ଓଡ଼ିଶାର ଏକ ନମ୍ବର ଜିଲ୍ଲା ହେବ କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାଶ) :କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟ ରାଜନୀତିରେ ବହୁ ଦକ୍ଷ ରାଜନେତାଙ୍କୁ ସୃଷ୍ଟି କରିଛି। ଏହି ଜିଲ୍ଲାର ନେତାମାନେ ଅତୀତରେ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ବିଜେପି ସରକାର ଅମଳରେ ଏହି ଜିଲ୍ଲା ଏକ ନମ୍ବର ଜିଲ୍ଲାରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରଥମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କହିଲେ ଏହି ଜିଲ୍ଲାକୁ ଆସିଥିବା ଆସେଲର ମିତ୍ତଲ ଷ୍ଟିଲ ପ୍ଲାଣ୍ଟ କିପରି ତାହାର କାର୍ଯ୍ୟ ତ୍ୱରାନ୍ୱିତ କରିବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ସେହିପରି ଏହି ଜିଲ୍ଲାରେ ମେଡିକାଲ କଲେଜ ଖୁବଶୀଘ୍ର ପ୍ରତିଷ୍ଠା ହେବ। ଏହି ଜିଲ୍ଲାର ଲୋକେ ପାନୀୟ ଜଳ ସମସ୍ୟାରେ ପଡୁଛନ୍ତି। ତେଣୁ ପାନୀୟ ଜଳ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ। ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଧାନ ଅମଳରେ ମଧ୍ୟ ଏହି ଜିଲ୍ଲା ଉତ୍ତମ ପ୍ରଦର୍ଶନ କରିଛି। ଜଳସେଚନ ବ୍ୟବସ୍ଥା ଉନ୍ନତ ନ ଥିବାରୁ ଚାଷୀମାନେ ଚାଷ କରିବାରେ ସମସ୍ୟାରେ ପଡୁଛନ୍ତି। ତେଣୁ ଉନ୍ନତ ମାନର ଜଳସେଚନ ବ୍ୟବସ୍ଥା ହେବ। ଏହି ଜିଲ୍ଲାର ବିକାଶ ଇଞ୍ଜିନ ଆଗାମୀ ଦିନରେ କିପରି ଦୃତଗତିରେ ଚାଲିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇ ଜିଲ୍ଲାକୁ ଓଡ଼ିଶାରେ ଏକ ନମ୍ବର ଜିଲ୍ଲାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଲୁଣା ଜଙ୍ଗଲକୁ ଆହୁରି ବ୍ୟାପକ କରାଯାଇ ଜୈବ ବିବିଦ୍ଧତାର ସୁରକ୍ଷା କରାଯିବ। ଭିତରକନିକା ଓ ଗହୀରମଥା ଅଞ୍ଚଳରେ ଇକୋ ଟୁରିଜିମ୍କୁ ଆହୁରି ତ୍ୱରାନ୍ୱିତ କରାଯିବ। ମୋହନ ସରକାରଙ୍କ ଦ୍ୱିତୀୟ ବର୍ଷର ଉନ୍ନୟନମୂଳକ କାର୍ଯ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରୁ ଶୁଭାରମ୍ଭ ହେବ। ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚୋରା ବାଲି ଚାଲାଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ବିକାଶ ସଂକ୍ରାନ୍ତରେ ବିସ୍ତୃତ ଯୋଜନା ଆଗାମୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପ କେଶରୀ ଦେବ,ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଉସୀ ମା’ମନ୍ଦିର ନିକଟରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଉଦ୍ଘାଟନ କରି କହିଥିଲେ ଯେ ପ୍ରତ୍ୟେକ ମା’ ଓ ଭଉଣୀଙ୍କ ସିନ୍ଦୁରର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପ୍ରତିଜ୍ଞା ଆଜି ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଜିଲ୍ଲା କୃଷି ରଥ ଓ ରାଜସ୍ୱ ରଥର ଶୁଭାରମ୍ଭ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।