କେନ୍ଦ୍ରାପଡା କଲେଜ ଜମି ଜବରଦଖଲ ନେଇ ବିସ୍ପୋରକ ସ୍ଥିତି: ଜିଲ୍ଲା ପ୍ରଶାସନର ଆଶୁ ହସ୍ତକ୍ଷେପରେ ବର୍ତ୍ତମାନ ପାଇଁ ଟଳିଛି ସଙ୍କଟ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା କଲେଜ ଜମିକୁ ଜବର ଦଖଲ କରିବା ପାଇଁ ଶନିବାର ବିଳମ୍ବିତ ରାତିରେ ଏକ ବିସ୍ପୋରକ ଅବସ୍ଥା ସୃଷ୍ଟି ହୋଇଛି। ଭୀଷଣ ଶୀତରେ ସମସ୍ତେ ଘରେ ଥିବା ବେଳେ ୪/୫ଟି ହାଇୱା ଗାଡି ଓ ଏକ ଜେସିବି ମେସିନ ସାହାଯ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଖାଲ ଜମିରେ ବାଲି ଢାଳି ସମତୁଲ କରି ଦଖଲକୁ ନେବାର ଏକ ସୁଚିନ୍ତିତ ଚକ୍ରାନ୍ତକୁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଫଳରେ ବର୍ତ୍ତମାନ ପାଇଁ ଫଳପ୍ରଦ ହୋଇପାରି ନାହିଁ। ଏହି ଖାଲ ଜମିଟି ହେଉଛି କଟକ-ଚାନ୍ଦବାଲି ରାସ୍ତାର ଉଦୟନଗର ଛକରୁ କଲେଜ ପରିସରକୁ ଯାଇଥିବା ରାସ୍ତାର ଡାହାଣ ପାଶ୍ୱର୍ରେ ଥିବା ଡେରାବିଶ ତହସିଲ ଅନ୍ତର୍ଗତ ଗୁଆଳସିଂ ମୈାଜାର ପ୍ଲଟ। ଏହି ପ୍ଲଟକୁ କଲେଜ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଗଠିତ କେନ୍ଦ୍ରାପଡା ଟ୍ରଷ୍ଟି କମିଟି ପକ୍ଷରୁ ୧୯୫୮ମସିହାରେ ଦିବଂଗତ ମହମ୍ମଦ ଫଜଲେ ରବି, ଦୀନବନ୍ଧୁ ସାହୁ ଓ ନିମାଇଁ ଚରଣ ଦାସଙ୍କ ନାମରେ କିଣାଯାଇଥିଲା। ହେଲେ ପରବର୍ତ୍ତୀ କାଳରେ ଦାଖଲ ଖାରଜକୁ ଚଞ୍ଚକତା କରି ଅନ୍ୟମାନେ ତାକୁ ବାରମ୍ବାର ଗଳାବାଟରେ ଦଖଲ କରିବାକୁ ଉଦ୍ୟମ କରିଆସିଛନ୍ତି। ଏହି କାରଣରୁ କଲେଜର ସତ୍ତ୍ୱ ନିର୍ଦ୍ଧାରଣ କରିବାକୁ ଏସମ୍ପର୍କିତ ଏକ ମାମଲା କେନ୍ଦ୍ରାପଡା ଚକବନ୍ଦୀ ଉପନିର୍ଦ୍ଦେଶକଙ୍କ କୋର୍ଟରେ ବିଚାରାଧିନ ଥିବା ବେଳେ ସେହି ନ୍ୟାୟିକ ପ୍ରକ୍ରୀୟାକୁ ଏଡାଇଯାଇ ଏପରି ଜୋରଜୁଲମ କରି କଲେଜ ଜମିକୁ ଦଖଲ କରିବାର ଷଡଯନ୍ତ୍ରକୁ ନେଇ କଲେଜର ପୁରାତନ ଛାତ୍ରସଂସଦ ଉଦବେଗ ପ୍ରକାଶ କରିଛି। ଶନିବାର ପୁରାତନ ଛାତ୍ର ସଂସଦର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକରେ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ସମ୍ପାଦକ ଡ. ପ୍ରମୋଦ ଦାସ, ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା, ପ୍ରାକ୍ତନ ଅତିରିକ୍ତ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ଅମୀୟ ମହାନ୍ତି, ଅଧ୍ୟାପକ ଅଜୟ ସାମଲ, ଡ. ପ୍ରଦୀପ୍ତ କିଶୋର ଦାଶ, ଡ. ତ୍ରୈଲୋକ୍ୟନାଥ ସାମଲ, ଶିଳ୍ପ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ବିଶ୍ୱନାଥ ଆଚାର୍ଯ୍ୟ, ଅଧ୍ୟାପକ ଡ. ପ୍ରଭାକର ମଲ୍ଲିକ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଡ. ବାସୁଦେବ ଦାସ, ବିଶ୍ୱଜିତ ଦାସ, ଶରତ କୁମାର ସିଂହ, ଡ. ବିଦୁଭୂଷଣ ଦାସ, ଡ. ରଶ୍ମୀ କର ଓ ଦୈତାରୀ ସେଠୀଙ୍କ ସମେତ ଅନ୍ୟାନ୍ୟ ସଭ୍ୟମାନେ କଲେଜ ଜମିର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଅଥଚ ଶୀତ ରାତିର ବିଳମ୍ବିତ ମୁହୂର୍ତ୍ତରେ ଏତାଦୃଶ ଜବର ଦଖଲ ଉଦ୍ୟମ ସମସ୍ତଙ୍କୁ ହତଚକିତ କରିଦେଇଛି। ଆମ ପୂର୍ବସୂରୀଙ୍କ ତ୍ୟାଗ ଓ ସଙ୍କଳ୍ପ ଭିତ୍ତିରେ ଏହି କଲେଜ ବିଶ୍ୱବିଦ୍ୟାଳୟ ହେବାର ସ୍ୱପ୍ନ ଦେଖୁଥିବା ବେଳେ ତା’ର କିଣା ଜମି ଏପରି ଭାବରେ ସୁରକ୍ଷିତ ହୋଇ ନପାରିବା ବିଡମ୍ବନାର କଥା। ଛୁଟିଦିନ ଶୀତ ରାତିର ନିରୋଳା ମୁହୂର୍ତ୍ତରେ ଏପରି ଚଞ୍ଚକତା ଭବିଷ୍ୟତରେ ଯେପରି ଏଭଳି ସାହସ କରିବାକୁ ଆଉ କେହି ସାହାସ ନକରନ୍ତୁ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ