ଜନସେବକ ଫାଉଣ୍ଡେସନ୍ ପକ୍ଷରୁ ୭୯ତମ ସ୍ବାଧୀନତା ଦିବସ ପାଳନ
ହାଟଡିହି-(ଓ୍ବାଇଏନଏସ) : ଜନସେବକ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ମୁଗୁପୁର ସମାଚାର ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ମୁଗୁପୁର ସମାଚାର କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧିଜୀବି ତଥା ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ଚରଣ ପଣ୍ଡା ଜାତୀୟ ପତାକା ଉଳନ କରି ସ୍ଵାଧୀନତା ଦିବସ ଉପରେ ଆଲୋକପାତ କରିଥିଲେ । ପରେ ସ୍ୱାଧୀନତା ଦିବସର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ଓଝାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାରସ୍ଵତ ସାଧକ ନାରାୟଣ ଚନ୍ଦ୍ର ଲେଙ୍କା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆଲୋଚନାର ବିଷୟ “ ବିକଶିତ ଭାରତ ଓ ଆଜିର ଯୁବପିଢ଼ୀ” ଉପରେ ଉଚ୍ଚକୋଟୀର ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ମଦନ ମୋହନ ପାଢ଼ୀ ବିବରଣୀ ପାଠ କରିଥିଲେ। ଶ୍ରୀ ପାଢ଼ୀ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ଆସି ପରିବର୍ତ୍ତନର ଧାରାରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ । ସହ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ମୁଗୁପୁର ସମାଚାରକୁ ମୁଗୁପୁର ଅଞ୍ଚଳବାସୀ ପଢ଼ିବା ସହିତ ସୁଚିନ୍ତିତ ମତାମତ ଦେବାକୁ ପ୍ରସ୍ତାବ ରଖିଥିଲେ । ଯୁବଗୋଷ୍ଠୀମାନେ ଦେଶ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କଲେ ଆମ ଦେଶ ଭାରତ ଖୁବ୍ ଶୀଘ୍ର ଏକ ବିକଶିତ ଦେଶରେ ପରିଣତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ସଂଯୋଜକ ଜନ୍ମେଜୟ ଓଝା ସ୍ଵାଧୀନତା ଦିବସର ଚିନ୍ତନ ଓ ଆଞ୍ଚଳିକ ଖବରକାଗଜର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜୁଲାଇ ମାସ ୨୭ ତାରିଖରେ ଆୟୋଜିତ ଖବର ଲିଖନ ଓ ପଠନ ପ୍ରତିଯୋଗିତାର ବିଜେତାମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶରତ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଉପଦେଷ୍ଟା ନୃସିଂହ ଚରଣ ପଣ୍ଡା ଓ ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ପଞ୍ଚୁଗୋଛିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଶତପଥୀ, ମକରଧ୍ଵଜ ଓଝାଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପଣ୍ଡା ଉପସ୍ଥିତ ଥିଲେ । ସୁକାନ୍ତ କିଶୋର ରାଉତ, ବିନୋଦ ଦାସ, ବିନୋଦ ବେହେରା, ନରେନ୍ଦ୍ର ନାୟକ, ଲକ୍ଷ୍ମୀଧର ଜେନା, ଅଭିମନ୍ୟୁ ବିଶ୍ଵାଳ, ମାନସ ନାୟକ ଓ ସଞ୍ଜୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଞ୍ଚଳିକ ମୁଖ୍ୟ ହୃଷିକେଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।