ଏକମାସ ହେଲାଣି ବସୁଧା ପାନୀୟ ଜଳ ଯୋଗାଣ ବନ୍ଦ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସଂପ୍ରତି ସରକାର ସମସ୍ତ ପରିବାର କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି କହୁଛନ୍ତି। କିନ୍ତୁ ପ୍ରକୃତ ପକ୍ଷରେ ଜନସାଧାରଣ ପିଇବା ପାଣି ହାତ ପାହାନ୍ତା ରେ ପାଉଛନ୍ତି ନା ନାହିଁ ତାହା ପ୍ରଶାସନିକ ଅଧିକାରୀ ମାନେ ଦିନକ ପାଇଁ ମଧ୍ୟ ତର୍ଜମା କରୁ ନଥିବାରୁ ଆଜି ହାତ ପାହାନ୍ତା ରେ ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ କିଛି ନାହିଁ ବୋଲି ଜନସାଧାରଣ ଙ୍କ ତରଫ ରୁ ଅଭିଯୋଗ ହେଉଛି। ଝୁମ୍ପୁରା ବ୍ଲକ ବାରିଆ ପଞ୍ଚାୟତ ର କେନ୍ଦୁଆ ଗ୍ରାମବାସୀରେ ବସବାସ କରୁଥିବା ସମସ୍ତ ପରିବାର କୁ ପିଇବା ପାଣି ଯୋଗାଇ ଦେବା ପାଇଁ ବସୁଧା ଯୋଜନା ରୁ ଗଭୀର ନଳକୂପ ଖନନ କରିବା ସହିତ ଓଭର ହେଡ ପାଣିଟ୍ୟାଙ୍କି ନିର୍ମାଣ କରି ପିଇବା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଏହି ପାନୀୟ ଜଳ ପ୍ରକଳ୍ପ ରୁ ଏହି ଗ୍ରାମର ନୂଆସାହି ବାସିନ୍ଦା ଏକ ମାସରୁ ଉର୍ଦ୍ଧ୍ବ ହେବ ବଞ୍ଚିତ ହୋଇ ଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ତରଫରୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରୁ ନଥିବା ସମ୍ପର୍କରେ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଯେଉଁ ଦିନ ଠାରୁ ସାହିକୁ ପିଇବା ପାଣି ଯୋଗାଣ ବନ୍ଦ ହେଲା ତା ପରଦିନ ସାହି ବାସିନ୍ଦା ବ୍ଲକରେ ରହିଥିବା ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ, ପଞ୍ଚାୟତ କର୍ତ୍ତୃପକ୍ଷ ତା ସହିତ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ତରଫରୁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର କୁ ଅବଗତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଭାଗ ତରଫରୁ ଏହି ସାହିକୁ ପିଇବା ପାଣି ଯୋଗାଣର ବ୍ୟବସ୍ଥା ହୋଇ ପାରିଲା ନାହିଁ ବୋଲି ସାହି ବାସିନ୍ଦା ବିଭିଷଣ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ,ସନାତନ ଗିରି,ଯାତ୍ରୀ ପ୍ରଧାନ, ନନ୍ଦିନୀ ପ୍ରଧାନ, ଉର୍ବଶୀ ପ୍ରଧାନ, କଳାକାର ପ୍ରଧାନ, ଅନୁସୟା ପ୍ରଧାନ, ପଦ୍ମିନୀ ସେଠି,ମିନୁ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ବସୁଧା ପାନୀୟ ଜଳ ପ୍ରକଳ୍ପ ରୁ ଏହି ସାହିର ୩୦ ରୁ ଉର୍ଦ୍ଧ୍ବ ପରିବାର ପିଇବା ପାଣି ବ୍ୟବହାର କରୁଥିଲେ। ସେହିପରି ଏହି ସାହିକୁ ମେଗା ପାନୀୟ ଜଳ ପ୍ରକଳ୍ପ ରୁ ମଧ୍ୟ ପିଇବା ପାଣି ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ଘରକୁ ଘର ପାଇପ ସଂଯୋଗ ହୋଇଛି ସତ କିନ୍ତୁ ଉକ୍ତ ପାଇପ୍ ରେ ପାଣି ଆସୁନାହିଁ।ଏହି ସାହି ବାସିନ୍ଦା କୁ ପିଇବା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିବା ଦିଗରେ ବ୍ଲକ ପ୍ରଶାସନ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ସାହି ବାସିନ୍ଦା ମାନଙ୍କ ତରଫରୁ ଦାବି ହେଉଛି।


