କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଲା ଗାୟକ ପରିଷଦ ସମ୍ମିଳନୀ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଶ୍ରୀ ନିଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଆନୁକୂଲ୍ୟରେ ତଥା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଗାୟକରତ୍ନ ହରେକୃଷ୍ଣ ନାଥଶର୍ମାଙ୍କ ୧୧୫ତମ ଜୟନ୍ତୀ ଓ ଜିଲ୍ଲା ସ୍ତରୀୟ ପାଲା ଗାୟକ ପରିଷଦର ସମ୍ମିଳନୀ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରି ପାଲା ହେଉଛି ଜୀବନର ରାହା। ବିନା ସାଧନାରେ ପାଲା ସମ୍ଭବ ନୁହେଁ। ଆମ ଐତିହ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ହେଲେ ପାଲା ବଞ୍ଚି ରହିବା ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଯୋଗଦେଇ ସରକାରଙ୍କ ବିଭିନ୍ନ ଜନସଚେତନତାଧର୍ମୀ କର୍ଯ୍ୟକ୍ରମକୁ ପାଲା ଗାୟକମାନେ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ସଚେତନ କରାଉଥିବାରୁ କୃତଜ୍ଞତା ଜଣାଇଥିଲେ। ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ପାଲା ପ୍ରତି ଯୁବବନ୍ଧୁମାନେ ବିମୁଖ ହେଉଥିବାରୁ ସେମାନଙ୍କୁ ପାଲାର ମହତ୍ୱ ବୁଝାଇବାକୁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଆମର ଐତିହ୍ୟକୁ ପରିପୃଷ୍ଟ କରିବା ପାଇଁ ପାଲା ଏକ ମାଧ୍ୟମ ବୋଲି ସେ କହିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ପାଲାର ଏନ୍ତୁଡିଶାଳା। ବହୁ ସୁନାମଧନ୍ୟ ଗାୟକ ଜନ୍ମଗ୍ରହଣ କରି ଏମାଟିକୁ ଗୈାରବାନ୍ୱିତ କରିଛନ୍ତି। ଓଡିଶାର କଳା ଓ ସଂସ୍କୃତି ଜଗତକୁ କେନ୍ଦ୍ରାପଡା ର ଅବଦାନ ଅତୁଳନୀୟ ବୋଲି କହିଥିଲେ। ଜିଲ୍ଲା ପାଲା ଗାୟକ ପରିଷଦର ସ୍ଥାୟୀ ସଭାପତି ଲକ୍ଷ୍ମୀଧର ରାଉତଙ୍କ ସଭାପତିତ୍ୱରେ ତଥା ଗାୟକ ପର୍ଶୁରାମ ପଣ୍ଡାଙ୍କ ସଂଚାଳନରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପାଲା ଗାୟକ ସଙ୍ଘର ସଭାପତି ମଦନମୋହନ ଜେନା, ରାଜ୍ୟ ସମ୍ପାଦକ ବସନ୍ତ କୁମାର ରାଉତ, ପ୍ରାର୍ଥନା ଚାନେଲର ପାଲା ସମୀକ୍ଷକ ପଦ୍ମନାଭ ତ୍ରିପାଠୀ, ପଣ୍ଡିତ ହୃଷିକେଶ ରଥ, ପାଲା ଆଲୋଚକ ନିରୋଦ କୁମାର ଦାସ ଓ ଅଭିଭକ୍ତ କଟକ ଜିଲ୍ଲାର ପାଲା ଗାୟକ ସଙ୍ଘ ସଭାପତି ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପରିଷଦର ମୁଖପତ୍ର “କଳାଚନ୍ଦ୍ରିକା”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିସହିତ ବିଶିଷ୍ଟ ପାଲାଗାୟକ,ଗାୟିକା ଓ ସଂଗୀତକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସଭାପତି ସୁରେନଦ୍ରନାଥ ଶତପଥୀ ଅତିଥି ପରିଚୟ, ଜିଲ୍ଲା ସଭାପତି ବସନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଓ ଜିଲ୍ଲା ସମ୍ପାଦକ ବିଶ୍ୱମ୍ଭର ପ୍ରସାଦ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ସିପ୍ରାରାଣୀ ଦେହୁରୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗାୟକରତ୍ନ ସ୍ୱର୍ଗତ ହରେକୃଷ୍ଣ ନାଥଶର୍ମାଙ୍କ ବଂଶଜ ତଥା ଗାୟକ ପ୍ରମୋଦ କୁମାର ନାଥ, ସୁରେନ୍ଦ୍ର ନାଥ ଶତପଥୀ, ଚିନ୍ମୟ ପ୍ରସଦ ଦାସ, ସୁବାଷ ଚନ୍ଦ୍ର ଶତପଥୀ, ଅଲେଖ ଚନ୍ଦ୍ର ଦାସ ପ୍ରମୁଖ ଶତାଧିକ ପାଲା ଗାୟକ,ଗାୟିକା,ବାୟକ ଓ ସଂଗୀତକାରମାନେ ଉପସ୍ଥିତ ଥିଲେ। ଶେଷରେ ପାଲା ପରିବେଷଣ ହୋଇଥିଲା।


