ଖରିଫ ଫସଲ ନୀତି ନିର୍ଦ୍ଧାରଣ କମିଟି ବୈଠକ

କଟକ (ଓ୍ବାଇଏନଏସ): କୃଷି ଓ କୃଷକ ସଶକ୍ତିକରଣ ପ୍ରକ୍ରିୟାକୁ ଆହୁରି ଅଧିକ ତ୍ଵରାନ୍ୱିତ କରିବା ସହ ଉପଯୁକ୍ତ ହିତାଧିକାରୀଙ୍କୁ ସମ୍ୱନ୍ୱିତ କୃଷି ଆଧାରରେ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଖରିଫ ଫସଲ ନୀତି ନିର୍ଦ୍ଧାରଣ କମିଟି ବୈଠକ ୨୦୨୫ରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଜି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫ ଆର୍ଥିକ ବର୍ଷ ପାଇଁ ଖରିଫ ଫସଲ ନିମନ୍ତେ ବିଭିନ୍ନ ନୀତି ନିର୍ଦ୍ଧାରଣ କରାଯାଇଛି । ନିର୍ଦ୍ଧାରିତ ରଣନୀତି ଅନୁଯାୟୀ ଅମଳବିହୀନ ଧାନ ଜମିରେ ମୂଲ୍ୟଭିତିକ ଚାଷ, କୃଷି କ୍ଷେତ୍ରରେ ଉଦ୍ୟମିତା ପ୍ରୋତ୍ସାହନ ଓ ବେସରକାରୀ ପୁଞ୍ଜିଲଗାଣ, ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ, ଜଳସେଚନର ସଦୁପଯୋଗ, ପଥୁରିଆ ଜମିରେ ମାଣ୍ଡିଆ ବା ମିଲେଟ ଜାତୀୟ ଫସଲ ଉତ୍ପାଦନ ଆଦି କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଜୈବିକ କୃଷିକୁ ପ୍ରୋତ୍ସାହନ ଓ ସମନ୍ୱିତ କୃଷିର ପ୍ରଚଳନ ପୂର୍ବକ ମୃତିକା ପରୀକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା,ରିହାତି ଦରରେ କୃଷି ଯନ୍ତ୍ରପାତି ଯୋଗାଇ ଦେବା, ସୌରଶକ୍ତିର ଉପଯୋଗ ଦ୍ଵାରା ପାଣି ପମ୍ପ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ବ୍ୟବହାର କରିବା ନିମନ୍ତେ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଯଅ ଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ମଞ୍ଜିର ଅଭାବ ହେଲେ ତାହା ବଜାରରୁ କ୍ରୟ କରି ଚାଷୀକୁ ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସୂର୍ଯ୍ୟମୁଖୀ ଚାଷ ର ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ସେ ଚାଷୀଙ୍କୁ ସଚେତନ କରିବା ଏବଂ ବଜାର ସହାୟତା ଯୋଗାଇ ଦେବା ନିମନ୍ତେ କୃଷି ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ରିହାତି ଦରରେ ଯୋଗାଇ ଦିଆଯାଉଥିବା ସାର ଗ୍ରହଣ କରୁଥିବା ଚାଷୀ ମାନଙ୍କର ତାଲିକା ପ୍ରତ୍ୟେକ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ କରିବାକୁ ଜିଲ୍ଲାପାଳ କହିଥିଲେ । ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ରାଜଶ୍ରୀ ବେହେରା ଗତ ଖରିଫ ଋତୁରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଥିବା ସୂଚନା ଦେଇଥିଲେ। ୨୦୨୫ ଖରିଫ ଋତୁରେ ମୋଟ ୧୨୯୦୭୦ ହେକ୍ଟର ଜମିରେ ଧାନ, ୯୪୦ ହେକ୍ଟର ଜମିରେ ମକା ଓ ୧୧୨୦ ହେକ୍ଟର ଜମିରେ ମାଣ୍ଡିଆ, ବାଜରା ଓ ଯଅ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିସହ ୬୯୫୦ହେକ୍ଟର ଜମିରେ ଡାଲି ଜାତୀୟ ଫସଲ, ୧୯୨୦ ହେକ୍ଟର ଜମିରେ ତୈଳବୀଜ, ୬୩୦ ହେକ୍ଟର ଜମିରେ ଝୋଟ, ୨୯୬୦୦ହେକ୍ଟର ଜମିରେ ପନିପରିବା, ୩୬୪୦ ହେକ୍ଟର ଜମିରେ ମସଲା ଜାତୀୟ ଫସଲ, ୨୪୪୦ ହେକ୍ଟର ଜମିରେ ଆଖୁ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ବା ଆକସ୍ମିକ ଅଘଟଣ ଏଡାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଜିଲ୍ଲାରେ ଖରିଫ ଫସଲ ଚାଷକୁ ବୀମାଭୁକ୍ତ କରାଯାଇଛି । ଚଳିତ ଖରିଫ ଋତୁ ରେ ଧାନ ଚାଷ ନିମନ୍ତେ ପର୍ଯ୍ୟାପ୍ତ ବିହନ ମହଜୁଦ ଥିବା କଥା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦର୍ଶାଇଥିଲେ । ଉଦ୍ୟାନ କୃଷି ଅଧିନସ୍ଥ ନଡ଼ିଆ ଚାଷ ନିମନ୍ତେ ଧାର୍ଯ୍ୟ ୬୦୦୦ଚାରା ରୋପଣ ଲକ୍ଷ୍ୟ କୁ ୨୫୦୦୦ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ସ୍ଥଳେ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିନ୍ତ ରୋଜଗାର ଅଧିନିୟମ ର ସହାୟତା ନେବାପାଇଁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ପିଜୁଳି ଚାଷକୁ ଅଧିକ ପ୍ରୋତ୍ସାହିତ କରିବା ନିମନ୍ତେ ଜିଲ୍ଲାପାଳ ମଧ୍ୟ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କୃଷକ ମାନଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ସହାୟତା ପ୍ରଦାନ କରି କୃଷି, ଉଦ୍ୟାନ କୃଷି, ଜଳ ସେଚନ ଆଦି ପ୍ରତ୍ୟେକ ବିଭାଗ ନିଜ ଭିତରେ ସମନ୍ୱୟ ରକ୍ଷାକରି ଉତ୍ପାଦନ ବୃଦ୍ଧି ଦିଗରେ କାର୍ଯ୍ୟ କଲେ ଆମେ ନିଶ୍ଚିନ୍ତ ଭାବେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ସଫଳତା ହାସଲ କରିପାରିବା ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ‌ହକାରୀ କୃଷି ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଉଦ୍ୟାନ କୃଷି, ଉପନିବନ୍ଧକ, ଉଠା ଜଳସେଚନ ଯନ୍ତ୍ରୀ, ସହକାରୀ କୃଷି ଅଧିକାରୀ, ବ୍ଳକ୍ କୃଷି ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ