କଳାକ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ କେନ୍ଦ୍ରାପଡା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ପୈାରାଞ୍ଚଳର ମହିପାଳ ସ୍ଥିତ କୁନ୍ତଳା କୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେବା ପରେ ବିଦ୍ୟାଳୟ ତାର ପ୍ରଥମ ବାର୍ଷିକ ପରିକ୍ଷା ଓଡିଶା ଲଳିତ କଳା ଏକାଡେମୀ ତତ୍ତ୍ୱାବଧାନରେ ଅୟୋଜିତ କରିଛି । ଚଳିତ ବର୍ଷ ପ୍ରାଥମିକ ପରୀକ୍ଷାରେ ମୋଟ ୩୫ ଜଣ କୁନି କଳାକାର ଭାଗ ନେଇଛନ୍ତି । ରବିବାର ଠାରୁ କନିଷ୍ଠ ଭାଗ-୧, ଭାଗ-୨ ଓ ବରିଷ୍ଠ ଭାଗ-୧ ଓ ଭାଗ-୨ ପରୀକ୍ଷା ଅନୁଷ୍ଠିତ ହେବ । କେନ୍ଦ୍ରାପଡା ସହରରେ ଏପରି ପରୀକ୍ଷା କରି ପ୍ରମାଣପତ୍ର ଦେଉଥିବା ଏକମାତ୍ର ଅନୁଷ୍ଠାନ କୁନ୍ତଳାକୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ ୨୦୨୧ ମସିହାରେ ଆରମ୍ଭ ହୋଇଥିଲା। ଦୀର୍ଘ ପାଞ୍ଚ ବର୍ଷ ଧରି ପିଲାମାନଙ୍କୁ କଳା ଶିକ୍ଷା ପ୍ରଦାନ କରି ଆସୁଥିବା ଏହି କଳା ଶିକ୍ଷା ଅନୁଷ୍ଠାନକୁ ଏ ବର୍ଷ ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଲଳିତ କଳା ଏକାଡେମୀ ସ୍ୱୀକୃତି ପ୍ରଦାନ କରିଛି । ଏହି ଅନୁଷ୍ଠାନ ପିଲାମାନଙ୍କୁ କଳାଶିକ୍ଷା ଦେଇ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରୁଛି ବୋଲି ପ୍ରଧାନ ଗୁରୁଜୀ ଅଶୋକ ନାୟକ କହିଛନ୍ତି । ଜିଲ୍ଲାର କଳା ଓ ସଂସ୍କୃତି କ୍ଷେତ୍ରରେ ଉନ୍ନତି ଓ ରାଜ୍ୟରେ ଏହାକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ସେ ଏହି କଳା ଶିକ୍ଷା ଅନୁଷ୍ଠାନ ଗଢିଛନ୍ତି ବୋଲି କହିଛନ୍ତି। ଏହି ଅବସରରେ ଉପସ୍ଥିତ ଅଭିଭାବକ ମାନେ ବିଦ୍ୟାଳୟ ଓ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନର କେନ୍ଦ୍ରାପଡା ଯେପରି ସମଗ୍ର ରାଜ୍ୟ ଓ ଦେଶରେ କଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ସେ ନେଇ ଏହି ବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଦ୍ୟାଳୟର ମୁଖ୍ୟ ଜାତୀୟ ସ୍ତରୀୟ ଚିତ୍ରଶିଳ୍ପୀ ଅଶୋକ କୁମାର ନାୟକ ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ