ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଜିଲ୍ଲା ପ୍ରଶାସନମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୫୫ଟି ଅଭିଯୋଗ ପଂଜିକୃତ ହୋଇଥିଲା। ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୧୪ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୪୧ଟି ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସଂପର୍କୀୟ ୮ଟି, ଜମିଜମା ସମସ୍ୟା ସଂପର୍କୀୟ ୧୨ଟି, ପୋଲିସ ସହାୟତା ପାଇଁ ୩ଟି, ରାସନ କାର୍ଡ ସମସ୍ୟା ସମ୍ମକୀୟ ୨ଟି ଏବଂ ଅନ୍ୟାନ୍ୟ ୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରୁ ୮ଟି ଅଭିଯୋଗର ତତ୍କାଳ ଫଏସଲା କରାଯାଇଥିଲା। ଅଭିଯୋଗ ଗୁଡିକ ମଧ୍ୟରେ ଥିଲା ଅଲଣା ପଂଚାୟତରେ ପାନୀୟ ଜଳ ପ୍ରକଳ୍ପ ଥାଇ ନହଡିପଡା, ଚତରାଗଡ ବସ୍ତି ବାସିନ୍ଦା ଖରାଦିନେ ପିଇବା ପାଣି ପାଉ ନଥିବା ଗ୍ରାମର ତୁଷାର ମହାନ୍ତି, ବାମ ଭୋଇ, ନାରାୟଣ ସେଠୀ ଆଦି ଅଭିଯୋଗ କରିଥିଲେ। ନାଉଗାଁ ବ୍ଳକକୁ ସଂଯୋଗ କରୁଥିବା ମୁଖ୍ୟ ସଂଯୋଗକାରୀ ରାସ୍ତା ବାଲିଭଉଁରୀ-ଶିଖରଘାଟ ରାସ୍ତା ନବୀକରଣ ଓ ଉନ୍ନତିକରଣ କରିବା ପାଇଁ ବଂଶୀଧର ବେହେରା ଅଭିଯୋଗ କରିଥିଲେ। ନାଉଗାଁ ଥାନାରେ ୧୧୨ ଗାଡିର ବ୍ୟବସ୍ଥା କରିବା ପାଇଁ ଗଜରାଜପୁରର ଗୌରାଙ୍ଗ ଦାସ ଅଭିଯୋଗ କରିଥିଲେ। ହାତୀ ଜୋରର ଜବରଦଖଲ ଉଚ୍ଛେଦ ପାଇଁ ଅଲଣା ପଂଚାୟତ ବେଣାପଡା ଗ୍ରାମର ନବକିଶୋର ମହାନ୍ତି, ତ୍ରଲୋକ୍ୟ ମହାନ୍ତି, ମହେନ୍ଦ୍ର ମଲିକ ଆଦି ଅଭିଯୋଗ କରିଥିଲେ। ଶିଖର ପଂଚାୟତ ସାରେଇକୂଳ ଠାରେ ନିର୍ମାଣ କରାଯାଉଥିବା ବସଷ୍ଟାଣ୍ଡକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ଗ୍ରାମର ଜଟାଧାରୀ ଲେଙ୍କା, ବିକାଶ ନାୟକ ଆଦିଙ୍କ ଅଭିଯୋଗ ମୁତାବକ ଗ୍ରାମ ନିକଟରେ ଥିବା ପ୍ଳଟ ନଂ ୩୦୯୨ ଓ ଖାତା ନଂ ୧୧୭୨ ଗୋଚର ଜମିଟି ଗୃହପାଳିତ ପଶୁଙ୍କର ଚାରଣ ଭୂଈଁ ଅଟେ। ଏହି ସ୍ଥାନରେ ସରକାରଙ୍କ ତରଫରୁ ପାନୀୟ ଜଳ ପ୍ରକଳ୍ପ, ଶ୍ମଶାନ ବିଶ୍ରାମ ଗୃହ ଓ ଶବଦାହ ଗୃହ ନିର୍ମାଣ କରାଯାଇଛି। ସେହିପରି ଏହି ସ୍ଥାନରେ ଚାଷୀମାନେ ଖଳା କରି ନିଜର ଚାଷ କରିଥିବା ଦ୍ରବ୍ୟ ଅମଳ କରିଥାନ୍ତି। ପିଲାମାନେ ଏହାକୁ ଖେଳ ପଡିଆ ରୂପେ ବ୍ୟବହାର କରନ୍ତି। ଏହି ବାଟ ଦେଇ ନିକଟସ୍ଥ ୧୦ଟି ଗ୍ରାମର ଉଦବୃତ ଜଳ ବର୍ଷା ଦିନେ ନିଷ୍କାସିତ ହୋଇଥାଏ। ଏହି ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ କରାଗଲେ ଜଳ ନିଷ୍କାସନରେ ବାଧା ଉପୁଜିବା ସହିତ ଗ୍ରାମବାସୀଙ୍କର ବିଭିନ୍ନ ସମସ୍ୟା ସୃଷ୍ଟି ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଜୀଙ୍କ୍ୟ ବାବୁରାଓ ମାଣେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାସ, ବିଡିଓ ନିରଞ୍ଜନ ପରିଡା, ତହସିଲଦାର ଅକ୍ଷୟ କୁମାର ବଡୁଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ