ଜବଦ ହାଇୱା ଚୋରୀ: ୩ ଗିରଫ, ହାଇୱା ଉଦ୍ଧାର
ହାଟଡିହି (ଓ୍ବାଇଏନଏସ): ଖଣି ବିଭାଗ ଜବଦ କରି ପୋଲିସରେ ଜିମା ଦିଆ ଯାଇଥିବା ହାଇୱା ଗାଡିକୁ ଚୋରୀ କରିନେବା ପରେ ପୋଲିସ ତଦନ୍ତ କରି ଗାଡି କୁ ଉଦ୍ଧାର କରିବା ସହିତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସୂଚନା ଅନୁସାରେ ଗତ ୧୮ ତାରିଖରେ କେନ୍ଦୁଝର ଜୁନିଅର ମାଇନିଂ ଅଫିସର ସୁନିଲ ଦେହୁରୀ ବେଆଇନ ବାଲି ପରିବହନ ଅଭିଯୋଗରେ ଓଡି -୨୨ -ଏବି- ୫୯୩୨ ନମ୍ବର ବିଶିଷ୍ଟ ଏକ ବାଲିଦୋଝେଇ ହାଇୱା ଜବତ କରିଥିଲେ। ଜୁନିଅର ମାଇନିଂ ଅଫିସର ଏ ସଂକ୍ରାନ୍ତରେ ନନ୍ଦିପଡ଼ା ଥାନାରେ ଏକ ଲିଖୂତ ଅଭିଯୋଗ ଦାଖଲ କରିଥିଲେ । ଏହାର ଆଧାରରେ ନନ୍ଦିପଡ଼ା ଥାନା କେସ୍ ନଂ-୨୮, ତା ୧୮/୦୧/ ୨୦୨୬ ରେ ୩୦୩ (୨) / ୩୧୫ (ଇ) / ୩୧୭ (୨) /୩ (୫) ବିଏନଏସ ଓ ଓଏମଏମସି ୫୧(୧) (ଆଇ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଗାଡିଟିକୁ ରାଜ୍ୟ ରାଜପଥ କଡ଼ରେ ରଖା ଯାଇଥିବା ବେଳେ ୨୦ ତାରିଖ ରାତି ୯ଟା ବେଳେ ଜବତ ଯାନଗୁଡ଼ିକୁ ଯାଞ୍ଚ କରିବା ସମୟରେ ହାଇୱା ସେ ସ୍ଥାନରେ ନ ଥିବା ପୁଲିସ ଜାଣିବାକୁ ପାଇଥିଲା । ଏସ.ଆଇ ବିନିତା ଲାକ୍ରା ଥାନାରେ ରିପୋର୍ଟ କରିଥିଲେ। ଏହି ସଂକ୍ରାନ୍ତରେ ତାଙ୍କ ରିପୋର୍ଟ ଆଧାରରେ ନନ୍ଦିପଦା ଥାନା କେସ୍ ନଂ-୩୧ରେ ଏକ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଭାର ଇନସପେକ୍ଟର ବଳିଆ ବାରିକଙ୍କୁ ଦିଆଯାଇଥିଲା । ହାଇୱା ଜବତ ହେବା ପରେ ହାଇୱା ମାଲିକ ଭଦ୍ରକ ଜିଲ୍ଲା ତିହିଡି ଥାନା ହାଟୁଆରୀ ଗ୍ରାମର ବିଶ୍ବଜିତ ପୃଷ୍ଟି, ତାଙ୍କ ଭାଇ ଦେବାଶିଷ ପୃଷ୍ଟି ଏବଂ ଡ୍ରାଇଭର ବେରୁଣେଇ ଗ୍ରାମର ସନ୍ୟାସୀ ବେହେରା ନକଲି ଚାବି ବ୍ୟବହାର କରି ପୋଲିସ ଜିମାରୁ ଉକ୍ତ ହାଇୱାଟିକୁ ଚୋରି କରିନେଇଥିଲେ । ଉକ୍ତ ଜବତ ବାଲିକୁ ରାଜ୍ୟ ରାଜପଥ – ୫୩ ପାର୍ଶ୍ବରେ ଢାଳି ଦେଇ, ସେମାନେ ଭଦ୍ରକ ଦିଗକୁ ପଳାୟନ କରିଥିଲେ। ପରେ ବାସୁଦେବପୁର ଥାନା ଅଧୀନ ବ୍ରହ୍ମାନଗାଁ ଗ୍ରାମରେ ଥୂବା ତାଙ୍କ ମାମୁ ଅର୍ଜୁନ ଚରଣ ସାହୁଙ୍କ ଘରକୁ ଯାଇ, ତାଙ୍କ ସହଯୋଗରେ ଉକ୍ତ ହାଇୱାକୁ ଲୁଚେଇ ରଖୁଥିଲେ । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବିଶ୍ବଜିତ ପୃଷ୍ଟି, ଦେବାଶିଷ ପୃଷ୍ଟି ଓ ଅର୍ଜୁନ ଚରଣ ସାହୁଙ୍କୁ ନନ୍ଦିପଦା ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି, ଏବଂ ଚୋରି ହୋଇଥିବା ହାଇୱାକୁ ଜବତ କରାଯାଇଥିବା ଥାନା ଆଇଆଇସି ଧର୍ମେନ୍ଦ୍ର କୁମାର ଶାନ୍ତି ସୂଚନା ଦେଇଛନ୍ତି।


