ସନ୍ଥେଇଭଞ୍ଜ ପାହାଡରେ ଜନ୍ତାଳ ପର୍ବ : ସାମିଲ ହେଲେ ହଜାର ହଜାର ଲୋକ

କେନ୍ଦୁଝର  (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ଗାଁର ପୂର୍ବ ଭାଗରେ ଅନତୀ ଦୂରରେ ଥିବା ସନ୍ଥେଇଭଞ୍ଜ ଲଣ୍ଡାପାହାଡ ଶିଖରରେ ଜନ୍ତାଳ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଥିବା ପଂଚମୁହାଁ ହୋଇ ରହିଥିବା ଏକ ଦେବୀଶାଳରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ସୁନିଆଁ ପୂର୍ବରୁ ଏହି ଶାଳ ପୀଠରେ ମା’ ବନଦୁର୍ଗାଙ୍କ ପାଖରେ ଗୌଡଦେଶ ଦଣ୍ଡପାଟର ୬୦ ଖଣ୍ଡ ମୌଜାର ଗାଁ ପ୍ରଧାନ ମାନଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଗାଁରୁ ଆସିଥିବା ଭୋଗ ମା’ଙ୍କ ନିକଟରେ ଲାଗି କରାଯାଇଥାଏ । ବର୍ତ୍ତମାନ ୪୩ ଗୋଟି ମୌଜାର ଅଧିବାସୀ ପୂଜା ଅର୍ଚ୍ଚନା କରିବା ନିମନ୍ତେ ମା’ଙ୍କ ନିକଟକୁ ଆସିଥାନ୍ତି । ଗୌଡ ଦେଶ ଦଣ୍ଡପାଟର ଦଳ ବେହେରା ପ୍ରଦୀପ ବେହେରା,ଗଡ ନାୟକ ପ୍ରମୋଦ କୁମାର ମହାପାତ୍ର ଜନ୍ତାଳ ପର୍ବ ଦିନ ବିଭିନ୍ନ ବାଦ୍ୟ ସହିତ ଶୀତଳ ଭୋଗର ପୂଜା ସାମଗ୍ରୀ,ଫୁଲଡାଲା ସହିତ ଦେହୁରୀ ଓକିଲ ନାଏକଙ୍କୁ ମା’ଙ୍କ ପୂଜାସ୍ଥଳୀକୁ ତାଙ୍କ ଗ୍ରାମରୁ ଆମନ୍ତ୍ରଣ କରି ଅଣାଯାଇଥିଲା । ଦେହୁରୀ ମା’ଙ୍କୁ ପବିତ୍ର ଜଳରେ ସ୍ନାନ ପରେ ଘୃତ,ହଳଦୀ,କ୍ଷୀର ଆଦି ପଂଚାମୃତରେ ମର୍ଦ୍ଦନ କଲା ପରେ ନୂତନ ବସ୍ତ୍ର ପିନ୍ଧାଇ ପୂଜାଅର୍ଚ୍ଚନା କାର୍ଯ୍ୟ ଶେଷ କରିଥିଲେ । ଏହି ପୂଜା କଲେ ଅଂଚଳରେ ବସବାସ କରି ରହୁଥିବା ଗାଁ ମାନଙ୍କରେ ପ୍ରଜାମାନଙ୍କର କୌଣସି ରକମର ବସନ୍ତ,ମିଳିମିଳା,ହାଡଫୁଟି,ହଇଜା,ଦୈବିଦୁର୍ବିପାକ ରୋଗ ହୋଇନଥାଏ ବୋଲି ପୂର୍ବ ପୁରୁଷରୁ ବିଶ୍ୱାସ ରହି ଆସିଛି । ଏହା ସହିତ ଚାଷୀମାନଙ୍କର ଧାନ ଗଛରେ କୌଣସି ପ୍ରକାର ରୋଗ ଲାଗି ନଥିବାବେଳେ ଲୋକମାନେ ସୁଖ ଶାନ୍ତିରେ ରୁହନ୍ତି ବୋଲି ବିଶ୍ୱାସ ରହି ଆସିଛି । ତେବେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହା ମହା ଆଡମ୍ବରରେ ଜନ୍ତାଳ ପର୍ବ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ