୩ମାସ ହେଲା ମିଳୁନି ଭତ୍ତା, ବ୍ଲକ ଧାଇଁ ଧାଇଁ ନିରାଶ ବୃଦ୍ଧ ବୃଦ୍ଧା
ହାଟଡିହି (ବିକାଶ ବିଶ୍ବାଳ): ସରକାର ସାମାଜିକ ସୁରକ୍ଷା ଯୋଜନାରେ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ମାସକୁ ମାସ ଭତ୍ତା ଯୋଗାଇ ଦେଉଥିବା ବେଳେ ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ରେ ୧୦ଜଣ ହିତାଧୀକାରୀ ୩ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇ ନାନା ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ଗେଡମା ପଞ୍ଚାୟତର ଶାନ୍ତିଲତା ନାଥ, ହରେକୃଷ୍ଣ ସେଠୀ, ଜୁଣ ଗେଡି, ପଞ୍ଚାନନ ମହାନ୍ତି, ଉଷାନନ୍ଦ ମହାନ୍ତି, ରୁଦ୍ର ନାରାୟଣ ମହାନ୍ତି, ଆନନ୍ଦ ସେଠୀ, ସୁଶମା ରାଣୀ ଜେନା, ବାସନ୍ତିଲତା ଜେନା, ରବିନ୍ଦ୍ର ସେଠୀ ପ୍ରମୁଖ ପୂର୍ବରୁ ପଞ୍ଚାୟତ ମାଧ୍ୟମରେ ହାତାହାତି ଉତ୍ତା ପାଉଥିବା ବେଳେ ଗତ ମାର୍ଚ୍ଚମାସଠାରୁ ଏକାଉଣ୍ଟ ମାଧ୍ୟମରେ ଦିଆଯିବ ବୋଲି କୁହାଗଲା । କିନ୍ତୁ ଆଜକୁ ୩ମାସ ହେଲା ହିତାଧିକାରୀ ମାନେ ବ୍ୟାଙ୍କକୁ ବାରମ୍ବାର ଯାଇ ନିରାଶ ହେବାପରେ ପଞ୍ଚାୟତକୁ ଯାଇ ପଚାରିବାରୁ ବ୍ଲକ କାର୍ଯ୍ୟାଳୟକୁ ଯାଇ ବୁଝ ବୋଲି କହିଥିଲେ। ହିତାଧିକାରୀ ମାନେ ଆଧାରକାର୍ଡ ଓ ବ୍ୟାଙ୍କ ଜମାବହି ନେଇ ବ୍ଲକର ଭତ୍ତା ବିଭାଗରେ ଦେବା ପରେ ଏଥର ଠିକ ହୋଇଯିବ କହି ଫେରାଇ ଦେଇଥିଲେ। କିନ୍ତୁ ୩ ମାସ ହେଲା ଉତ୍ତାପାଇଁ ଚାହିଁ ବସିଥିବା ବେଳେ ହିତାଧିକାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଉତ୍ତା ମିଳିଲାନି। ବାରମ୍ବାର ବ୍ୟାଙ୍କକୁ ଯାଇ ନିରାଶରେ ଫେରୁଛନ୍ତିି। ଆଜି ପଞ୍ଚାୟତକୁ ଯାଇ ପଚାରିବାରୁ ସେ ବାବଦରେ ଆମେ କହିପାରିବୁନି ବୋଲି ପିଇଓ ସେମାନଙ୍କୁ ଉତ୍ତର ଦେଇଥିଲେ। ଆନନ୍ଦପୁର ଉପଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ହିତାଧିକାରୀ ମାନେ ନିବେଦନ କରିଛନ୍ତି।