‘ଆମ ସଙ୍କଳ୍ପ’ ସଚେତନତା ରଥର ଶୁଭାରମ୍ଭ
କଟକ (ଓ୍ବାଇଏନଏସଽ)): ଜିଲ୍ଲାବ୍ୟାପୀ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧୀ ଜନସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହନ୍ତ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରୟଦର୍ଶିନୀ ମିଶ୍ର, ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ପ୍ରମୁଖ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ମାଦକ ତଥା ଅପମିଶ୍ରିତ ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରାମଦ କାରବାର ରୋବିକା ଲାଗି ଜିଲ୍ଲାବ୍ୟାପୀ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ରଥ ଓ କଟକ ମହାନଗର ନିଗମ ଅଂଚଳରେ ଦୁଇଟି ରଥ ପରିକ୍ରମା କରିବ । ଆମ ସଙ୍କଳ୍ପ ନିଶା ନୁହେଁ ଜୀବନ’ ଅଭିଯାନକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ରଥ ବିଭିନ୍ନ ସ୍ଥାନ ପରିକ୍ରମା କରି ସଚେତନତା ସୃୃଷ୍ଟି କରିବ । ଏହା ବ୍ୟତୀତ ବିଭାଗ ପକ୍ଷରୁ ପାଲା, ଦାସକାଠିଆ ଆଦି ମାଧ୍ୟମରେ ପଥପ୍ରାନ୍ତ ନାଟକ, ସଚେତନତା ସଭା, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଓ ସ୍ୱାସ୍ଥ୍ୟ ଶିବିର, ଯୋଗ ଶିବିର, ରାଲି ଆଦି ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ଅବକାରୀ ଉପ ଅଧୀକ୍ଷକ ଅରୂପା ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ, କଟକ ସଦର ଅବକାରୀ ନିରୀକ୍ଷକ କମଳ ଲୋଚନ ପାଇକରାୟ, ଅବକାରୀ ମୋବାଇଲ ୟୁନିଟ ନିରୀକ୍ଷକ ଅଭିରାମ ସାହୁଙ୍କ ସମେତ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।