ସରଳ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ: ବାରଣ୍ଡାରେ ଚାଲିଛି ଶିକ୍ଷାଦାନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ ସରଳ ପ୍ରାଥମିକ ବିଦ୍ୟାଳୟରେ ବାଲ ବାଟିକା ରୁ ୫ମ ପର୍ଯ୍ୟନ୍ତ ୬ଟି ଶ୍ରେଣୀ ଥିବାବେଳେ ୪୫ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ଶ୍ରେଣୀଗୃହ ଅଭାବ ଯୋଗୁଁ ବାରଣ୍ଡାରେ ଶିକ୍ଷାଦାନ ଚାଲିଛି । ପୁରୁଣା ଘରଟି ଭାଙ୍ଗି ରୁଜି ବିପଦ ସଙ୍କୁଳ ହୋଇଥିବାରୁ ଓ ତାହାର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସୁଥିବାରୁ ମାତ୍ର ଗୋଟିଏ ଶ୍ରେଣୀଗୃହରେ ଶିକ୍ଷାଦାନ ଚାଲିଛି। ୬ଟି ଯାକ ଶ୍ରେଣୀର ପିଲାଙ୍କୁ ଗୋଟିଏ କକ୍ଷରେ ବସାଇ ଶିକ୍ଷାଦାନ କରିବା ସମ୍ଭବ ହେଉନାହିଁ। ଦୁଇଜଣ ଶିକ୍ଷକ ଥିବାରୁ ଜଣେ ୫ଟି ଶ୍ରେଣୀର ପିଲାଙ୍କୁ ଗୋଟିଏ କୋଠରୀରେ ବସାଇ ଶିକ୍ଷାଦାନ କରୁଥିବା ବେଳେ ଆଉ ଜଣେ ଶିକ୍ଷକ ୫ମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ବାରଣ୍ଡାରେ ବସାଇ ଶିକ୍ଷାଦାନ କରୁଛନ୍ତି। ବର୍ଷା ହେଲେ ଶିକ୍ଷାଦାନ ବନ୍ଦ ହୋଇ ଯାଉଛି ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି। ନୂତନ ଶ୍ରେଣୀଗୃହ ପାଇଁ ବିଦ୍ୟାଳୟ କର୍ତୁପକ୍ଷ ବାରମ୍ବାର ବିଡ଼ିଓ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇ ଥିଲେ ବି କୌଣସି ପଦକ୍ଷେପ ନିଆ ଯାଉ ନଥିବା ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ମଲ୍ଲିକ , ସହକାରୀ ଶିକ୍ଷକ ଶୁଶାନ୍ତ କୁମାର ଜେନା କହିଛନ୍ତି। ବିଦ୍ୟାଳୟ ର ପୁରୁଣା ଘରଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ବେଳେ ବିପଦ ସଙ୍କୁଳ ହୋଇପଡିଛି। ଛୁଆ ମାନେ ତା ଭିତରେ ପସି ଖେଳା ଖେଳି କରୁଥିବାରୁ କେତେବେଳେ ଯେ ଅଘଟଣ ନଘଟିବ ତାହା କହିହେବନି। ଏଣୁ ତୁରନ୍ତ ବିଦ୍ୟାଳୟର ପରିତ୍ୟକ୍ତ ଶ୍ରେଣୀ ଗୃହ ଭାଙ୍ଗିବା ସହ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ସୁଦାମ ଜେନା, ଅଶୋକ ଜେନା, ନିରଞ୍ଜନ ପଲେଇ, ବିଜୟ କୁମାର ଜେନା, ଦିପ୍ତିମୟୀ ଜେନା ପ୍ରମୁଖ ଅଭିଭାବକ ମାନେ ଦାବି କରିଛନ୍ତି।