ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ
ଆସିକା (ୱାଇଏନ୍ଏସ୍): ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ କଇଁଫୁଲିଆ ଛକ ନିକଟରେ ଥିବା ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ପରିଚାଳକ ବିରୂପାକ୍ଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଟାନର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସିୟ ଓ ପ୍ରଧାନାଚାର୍ଯ୍ୟ ବିପ୍ରଚରଣ ଭଂଜ ପ୍ରମୁଖ ଯୋଗଦେଇ ଭଗବାନ କୃଷ୍ଣଙ୍କ ଜନ୍ମବୃତ୍ତାନ୍ତ ସାଙ୍ଗକୁ ପବିତ୍ର ଜନ୍ମାଷ୍ଟମୀ ପାଳନର ଆଧ୍ୟାତ୍ମିକ ରହସ୍ୟ ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିଥିଲେ । ବିବେକାନନ୍ଦ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳକ ବିରୂପାକ୍ଷ ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଟିତ ଜନ୍ମାଷ୍ଟମୀ ଉତ୍ସବ ପାଳନ କାର୍ଯ୍ୟକ୍ରମ ଅବସରରେ ବହୁ ଶିଶୁଙ୍କୁ ସମ୍ମାନିତ କରାଯାଇଥିଲା । କଇଁଫୁଲିଆ ଛକ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନରତ କୁନିକୁନି ବିଦ୍ୟାର୍ଥୀ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଗୁରୁମା ବିଷ୍ଣୁପ୍ରିୟା ବିଶ୍ୱାଳ, ରେଣୁ ଆଚାରୀ, ଜୟଶ୍ରୀ ଦୋରା, ବିଜ୍ଞାନୀ ଦାଶ, ସ୍ମିତାଂଜଳୀ ଦାଶ, ଶ୍ରାବଣୀ ଦାଶ, ବବିତା ଗୌଡ, ଦୀପିକା ନାହାକ, ରୁନୁଲତା ସ୍ୱାଇଁ, ରୂପଶ୍ରୀ ମହାରଣା, ସ୍ୱପ୍ନା ନାହାକ, ମୂର୍ତ୍ତିମୟୀ ବେହେରା, ସ୍ମୃତି ନାହାକ, ଗୁରୁଜୀ ଜୟରାମ ଦାଶ, ରାଜେନ୍ଦ୍ର ପାଣିଗ୍ରାହୀ, ଦଣ୍ଡପାଣି ସାହୁଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ କାର୍ଯ୍ୟକର୍ତ୍ତା ସକ୍ରିୟ ସହଯୋଗ କରିଥିଲା ବେଳେ ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ, ଗ୍ରାମବାସୀ, ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଆସିକା ଏନ୍ଏସି ଅଧିନସ୍ଥ ଭାଗବତ ଗାଦି ରାଧେ ରାଧେ ମନ୍ଦିର, ଖମ୍ବେଶ୍ୱରୀପାଟଣା ଗୋପୀନାଥ ମନ୍ଦିର, ଲାଲାଶାସନ ଗ୍ରାମ ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ରାଧାକୃଷ୍ଣ ମନ୍ଦିର ପରିସରରେ ଶିଶୁ ଶ୍ରୀକୃଷ୍ଣଙ୍କୁ ଦୋଳାୟନ, ଦୁଗ୍ଧପାନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଥିଲା ବେଳେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ଲାଗି ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ଜନ୍ମାଷ୍ଟମୀ ଅବସରରେ ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ବେଳେ ଶ୍ରଦ୍ଧାଳୁ କୃଷ୍ଣଭକ୍ତମାନେ କୃଷ୍ଣଜନ୍ମ ବୃତ୍ତାନ୍ତ ପାଠ କରି ନିଷ୍ଠାର ସହ ଉପବାସ ରହି ରାତ୍ରରେ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା ।