ମାଗଣାରେ ମଦ ପିଇବା ହେଲା କାଳ : ମଦ ଦେଇ ଯୁବକଙ୍କ ଠାରୁ ଲୁଟିନେଲେ ଟଙ୍କା ଓ ମୋବାଇଲ

ହିଞ୍ଜିଳିକାଟୁ(ଶେଷଦେବ ସାହୁ): ମଦ ପିଇବାକୁ ଦେଲେ, ନିଶାସକ୍ତ ହୋଇ ଯୁବକ ଜଣଙ୍କ ଶୋଇପଡିବା ପରେ ୨ ଜଣ ଯୁବକ, ନିଶାସକ୍ତ ଯୁବକଙ୍କ ଠାରୁ ୮ ହଜାର ଟଙ୍କା, ମୋବାଇଲ ଫୋନ୍ ସମେତ କିଛି ସାମଗ୍ରୀ ଲୁଟି ନେବାରେ ସକ୍ଷମ ହୋଇଛନ୍ତି। ଏଭଳି ଘଟଣା ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଦେଖିବାକୁ ମିଳିଛି। ଲୁଟର ଶୀକାର ପାଲଟିଥିବା ଯୁବକ ଜଣଙ୍କ ହେଲେ ଧରାକୋଟ ଥାନା ଗହଙ୍ଗୁ ପାଟଣା ଗ୍ରାମର ମନୋଜ କୁମାର ନାୟକ। ପ୍ରକାଶ ଯେ, ମନୋଜ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣାର ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ। ଶନିବାର ବିଶାଖାପାଟଣାରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଆସି ଏକ ଘରୋଇ ଯାତ୍ରୀବାହୀ ବସ୍ ଯୋଗେ ଗ୍ରାମକୁ ଫେରୁଥିଲେ। ବସ୍ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପହଞ୍ଚିବା ପରେ ଯୁବକ ଜଣଙ୍କ ପରିସ୍ରା କରିବାକୁ ଗାଡିରୁ ଓହ୍ଲାଇଥିଲେ। ସେହି ସମୟରେ ୨ ଜଣ ଅଚିହ୍ନା ଯୁବକ ଆସି ମନୋଜଙ୍କୁ ସେମାନଙ୍କ ପୁରୁଣା ବନ୍ଧୁ କହିବା ସହ ସାଥି ହୋଇ ମଦ୍ୟପାନ କରିବାକୁ କହିଥିଲେ। ଯୁବକ ଜଣଙ୍କ ମାଗଣାରେ ମଦ୍ୟପାନ କରିବାକୁ ମିଳିବାରୁ ଲୋଭ ସମ୍ବରଣ କରିଥିଲେ। ମନୋଜ ସାଥିରେ ଆଣିଥିବା କିଛି ସାମଗ୍ରୀ ଗାଡିରୁ ଆଣି ୨ ଅଚିହ୍ନା ଯୁବକ ମାନଙ୍କ ସହ ବସ୍ ଟର୍ମିନାଲ ନିକଟରେ ଥିବା ମଦ ଦୋକାନକୁ ମଦ୍ୟପାନ କରିବାକୁ ଯାଇଥିଲେ। ମଦ୍ୟପାନ କରି ମନୋଜ ନିଶାରେ ଚୁର୍ ହେବାପରେ ୨ ଅଚିହ୍ନା ଯୁବକ ମନୋଜଙ୍କ ଠାରୁ ୮ ହଜାର ଟଙ୍କା, ମୋବାଇଲ ଫୋନ ଓ କିଛି ସାମଗ୍ରୀ ଲୁଟ୍ କରି ଫେରାର ହୋଇଯାଇଥିଲେ। ନିଶା ଭାଙ୍ଗିବା ପରେ ଯୁବକଙ୍କ ନିକଟରେ ଥିବା ଟଙ୍କା, ମୋବାଇଲ ଫୋନ ଓ କିଛି ସାମଗ୍ରୀ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଶନିବାର ରାତିରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଶୋଇବା ପରେ ରବିବାର ସକାଳେ କିଛି ଘରୋଇ ବସ୍ ମାଲିକ ଯୁବକଙ୍କ ଠାରୁ ଘଟଣା ଜାଣିବା ପରେ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରି ଗ୍ରାମକୁ ପଠାଇଥିବା ଜଣାପଡିଛି। ବହୁ ସମୟରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଯାତ୍ରୀ ମାନଙ୍କୁ ନିଶା ଦେଇ ଲୁଟିବା ଘଟଣା ଘଟିଥିବା ନଜିର ରହିଛି। ପୈାର ପ୍ରଶାସନ ପକ୍ଷରୁ ବସ୍ ଟର୍ମିନାଲ ପରିସରରେ ସିସିଟିଭି କ୍ୟାମେରା ସଂଯୋଗ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ