ରାସ୍ତାର ପ୍ରଶସ୍ତି ଓ ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
ବାଲେଶ୍ୱର (ସରୋଜ ପଣ୍ଡା): ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଇଂଚା ଓ ସିନ୍ଧିଆ ପ୍ରଭୃତି ୧୫ ଗୋଟି ପଂଚାୟତ ବନ୍ୟା ପ୍ରଭାବିତ ଅଂଚଳ ଭାବେ ପରିଚିତ । ବୁଢାବଳଙ୍ଗ ନଦୀରେ ବନ୍ୟା ପାଣି ବଢିବା କ୍ଷଣି ସମ୍ପୃକ୍ତ ପଂଚାୟତଗୁଡିକ ବାଲେଶ୍ୱର ସହର ଠାରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଆନ୍ତି । ଯାତାୟତ ପାଇଁ ସରକାରୀ ଡଙ୍ଗା ସାହା ଭରସା ପାଲଟି ଯାଏ । ବନ୍ୟା ସମୟରେ ଯଦି କାହାରି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ, ତାହେଲେ କଥା ଶେଷ । ବିଶେଷ କରି ବଇଁଚା ଠାରେ ରାସ୍ତା ବୁଡି ଯାଉଥିବାରୁ ଲୋକେ ବିପଦଜନକ ଭାବେ ବନ୍ୟା ପାଣିରେ ପଶି ବାଲେଶ୍ୱର ସହରକୁ ଆସିବାକୁ ଆସିବାକୁ ବାଧ୍ୟ ହୁଅନ୍ତି । ୧୫ଟି ପଂଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ସିଧାସଳଖ ଭାବେ ଏଥିରେ ପ୍ରଭାବିତ ହେଉଥିଲେ ବି କେହି ଯେମିତି ସେମାନଙ୍କ ଦୁଃଖ ଶୁଣିବାକୁ ନଥିଲେ । ତେବେ ପୂର୍ବତନ ବିଧାୟକ ସ୍ୱର୍ଗତଃ ମଦନ ମୋହନ ଦତ୍ତ ସେଠାରେ ଏକ ସୁରକ୍ଷିତ ଉଚ୍ଚତା ବିଶିଷ୍ଟ ଏକ ପୋଲ ନିର୍ମାଣ ନେଇ ଅଂଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ୨୦୧୯ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ, ତେବେ ନିଜ ପ୍ରତିଶୃତି ପୂରଣ ପୂର୍ବରୁ ସେ ଆରପାରିକୁ ଚାଲିଯାଇଥିଲେ । ସେବେଠାରୁ ବ୍ରିଜ ନିର୍ମାଣ ନେଇ ଲୋକଙ୍କ ଆଶା କେବଳ ଆଶାରେ ହିଁ ରହିଯାଇଥିଲା । ୨୦୨୪ ମସିହାରେ ସ୍ୱର୍ଗତଃ ଦତ୍ତଙ୍କ ସୁପୁତ୍ର ମାନସ କୁମାର ଦତ୍ତ ବିଧାୟକ ଭାବେ ନିର୍ବାଚିତ ହେବା ପରେ ପିତାଙ୍କ ପ୍ରତିଶୃତି ପୂରଣକୁ ପ୍ରାଥମିକତା ଦେଇ ବଇଁଚା ଠାରେ ଏକ ହାଇ ଲେଭେଲ ବ୍ରିଜ ନିର୍ମାଣ ସହ ଟିଆଖିଆ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତି ଓ ଉନ୍ନତିକରଣ ପାଇଁ ନବ ଗଠିତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ସେହିକ୍ରମରେ ୧୨କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ଅଟକଳରେ ଆରମ୍ଭ ହୋଇଛି ବନ୍ୟାଂଚଳକୁ ସବୁଦିନିଆ ଯାତାୟତ ବ୍ୟବସ୍ଥାର ନିର୍ମାଣ କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ବଇଂଚା ଠାରୁ ଟିଆଖିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ରାସ୍ତାର ପ୍ରଶସ୍ତି ଓ ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏ ନେଇ ସ୍ଥାନୀୟ ବଇଁଚା ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦତ୍ତଯୋଗଦେଇ ପ୍ରକଳ୍ପର ଶୁଭ ଦେବା ସହ ବନ୍ୟାଂଚଳର ଜନସାଧାରଣଙ୍କ ପାଇଁ ପ୍ରଶସ୍ତ ରାସ୍ତା ସହ ହାଇ ଲେଭେଲ ବ୍ରିଜର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଗତ ବନ୍ୟା ସମୟରେ ଯାତାୟାତକୁ ନେଇ ଲୋକଙ୍କ ସମସ୍ୟା ଅନୁଧ୍ୟାନ ପୂର୍ବକ ବଇଂଚା ଠାରେ ଏକ ହାଇ ଲେଭେଲ ବ୍ରିଜ ନିର୍ମାଣ ପାଇଁ ବିଧାୟକ ଶ୍ରୀ ଦତ୍ତ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଗତ ଫେବୃଆରୀ ମାସରେ ପ୍ରାୟ ଏହି ବ୍ରିଜ ନିର୍ମାଣ ପାଇଁ ସେ ଶୁଭ ଦେଇଥିଲେ । ସମ୍ପ୍ରତି ବ୍ରିଜ୍ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ୧୫୦ଫୁଟ ଲମ୍ବର ଏହି ବ୍ରିଜରେ ୩ଟି ବକ୍ସ କଲଭର୍ଟ ମଧ୍ୟ ରହିଛି । ୧୯୭୦ ମସିହା ଯାଏଁ ବୁଢାବଳଙ୍କ ନଦୀ ବନ୍ୟାରେ ଜଳସ୍ତରକୁ ଦୃଷ୍ଟିରେ ରଖି ବ୍ରିଜର ଉଚ୍ଚତା ସ୍ଥିର କରାଯାଇଛି । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଏହି ବ୍ରିଜ୍ ନିର୍ମାଣ ଶେଷ ହୋଇ ଯାତାୟତ ପାଇଁ ଖୋଲାଯିବ ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଫଳରେ ଆସନ୍ତା ବର୍ଷା ଋତୁରେ ସାମ୍ଭାବ୍ୟ ବନ୍ୟା ଯୋଗୁଁ ଯାତାୟତ ବ୍ୟାହାତ ହେବାର ଆଶଙ୍କା ରହିବ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ରାସ୍ତା ନିର୍ମାଣକୁ ନେଇ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଡିଜାଇନ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୋଇନଥିଲା । ଦୀର୍ଘକାଳୀନ ଉପାଦେୟତାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ରାସ୍ତାର ଡିଜାଇନ୍ ସଂଶୋଧନ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ପଂଚାୟତଗୁଡ଼ିକର ସରପଂଚ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କ ସହ ଆଲୋଚନା ଭିତ୍ତିରେ ନୂତନ ଡିଜାଇନ୍ ପ୍ରସ୍ତୁତ ହେବା ପରେ ଏବେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି ବୋଲି ଶ୍ରୀ ଦତ୍ତ କହିଛନ୍ତି । ବଇଂଚା ଠାରୁ ଟିଆଖିଆ ପର୍ଯ୍ୟନ୍ତ ମୋଟ ପାଂଚ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୨କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି । ପୂର୍ବରୁ ରାସ୍ତାର ଓସାର ମାତ୍ର ୩.୭ମିଟର ଥିବା ବେଳେ ଏହାକୁ ୫.୫ମିଟରକୁ ବୃଦ୍ଧି କରାଯାଇଛି । ବନ୍ୟା ସମୟରେ ସାଧାରଣ ଲୋକଙ୍କ ଯାତାୟତରେ ଯେପରି କୌଣସି ସମସ୍ୟା ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ନିର୍ବାଚନ ବେଳେ ଲୋକଙ୍କୁ ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାହା ଆଜି ବାସ୍ତବତାର ରୂପ ନେଇଛି ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ବଇଁଚା ସରପଂଚ ରବିନାରାୟଣ ପ୍ରଧାନଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ (୨)ର ଅଧୀକ୍ଷଣ ଯନ୍ତ୍ରୀ ପୀନାକି ମିଶ୍ର, କନିଷ୍ଠ ଯନ୍ତ୍ରୀ ସୁନୀଲ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ପୂର୍ବତନ ସରପଂଚ ଅନିରୁଦ୍ଧ ପ୍ରଧାନ, ସିନ୍ଧିଆ ପଂଚାୟତ ସମିତି ସଭ୍ୟ ଅଞ୍ଜନ ପରିଡା ପ୍ରମୁଖ କାର୍ଯ୍ୟକ୍ରମରେ ମଂଚସୀନ ଥିଲେ । ବରିଷ୍ଠ ନେତା ଗୌରାଙ୍ଗ ଦାସ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବଇଁଚା ନାଏବ ସରପଂଚ ସୁଭଦ୍ରା ଖଟୁଆ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବିଧାୟକଙ୍କ ପ୍ରତିଶୃତି ରକ୍ଷାକୁ ସ୍ଥାନୀୟ ଅଂଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ଆଗାମୀ ବନ୍ୟାରେ ସେମାନେ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି । କାର୍ତ୍ତିକ ରାଉତ, ବାବୁଲା ଭୂୟାଁ, ରାଜେନ୍ଦ୍ର ଚାଟାର୍ଜୀ, ବିରେନ୍ଦ୍ର ସେନାପତି, ଧିରଜ ମହାନ୍ତି, ପ୍ରଶାନ୍ତ ବେହେରା, ମାନସୀ ମାଝୀ, ଅଜୟ ମାଝୀ, ଦୀପାରାଣୀ ମାଝୀ, ରାଜେନ୍ଦ୍ର ମାଝୀ, ଗାୟାତ୍ରୀ ମାଝୀ, ରାକେଶ ଖୁଂଟିଆ, ଶ୍ରୀନିବାସ ମହାଳିକ, ରାଜକିସୋର ଖଟୁଆ, ସଞ୍ଜୟ ପ୍ରଧାନ, ସଞ୍ଜୀବ ପ୍ରଧାନ, ସିଦ୍ଧେଶ୍ୱର ମାଝୀ, ଜଳଧର ମାଝୀ ପ୍ରମୁଖଙ୍କ ସହ ଶତାଧିକ ଅଂଚଳବାସୀ ଏଥିରେ ଉପସ୍ଥିତ ଥିଲେ ।