ହାଟଡ଼ିହି ଅଞ୍ଚଳରେ କାଳବୈଶାଖୀ: ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି
ହାଟଡିହି (ଓ୍ବାଇଏନଏସ): ହାଟଡ଼ିହି ଅଞ୍ଚଳରେ ଆଜି ଅପରାହ୍ନ ୩ଟା ବେଳେ କାଳବୈଶାଖୀ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ସନ୍ଧ୍ୟା ୩ଟା ୩୦ ସମୟରେ ହଠାତ କାଳ ବୈଶାଖୀ ଆସିବା ସହ ଗୋଟିଏ ଘଣ୍ଟା ଅବିଶ୍ରାନ୍ତ ବର୍ଷା ପବନ ହୋଇଥିଲା। ଏଥି ଯୋଗୁଁ ବ୍ଲକର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗଛ ଉପୁଡ଼ି ଯାଇଥିବା ବେଳେ ଅନେକ ଚାଳ ଘରର ଛପର ଉଡ଼ିଯାଇ ଥିବା ଜଣା ଯାଇଛି। ଛେନାପଦି ଛକର ମା ତାରିଣୀଙ୍କ ମନ୍ଦିର ସମୁଖରେ ଥିବା ବଉଳ ଗଛ ଭାଙ୍ଗି ଯାଇଥିବା ବେଳେ ଚୋରଗାଡ଼ିଆ ଛକ ନିକଟରେ ଥିବା ଏକ ବଡ଼ ଚାକୁଣ୍ଡା ଗଛ ଭାଙ୍ଗି ପଡିବା ଦ୍ୱାରା ଦୀର୍ଘ ସମୟ ଧରି ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ସେହିପରି ଅସିଆ ଗ୍ରାମରେ ଶତ୍ରୁଘ୍ନ ଅମାତଙ୍କ ଆଜବେଷ୍ଟସ ଘରଟି ସମ୍ପୂର୍ଣ୍ଣ ଉଡି ଯାଇଥିବା ବେଳେ କୁଳିଆ ସାମଲ ଙ୍କ ଚଲାଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ସେହିପରି ଅଢେଇଦ୍ୱାର ଗ୍ରାମରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ଅନେକ ଲୋକଙ୍କ ନଡ଼ିଆ ଗଛ ଭାଙ୍ଗି ପଡିଛି। ଚୋରଗାଡ଼ିଆ ଛକରେ ଅନେକ ବ୍ୟକ୍ତିଙ୍କ ସୋଲାର ପ୍ଲେଟ ଗୁଡିକ ଅନେକ ଦୂର ପର୍ଯ୍ୟନ୍ତ ଉଡି ଯାଇଛି। ବଞ୍ଚୋ ଛକର ଦୀପ୍ତି ରଞ୍ଜନ ରାୟ ସର୍ଦାରଙ୍କ ସୋଲାର ପ୍ୟାନେଲ ଗୁଡିକ ଶହଶହ ମିଟର ଦୁରକୁ ଉଡାଇ ନେଇଥିଲା। ସେହିପରି ହାଟଡିହି ହାଇସ୍କୁଲର ମଲ୍ଟି ପରପୋଜ ହଲର ଟିଣ ଆଜବେଷ୍ଟସ ଉଡାଇ ନେଇଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଛି। ସେହିପରି ହାଟଡିହି, ମରେଇଗାଁ, ଓରାଳି, ମିଠିଗାଁ, ନାହା, ବାଙ୍ଗୋର, ପନ୍ଦାଡୋ, କେ ବାଲିପାଳ, ହଦଗଡ଼, ଢେଙ୍କା, ହାଟଡିହି, ସୁଲଣ, ପଞ୍ଚୁଗୋଛିଆ, ଆମ୍ବୋ, ବଡ଼ ରମ୍ପାସ, ନୂଆ ରମ୍ପାସ ଆଦି ଗ୍ରାମରେ ଅନେକ ଗଛପତ୍ର ଭାଙ୍ଗି ପଡିଥିବା ବେଳେ ଘରଦ୍ୱାର କ୍ଷତିଗ୍ରସ୍ଥ ହୋଇଥିବା ସୂଚନା ମିଳିଛି। ଏତେ ଯୋର ପବନ ହେଲା ଯେ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହାନ ଚଳାଚଳ ମଧ୍ଯ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥଲା।


