ଅବକାରୀ ଓ ପୁଲିସର ମିଳିତ ଚଢ଼ାଉ; ଦେଶୀମଦ, ବନ୍ଧୁକ ସହ ଜଣେ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ମଙ୍ଗଳବାର ଭୋର ପ୍ରାୟ ୬ଟା ସମୟରେ ଚୋରା ମଦ ଧରପଗଡ ପାଇଁ ଦିଗପହଣ୍ଡି ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ମହୁଡା ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ସଂଲଗ୍ନ ଲୁଣ୍ଡୁରିଗୁଡା ଗ୍ରାମରେ ଅତର୍କିତ ଚଢାଉ କରାଯାଇଥିଲା । ଏହି ସମୟରେ ପୋଲିସ ଗ୍ରାମର ସୁରେନ୍ଦ୍ର ମଲ୍ଲିକ ନାମକ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୦ ଲିଟର ଦେଶୀ ରନ୍ଧାମଦ ଏବଂ ବନ୍ୟଜନ୍ତୁ ଶିକାର ନିମନ୍ତେ ବ୍ଯବହାର କରୁଥିବା ୨ ଟି ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡିଛି । ଖବରପ୍ରକାରେ , ଦୀର୍ଘଦିନ ଧରି ଉକ୍ତ ପାହାଡିଆ ଜଙ୍ଗଲରେ ଗ୍ରାମର ସୁରେନ୍ଦ୍ର ବିଷାକ୍ତ ମଦ ପ୍ରସ୍ତୁତ କରି ବିଭିନ୍ନ ଗ୍ରାମକୁ ବେଆଇନ ଭାବେ ମଦ ଯୋଗାଇ ଆସୁଥିବା ପୁଲିସ ଏବଂ ଅବକାରୀ ବିଭାଗକୁ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୋରରୁ ଏହି ଜଙ୍ଗଲର ଲୁଣ୍ଡୁରିଗୁଡା ଗ୍ରାମରେ ପ୍ରଥମେ ଚଢାଉ କରାଯାଇଥିଲା । ସେହି ସମୟରେ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ କାବୁ କରାଯାଇଥିଲା । ଅନୁସନ୍ଧାନ ପରେ ପୁଲିସ ଅଭିଯୁକ୍ତ ସୁରେନ୍ଦ୍ରଙ୍କ ଘର ନିକଟସ୍ଥ ଏକ ବୁଦା ମୁଳରେ ଲୁଚେଇ ରଖାଯାଇଥିବା ଦେଶୀମଦ ଏବଂ ବନ୍ଧୁକ ଜବତ କରିଥିଲା । ତେବେ ଅଭିଯୁକ୍ତ ଜଣକ ଏହି ବନ୍ଧୁକ ଶିକାର ନିମନ୍ତେ ଗଜପତି ଜିଲ୍ଲା ମୋହନାରୁ କିଣିଥିବା ପୋଲିସ ନିକଟରେ କହିଛନ୍ତି । ଅପରାହ୍ନରେ ଦିଗପହଣ୍ଡି ପୁଲିସ ଏଏସଆଇ ମନୋଜ ସିଂ ଙ୍କ ଏତଲା କ୍ରମେ ଥାନା ମାମଲା ନଂ. ୨୫୯/୨୫ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।