ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବି ହରପ୍ରସାଦ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ୍) ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବି ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି କହିଛନ୍ତି। ଆସନ୍ତା ଗୁରୁବାର ଠାରୁ ୨ ଦିନ ବ୍ୟାପୀ ଚେନ୍ନାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତର ସାର୍ବଭୌମତ୍ୱ ଏବଂ ଜାତୀୟ ଐକ୍ୟ ଅକ୍ଷୁର୍ଣ୍ଣ ରଖିବା ଦିଗରେ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଆଲୋଚନା ହେବା ସହ ଭାରତୀୟ ସମ୍ବିଧାନର ସୁରକ୍ଷା ଉପରେ ସଂକଳ୍ପ ପାରିତ କରାଯିବ। ଏହି ଜାତୀୟ ସମ୍ମିଳନୀକୁ ତାମିଲନାଡୁ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ପାଲେଷ୍ଟାଇନ,କ୍ୟୁବା ଏବଂ ଋଷ ରାଷ୍ଟ୍ରଦୂତଙ୍କ ସମେତ ନେପାଳ ଶାନ୍ତି ଓ ସଂହତି ସଙ୍ଗଠନ ର ସଭାପତି ସତୀଶ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ଆଇନଜୀବି ହରପ୍ରସାଦ ଇସକଫ୍ ର ଗଞ୍ଜାମ ଜିଲା ସଭାପତି ଭାବେ ନିଯୁକ୍ତ ଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱରେ ମଧ୍ୟ ରହିଛନ୍ତି।


