ଆସିକାରେ ଲେମ୍ବୁ ଦର ଆକାଶଛୁଆଁ

ଆସିକା  (ୱାଇଏନ୍‍ଏସ୍‍): ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଲେମ୍ବୁ ଦର ଆକାଶ ଛୁଆଁ ହୋଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ଆସିକା ଅଞ୍ଚଳରେ ଗୋଟିଏ ଲେମ୍ବୁ ଖୁଚୁରା ବଜାରରେ ୨ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଗତ କିଛି ଦିନ ହେଲା ଲେମ୍ବୁଦର ଆଶାତୀତ ଭାବେ ବୃଦ୍ଧି ପାଇ ଗୋଟିଏ ଲେମ୍ବୁର ଦାମ୍ ୭ ରୁ ୮ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ରୌଦ୍ର ତାପ ଦିନ କୁ ଦିନ ବଢି ଚାଲିଥିଲା ବେଳେ ଲେମ୍ବୁର ଚାହିଦା ମଧ୍ୟ ସେହି ତୁଳନାରେ ବୃଦ୍ଧି ପାଇଥାଏ। ତେବେ ଖରାଦିନରେ ଲେମ୍ବୁ ଦର ଆକାଶ ଛୁଆଁ ହୋଇଥିବାରୁ ଲେମ୍ବୁ ପାଣି ପିଇବା ସାଧାରଣ ଜନତାଙ୍କ ପକ୍ଷେ କଷ୍ଟକର ହୋଇ ପଡିଛି। ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳରେ ବହୁ ଚାଷୀ ଲେମ୍ବୁ ଫସଲ ଉତ୍ପାଦନ କରୁଥିଲା ବେଳେ ଚଳିତ ବର୍ଷ କେତେକ କାରଣରୁ ଲେମ୍ବୁ ଉତ୍ପାଦନ ବାଧା ପ୍ରାପ୍ତ ହୋଇଥିବା ଯୋଗୁଁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଲେମ୍ବୁ ଆସୁଥିବା ଜଣାପଡିଛି। ଲେମ୍ବୁର ଦର ବୃଦ୍ଧି ପାଇ ଚାଲିଥିବା ଯୋଗୁଁ ଖାଇବା ଥାଳିରୁ ପାଟି ସୁଆଦ ପାଇଁ ଆବଶ୍ୟକ ହେଉଥିବା ଲେମ୍ବୁ ଗାଏବ୍ ହୋଇ ଗଲାଣି। ଏପରିକି ସାଲାଡ୍‌ରେ ମଧ୍ୟ ଲେମ୍ବୁର ସ୍ୱାଦ ଦେଖିବାକୁ ମିଳୁନି। ଗ୍ରୀଷ୍ମ ଋଚୁରେ ଲେମ୍ବରୁ ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଥିବାରୁ କେତେକ ଗ୍ରାହାକ ବାଧ୍ୟ ହୋଇ ଚଢାଦରରେ ଲେମ୍ବୁ କିଣୁଥିବା ଅଭିଯୋଗ ହେଉଛି । ଗ୍ରୀଷ୍ମଋତୁ ଆସିଲେ ଲେମ୍ବୁର ଚାହିଦା ଅତିମାତ୍ରାରେ ବୃଦ୍ଧି ପାଇଥାଏ । ଲେମ୍ବୁ ଦର ଆସିକାରେ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ଆଗକୁ ଆହୁରି ବଢିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଲେମ୍ବୁ ଚାଷ ପାଇଁ ଭଲ ଜଳବାୟୁ ଥିଲେ ବି କମ୍‍ ଚାଷ କାରଣରୁ ବିଗତ କିଛି ବର୍ଷ ହେଲା ଗ୍ରୀଷ୍ମଋତୁରେ ଦରବୃଦ୍ଧି ଘଟିବାରେ ଲାଗିଛି । ଖରାଦିନ ପରେ ପୁଣି ଲେମ୍ବୁ ଦର ହ୍ରାସ ପାଇବାର ନଜିର୍‍ ରହିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ବର୍ଦ୍ଧିତ ଲେମ୍ବୁ ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ