କଟକରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ

କଟକ, (ଓ୍ବାଇଏନଏସ) : ଜଗନ୍ନାଥପ୍ରେମୀମାନଙ୍କୁ ଏକ ଭାବପୂର୍ଣ୍ଣ ଆଧ୍ୟାତ୍ମିକ ଅନୁଭୂତି ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ଆଜି ଜିଲ୍ଳାର ୨୮୬ ଜଣ ଶ୍ରଦ୍ଧାଳୁ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୪ଟି ଯାକ ବ୍ଲକରୁ ଚୟନ ହୋଇଥିବା ୨୯୬ ଜଣ ତୀର୍ଥଯାତ୍ରୀ ଆଜି ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିବା ୮ଟି ସ୍ୱତନ୍ତ୍ର ଏସି ବସ୍ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ଏହି ଅବସରରେ କଟକ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାରବାଟୀ କଟକ ବିଧାୟିକା ଇଂ ସୋଫିଆ ଫିରଦୋସ୍ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଳାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପନିର୍ଦ୍ଦେଶକ, ଜିଲ୍ଳା ପର୍ଯ୍ୟଟନ ବିଭାଗ ଶ୍ରୀମତୀ ସୁଜାତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ, ବିଶେଷକରି ବୃଦ୍ଧ, ବୃଦ୍ଧା ଓ ବିଧବା ମହିଳାମାନଙ୍କୁ ପ୍ରାଥମିକତା ଭିତିରେ ପ୍ରଥମ ପର୍ଯ୍ୟାୟରେ ଜଗନ୍ନାଥ ଦର୍ଶନରେ ସାମିଲ କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ଯାତାୟତ, ରହିବା ଓ ଖାଦ୍ୟର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଶ୍ରଦ୍ଧାଳୁମାନେ ପହଂଚିବା ପରେ ସେମାନଙ୍କ ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ସେମାନଙ୍କୁ ପୁରୀ ନିଆଯାଇ ଶ୍ରୀମନ୍ଦିରରେ ଭିତର କାଠ ଦର୍ଶନ ଓ ମାଗଣାରେ ମହାପ୍ରସାଦ ସେବନର ମଧ୍ୟ ସୁଯୋଗ ମିଳିଛି । ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବସରେ ଜଣେ ଲେଖାଏଁ ପାରାମେଡିକ କର୍ମଚାରୀ ଏବଂ ଦୁଇ ଜଣ ଲେଖାଏଁ ଏସକର୍ଟମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଯାହା ଏହି ଯାତ୍ରାକୁ ଭୟମୁକ୍ତ ଓ ଆରାମଦାୟକ କରିଛି । ଶ୍ରଦ୍ଧାଳୁମାନଙ୍କୁ ନିଜ ନିଜ ସ୍ଥାନରୁ ବସ୍ ଯୋଗେ ପୁରୀ ନେଇ ଦର୍ଶନ କରାଇବା ପରେ ପୁଣି ନିଜ ନିଜ ସ୍ଥାନରେ ଛାଡିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ