କାର୍ତ୍ତିକ ସରିଲା: ତଥାପି ପନିପରିବା ଦର ଆକାଶ ଛୁଆଁ

ହାଟଡିହି(ଓ୍ବାଇଏନଏସ): କାର୍ତ୍ତିକ ମାସରେ ଲୋକମାନେ ନିରାମିଷ ଭୋଜନ କରୁଥିବାରୁ କାର୍ତ୍ତିକ ରେ ପନି ପରିବା ଦର ଆକାଶ ଛୁଆଁ ରହିଥାଏ। କିନ୍ତୁ କାର୍ତ୍ତିକ ସରିଲା, ମାର୍ଗଶିର ଅଧା ହେଲାଣି ତଥାପି ପନିପରିବା ଦର କମିଲାନି,  ପାଞ୍ଚ ଶହ ଟଙ୍କାରେ ବି ବ୍ୟାଗ ପୁରୁନି। ହାଟଡିହି ଅଞ୍ଚଳର ପ୍ରମୁଖ ପନିପରିବା ବ୍ୟବସାୟିର ପେଣ୍ଠ ସ୍ଥଳୀ ଭାବେ ପରିଚିତ ଛେନାପଦି ଛକରେ ପନି ପରିବାରେ ହାତ ଦେଇ ହେଉନି। ଏପରିକି କୋଶଳା ଶାଗ ବିଡ଼ାର ଦର ୨୦ଟଙ୍କା। ସୁନୁ ସୁନିଆ, କଳମ ଶାଗ ଦର ଢେର ଅଧିକ। ସେହିପରି ପୋଟଳ କିଲୋ ୮୦ଟଙ୍କା ହୋଇଥିବା ବେଳେ ଫୁଲ କୋବି ୮୦, ବନ୍ଧା କୋବି ୬୦, ବିଲାତି ୬୦, ବାଇଗଣ ୮୦, ଭେଣ୍ଡି ୬୦, କାକୁଡି ୬୦, ଛୁଇଁ ୧୮୦, ମାଟି ଆଳୁ ୭୦, କଲରା ୮୦, ଜହ୍ନି ୬୦, ଗାଜର ୭୦, ବିଟ ୭୦, କାଙ୍କଡ ୭୦, ଝୁଡୁଙ୍ଗ ୭୦ ଉପରେ ବିକ୍ରୀ ହେଉଛି।  ସବୁ ପନିପରିବା ଦର ଏତେ ହୋଇ ଯାଇଛି ଯେ ପାଞ୍ଚଶହ ଟଙ୍କାରେ ବ୍ୟାଗ ଟିଏ ବି ପୁରୁନି। ଏହି ବଜାରକୁ ଶିବନାରାୟଣପୁର, ମୁଗୁପୁର, ପଞ୍ଚୁଗୋଛିଆ, ଭାତକରୁଆ, ଅକରୁଆ, ହାତିବନ୍ଧା, ଦୁଡୁଗାଁ, ବାଳକାଟି, ଶାଳବଣି, ମୋଚିନ୍ଦା, ବଳ ଦୁଆଁ ଆଦି ଗ୍ରାମରୁ ଚାଷୀମାନେ ପନିପରିବା ବିକ୍ରୀ କରିବାକୁ ଆସିଥାନ୍ତି। ନଭେମ୍ବର ସୁଧା ଅନେକ ଗ୍ରାମରେ ପନି ପରିବା ବାହାରି ସାରିଥାଏ। କିନ୍ତୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପନିପରିବା ଚାଷ ପଛେଇ ଯାଇଛି। ଯାହାବି କିଛି ବାହାରୁଛି ତାହା ଚାହିଦା ପୂରଣ କରି ପାରୁନି। ଭଦ୍ରକ, କୁପାରୀ, ଖଇରା, ସୋର ଆଦି ଅଞ୍ଚଳରୁ ବ୍ୟବସାୟୀ ମାନେ ରାତିରୁ ଆସି ଚାଷୀଙ୍କ ନିକଟରୁ ପରିବା କିଣି ନେଇଯାଉ ଥିବାରୁ ଖାଉଟି ମାନେ ସ୍ଥାନୀୟ ପନିପରିବା ପାଇପାରୁ ନାହାନ୍ତି। ସବୁ ସବୁଜ ପରିବା ଦର ୬୦ ରୁ ଆରମ୍ଭ ହୋଇ ୧୩୦ରେ ଛୁଇଁଲାଣି । ସାଧାରଣ ଖାଉଟି ଏବେ କଣ କିଣିବ କଣ ନକିଣିବ ସେନେଇ ଚିନ୍ତାରେ ପଡିଯାଇଛି । ରୋଷେଇଶାଳରେ ଏବେ କମ ମୂଲ୍ୟରେ ମିଳୁଥିବା କେତେକ ପନିପରିବାର ରାଜୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଦରଦାମ ବୃଦ୍ଧିରେ ଖାଉଟି ହନ୍ତସନ୍ତ ହୋଇପଡିଲାଣି। ସବୁ ପରିବାର ଅମୁଲମୁଲ ଦେଖି ଗରିବ ଓ ମଧ୍ୟବିତ ପରିବାରର ନିଦ ହଜିଗଲାଣି । ଶୀତଦିନରେ ଅଧିକ ପନିପରିବା ଉପାଦନ ହେଉଥିବାରୁ ଶସ୍ତାରେ ପନିପରିବା ମିଳିବ ବୋଲି ସାଧାରଣ ଜନତା ଆଶା କରିଥିଲେ, କିନ୍ତୁ ମାର୍ଗଶୀର ମାସରେ ଫଳ ଓଲଟା ହେଲା । ପରିବା ଶସ୍ତା କଣ ହେବ ମହଙ୍ଗା ହେବାରେ ଲାଗିଛି । ହାଟଡିହି ଅଞ୍ଚଳରେ ଆକାଶଛୁଆଁ ପନିପରିବା ଦର ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପରିବା ଦରର ଏଭଳି ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟକୁ ବେଶୀ ବାଧୁଛି। ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ପନିପରିବା ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ