ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ଦେଇ ଜମି ବିକ୍ରୀ: ଥାନାରେ ଏତଲା ଦେଲେ ଡିଏସ୍ଆର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ତହସିଲରେ ପୁଣି ଜମି କେଳେଙ୍କାରୀ ପଦାକୁ ଆସିଛି । ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ଦେଇ ଜମି ବିକ୍ରୀ ହୋଇଥିବାରୁ ବହୁ କ୍ରେତା ଠକାମିର ଶୀକାର ହୋଇଛନ୍ତି । କେନ୍ଦୁଝର ସଦର ତହସିଲ ରାଙ୍କି ମୌଜାରେ ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ଦେଇ ଜମି ବିକ୍ରୟ କବଲା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସଦର ତହସିଲଦାର ଏହାର ଯାଂଚ କରିବା ପରେ ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ବୋଲି ଜଣାପଡିଥିଲା । ମୋଟ ୧୨ ଜଣ ଉତ୍ତରାଧିକାରୀ ଥିବାବେଳେ ୮ଜଣ ଉତ୍ତରାଧିକାରୀ ଥିବା ଦର୍ଶାଇ ଏକ ଜାଲ କାଗଜପତ୍ର ପ୍ରସ୍ତୁତ କରି ଜମି ବିକ୍ରୀ କରାଯାଇଥିବା ନେଇ ଅମୂଲ୍ୟ କୁମାର ସାହା ଅଭିଯୋଗ କରିଥିଲେ । ୫ଟି ଜମି ବିକ୍ରୟ କବଲାରେ ମୋଟ ୭୬ ଲକ୍ଷ ୩୬ ହଜାର ଟଙ୍କାରେ ଜମି ବିକ୍ରୟ ହୋଇଛି । ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ଦେଇ ଜମି କବଲା ହୋଇଥିବା ନେଇ ନାଁ କଟିଥିବା ଅନ୍ୟ ଉତ୍ତରାଧିକାରୀମାନେ ଅଭିଯୋଗ କରିବା ପରେ ତହସିଲ ପକ୍ଷରୁ ଯାଂଚ ପରେ ଏହା ଜାଲ ବୋଲି ଜଣାପଡିଥିଲା । ଏ ନେଇ ଜିଲ୍ଲା ଉପନିବନ୍ଧକ ଆଜି ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜାଲ ଉତ୍ତାଧିକାର ପ୍ରମାଣପତ୍ର ଦେଇ ଜମି ବକ୍ରୟ କବଲାରେ ସାକ୍ଷୀ ପଡିଥିବା ସ୍ଥାନୀୟ ଲୋକ ମଧ୍ୟ ଅଡୁଆରେ ପଡିଛନ୍ତି । ଏହି ଘଟଣାରେ କେତେକ ଜମି ଦଲାଲ ସଂପୃକ୍ତ ଜଣାପଡିଛି । ପୋଲିସ ପକ୍ଷରୁ ଅଭିଯୋଗ ପରେ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି । କେନ୍ଦୁଝର ସବରେଜିଷ୍ଟ୍ରାର ଗଜାନନ ପ୍ରଧାନଙ୍କୁ ଏ ନେଇ ପଚାରିବାରୁ ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ନେଇ ତହସିଲ ପକ୍ଷରୁ ଅବଗତ ହେବା ପରେ ଟାଉନ ଥାନାରେ ବିକ୍ରେତାଙ୍କ ନାମରେ ଏତଲା ଦିଆଯାଇଛି ।