କେନ୍ଦ୍ରାପଡା ପବ୍ଲିକ ସ୍କୁଲ ଛାତ୍ରୀ ବଳାତ୍କାର ଘଟଣା : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ସମୀକ୍ଷା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜକନିକାର ଏକ ପବ୍ଲିକ୍ ସ୍କୁଲ୍ରେ ଘଟିଥିବା ନାବାଳିକା ଛାତ୍ରୀ ଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଜଜାଙ୍ଗସ୍ଥିତ ଜିଲ୍ଲା ପ୍ରଦକ୍ଷଣ ଭବନରେ ସମୀକ୍ଷା କରିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ପୀଡିତା ପରିବାରକୁ ଭେଟି ଘଟଣା ସମ୍ପର୍କରେ ଟିକିନିଖି ପଚାରି ବୁଝିବା ପରେ ଆୟୋଗ ସ୍କୁଲ ରେ ପହଞ୍ଚି ପ୍ରିନ୍ସିପାଲଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରୁ ଫେରି ଜିଲ୍ଲା ସର୍କିଟ ହାଉସରେ ଆୟୋଗ ଅଧ୍ୟକ୍ଷା ଜିଲ୍ଲାପାଳ ରଘୁରାମ ଆର. ଆୟର, ଏସପି ସିଦ୍ଧାର୍ଥ କଟ୍ଟାରିଆ, କେନ୍ଦ୍ରାପଡା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ପୀଡିତା ଛାତ୍ରୀଙ୍କୁ ଥଇଥାନ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରୀଙ୍କୁ ସାମାଜିକ ସୁରକ୍ଷା ଓ ଆର୍ôଥକ ସହାୟତା ପ୍ରଦାନ କରାଯିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଆୟୋଗ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଆୟୋଗ ସଦସ୍ୟା ସୁଜାତା ନାୟକ, ଲିଗାଲ ଅଫିସର ଓମ୍ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ। ରାଜକନିକା ସ୍ଥିତ ପବ୍ଲିକ୍ ସ୍କୁଲ୍ର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗତ ଫେବୃଆରୀ ୧୭ ତାରିଖରେ ଶିଶୁ ମଙ୍ଗଳ କମିଟିକୁ ଭେଟି ତାଙ୍କ ସହ ଶିକ୍ଷକ ମାନେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ପରେ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ୩ ଶିକ୍ଷକ ଓ ଜଣେ ପିଅନକୁ ଗିରଫ କରି କୋର୍ଟଚାଲାଣ କରିଥିଲା।


