜପତି ମହାରାଜା ଇସ୍କନକୁ ଚିଠି ଲେଖିଥିଲେ । ତେବେ ତିଥି ଅନୁଯାୟୀ ଭାରତ ବାହାରେ ସ୍ନାନ ଯାତ୍ରା ପାଳନ ପାଇଁ ଆନ୍ତର୍ଜାତିକ ଇସ୍କନ ସଂସ୍ଥା ସହମତି ପ୍ରକାଶ କରିଥିବା ବେଳେ ରଥଯାତ୍ରା କିନ୍ତୁ ତିଥି ଅନୁଯାୟୀ ପାଳନ ପାଇଁ ଅସହମତି ପ୍ରକାଶ କରିଛି । ତେବେ ଗଜପତି ମହାରାଜା ଏହି ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇବା ସହ ପୁଣି ଚିଠି ଲେଖିଛନ୍ତି ।ଗଜପତି ଅକ୍ଟୋବର ୧୯ ଓ ୨୫ ରେ ଇସ୍କନ ଜିବିସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ତେବେ ISKCON ଗଭର୍ଣ୍ଣିଂଙ୍ଗ ଅଧ୍ୟକ୍ଷ ତାଙ୍କ ଗତ ୧୯ ତାରିଖ ପତ୍ର ମାଧ୍ୟମରେ ଶ୍ରୀଗଜପତି ମହାରାଜାଙ୍କୁ ଉତ୍ତର ଦେଇଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ISKCON ଭାରତ ଏବଂ ବିଦେଶର ସମସ୍ତ ମନ୍ଦିରରେ ଶାସ୍ତ୍ରୋକ୍ତ ତିଥ୍‌ (ଜ୍ୟେଷ୍ଠ ପୂର୍ଣ୍ଣିମା) ରେ ସ୍ନାନଯାତ୍ରା ପାଳନ କରିବାକୁ ସମ୍ମତ ହୋଇଛନ୍ତି । ହେଲେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କର ଶାସ୍ତ୍ର ଓ ପାରମ୍ପରିକ ନିର୍ଦ୍ଧାରିତ ତଥ୍ୟ ଅନୁଯାୟୀ ଅର୍ଥାତ୍‌ ଆଷାଢ ଶୁକ୍ଳ ଦ୍ଵିତୀୟା ତିଥ୍ୟ ଠାରୁ ଆରମ୍ଭ ହେଉଥ‌ିବା ନଅଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରାର ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇ ପାରୁନାହାନ୍ତି ବୋଲି ଉତ୍ତର ଦେଇଛନ୍ତି ।ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗଜପତି ଚିଠିରେ ରଥଯାତ୍ରା ପାଇଁ ରୀତିନୀତି କ’ଣ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି । କୌଣସି ସ୍ଥାନରେ ମହାପ୍ରଭୁଙ୍କ ରୀତିନୀତି ଭଙ୍ଗ କରିବାକୁ ଦିଆଯିବନାହିଁ । ଇସ୍କନ କ’ଣ ଉତ୍ତର ଦେଉଛନ୍ତି ଅପେକ୍ଷା କରିଛୁ । ନହେଲେ ଆଇନଗତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରମ୍ପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛନ୍ତି । ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି । ଏ ନେଇ ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି । ଏହା ସତ୍ତ୍ବେ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି । ତେବେ ଇସ୍କନର ଏଭଳି ପଦକ୍ଷେପ ନେଇ ଗଜପତି ମହାରାଜା ପୁଣି ଚିଠି ଲେଖିଛନ୍ତି । ସେ ଇସ୍କନ ଗଭର୍ଣ୍ଣିଂ ବଡି କମିସନ (ଜିବିସି) ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି । ଏ ନେଇ ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି l ତେବେ ସ୍କନ୍ଦ ପୂରାଣ ଅନୁଯାୟୀ ରଥଯାତ୍ରା ପାଇଁ ଦିନ ଓ ତିଥି ନିଜେ ମହାପ୍ରଭୁ ହିଁ ନିର୍ଦ୍ଧାରିତ କରିଛନ୍ତି । ଯେଭଳି ଶ୍ରୀକୃଷ୍ଣଙ୍କ ଆଦେଶକୁ ଆବମାନନା କରାଯାଇପାରିବ ନାହିଁ, ସେହିଭଳି ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବଜ୍ଞା କରାଯିବା ଉଚିତ ନୁହେଁ । ସନାତନ ବୈଦିକ ଧର୍ମର ପ୍ରଚାର ପାଇଁ ଗଠିତ ଇସ୍କନ ସନାତନ ଧର୍ମର ନୀତି ନିୟମକୁ ଅନୁପାଳନ କରିବାକୁ ବାଧ୍ୟ । ଦେଶ ଭିତରେ ଓ ବିଦେଶରେ ଇସ୍କନର ଅନ୍ୟ ସବୁ ପରମ୍ପରା ଭଳି ରଥଯାତ୍ରା ମଧ୍ୟ ନିର୍ଦ୍ଧାରିତ ତିଥିରେ ପାଳନ କରାଯିବା ଉଚିତ । କିନ୍ତୁ ବିଦେଶରେ ଅଦିନିଆ ରଥଯାତ୍ରା ଦେଶ ବିଦେଶରେ ରହୁଥିବା ଅଗଣିତ ଶ୍ରୀଜଗନ୍ନାଥ ଭକ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଉଛି । ଇସ୍କନର ଏଭଳି ନୀତି ବିରୋଧୀ କାର୍ଯ୍ୟକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ନାପସନ୍ଦ କରିଛନ୍ତି । ତେଣୁ ଦେଶ ବିଦେଶରେ ରଥଯାତ୍ରା ନିର୍ଦ୍ଧାରିତ ତିଥି କିମ୍ବା ସେହି ନଅ ଦିନ ମଧ୍ୟରେ ପାଳନ କରିବାକୁ ପୁଣି ଥରେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଗଜପତି ଅପିଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ