କେନ୍ଦ୍ରାପଡା କଲେଜ ଜମି ଜବରଦଖଲ ଉଦ୍ୟମ ପଣ୍ଡ : ଉପଖଣ୍ଡ ମ୍ୟାଜିଷ୍ଟ୍ରେଟଙ୍କ ଦ୍ୱାରା ସ୍ଥିତାବସ୍ଥା ଜାରି

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜମିକୁ ବେଆଇନ ଭାବେ ଜବରଦଖଲ କରିବା ମାମଲାରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ଉପଖଣ୍ଡ ମ୍ୟାଜିଷ୍ଟ୍ରେଟଙ୍କ ଅଦାଲତ ଭାରତୀୟ ନ୍ୟାୟ ସଂହିତାର ୧୬୩ଧାରାରେ ବୁଧବାର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶକୁ ଜାରି କରିବା ପାଇଁ ଟାଉନ ଥାନା ଅଧିକାରୀକୁ କେନ୍ଦ୍ରାପଡା ଉପଖଣ୍ଡ ମ୍ୟାଜିଷ୍ଟ୍ରେଟ ନିର୍ଦେଶ ଦେଇଥିବା ଜଣାପଡିଛି। କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଗୁଆଳସିଂ ମୈାଜାରେ ଥିବା କବଲା ଜମିକୁ ବେଆଇନ ଭାବେ ଜବରଦଖଲ କରାଯିବା ଉଦ୍ୟମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଡ. ସଞ୍ଜୀବ କୁମାର ମହାନ୍ତିଙ୍କ ନିର୍ଦ୍ଦିଷ୍ଟ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଯୋଗୁଁ ରୋକାଯାଇ ପାରିଛି। କଲେଜ ଜମିକୁ ଜବରଦଖଲ କରିବାକୁ ଉଦ୍ୟମ ହେଉଥିବା ସମ୍ପର୍କରେ ଖବରପାଇବା ପରେ ତତ୍‌କ୍ଷଣାତ କାଳବିଳମ୍ବ ନକରି କଲେଜ ଅଧ୍ୟକ୍ଷ ପ୍ରଫେସର ଡ. ମହାନ୍ତି କେନ୍ଦ୍ରାପଡା ଟାଉନ ଥାନାରେ ପହଞ୍ଚି ଏସମ୍ପର୍କରେ ସୋମବାର ଲିଖିତ ଅଭିଯୋଗ କରିଥିଲେ। ଅଧ୍ୟକ୍ଷ ଡ. ମହାନ୍ତି ଟାଉନଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ଯେ ସରୋଜ କୁମାର ରାଉତ ନାମକ ଜନୈକ ବ୍ୟକ୍ତି ଗୁଆଳସିଂ ମୈାଜାରେ ଥିବା କଲେଜ ଜମିକୁ ବେଆଇନ ଭାବେ ନିଜ ଦଖଲକୁ ନେବା ପାଇଁ ରବିବାର ରାତିରେ ବାଲି ପକାଇଛନ୍ତି। ଉକ୍ତବ୍ୟକ୍ତି ଜଣଙ୍କ କେତେକ ମିଥ୍ୟା କାଗଜାଦ ପ୍ରସ୍ତୁତ କରି କଲେଜର ସେହି ଜମିକୁ ହାତେଇ ନେବା ପାଇଁ କେନ୍ଦ୍ରାପଡା ସିଭିଲଜଜଙ୍କ ଅଦାଲତରେ ୧୭୮/୨୦୦୭ରେ ଏକ ମାମଲା ଦାୟର କରିଥିଲେ। କିନ୍ତୁ କଲେଜ ସେହି ମାମଲାରେ ଅଦାଲତରେ ନିଜର ପକ୍ଷ ରଖି ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲକରିବା ପରେ ଅଦାଲତ ଉକ୍ତ ମାମଲାକୁ ଖାରଜ କରିଦେଇଥିଲେ। ସଂପୃକ୍ତ ବ୍ୟକ୍ତିଜଣଙ୍କ ଅଦାଲତରୁ ଅସଫଳ ହେବା ପରେ ରାତିଅଧିଆ କଲେଜ ଜମି ଉପରେ ବାଲି ପକାଇ ଜୋରଜବରଦସ୍ତ ସେହି ଜମିକୁ ବେଆଇନ ଭାବେ ଜବର ଦଖଲ କରିବାକୁ ଉଦ୍ୟମ କରିଥିଲେ। କଲେଜ ପକ୍ଷରୁ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଜଣାଇ ଦେଇଥିଲେ। ଏହାବ୍ୟତିତ କଲେଜ ପକ୍ଷରୁ ଅଧ୍ୟକ୍ଷ ପ୍ରଫେସର ଡ. ମହାନ୍ତି ଉପଖଣ୍ଡ ମ୍ୟାଜିଷ୍ଟ୍ରେଟ ତଥା ଉପଜିଲ୍ଲାପାଳଙ୍କ ଅଦାଲତରେ ଭାରତୀୟ ନ୍ୟାୟ ସଂହିତାର ୧୬୩ଧାରାରେ (କେଶନମ୍ବର- ୧୪୮/୨୦୨୫ରେ) ଏକ ଫୈାଜଦାରୀ ମିସକେଶ ସେହିଦିନ ଦାଖଲ କରିଥିଲେ। ଉପଖଣ୍ଡ ମ୍ୟାଜିଷ୍ଟ୍ରେଟ ସେହି ମାମଲାର ଶୁଣାଣି କରି କେନ୍ଦ୍ରାପଡା ଟାଉନଥାନା ଓ ଡେରାବିଶ ତହସିଲଦାରଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ। ଉପଖଣ୍ଡ ମ୍ୟାଜିଷ୍ଟ୍ରେଟ ଉଭୟ ଅଧିକାରୀଙ୍କ ଠାରୁ ରିପୋର୍ଟ ପାଇବା ପରେ ବୁଧବାର କଲେଜର ସେହି ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶନାମା ଜାରି କରିଛନ୍ତି। ଏଥିସହିତ କଲେଜ ଜମିକୁ ଜବରଦଖଲ କରିବାକୁ ଉଦ୍ୟମ କରିଥିବା ସଂପୃକ୍ତ ବ୍ୟକ୍ତି ଏହି ମାମଲାରେ ଅଦାଲତରେ ହାଜର ହେବା ପର୍ଯ୍ୟନ୍ତ ସେହି ଜମିର ସ୍ଥିତାବସ୍ଥା ବଜାୟ ରଖାଯିବାକୁ ନିର୍ଦେଶ ଦେଇଛନ୍ତି। ଏହାସହ ଆସନ୍ତା ଜୁନମାସ ୩ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବା ସହିତ ସେହିଦିନ କାରଣଦର୍ଶାଅ ନୋଟିସ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା କଲେଜ ୧୯୫୮ମସିହା ଜୁଲାଇମାସ ୨୬ତାରିଖରେ ଉପରୋକ୍ତ ଜମି ସମେତ ମୋଟ ୧ଏକର ୬୪ଡେସିମିଲ ୫କଡି ଜମି ହସରତ ବିବିଙ୍କ ଠାରୁ କବଲା କରି ଖରିଦ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ