ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଦାବୀ ପତ୍ର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ପାଂଚଦଫା ସମ୍ବଳିତ ଦାବିପତ୍ର ରାଜ୍ୟର ବିଭିନ୍ନ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲାର ଶତାଧିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବରେ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ । ଶିକ୍ଷକମାନଙ୍କର ଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟ ଶାସନସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରଥିଲେ । ଏହି ଦାବୀଗୁଡ଼ିକ ମଧ୍ୟରେ ଦୀର୍ଘ ତିରିଶ ବର୍ଷ କାର୍ଯ୍ୟକରି ବିନା ପାରିଶ୍ରମିକରେ ଖଟୁଥିବା ବିଦ୍ୟାଳୟଗୁଡ଼ିକ ଯେପରିକି ୨୦୧୩ ଅନୁଦାନ ଆଇନ୍ରୁ ବାଦ୍ ପଡ଼ିଥିବା ୧୯୪ଟି ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରୁ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ସହିତ ପେନ୍ସନ୍ ଓ ଅବସରକାଳୀନ ସୁବିଧା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ପଦବୀ ପୂରଣ, ବିଭିନ୍ନ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିିକ ଶିକ୍ଷକମାନଙ୍କୁ ଛଅଟି ନୋସନାଲ୍ ଇନ୍କ୍ରିମେଂଟ ସହିତ ବରିଷ୍ଠତା ପ୍ରଦାନ ଓ ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ସରକାରୀକରଣ ଆଦି ରହିଥିଲା । ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତଥା ଓଷ୍ଟା ସଂପାଦକ ରଞ୍ଜନ କୁମାର ଘଡେଇଙ୍କ ଆହ୍ୱାନରେ ଓଷ୍ଟା ସଭାପତି ମନ୍ମଥନାଥ ମହାନ୍ତ,ରାଜ୍ୟ ଓଷ୍ଟା ସହ ସଂପାଦକ ମୃତୁ୍ୟଞ୍ଜୟ ପଲେଇ,ରାଜ୍ୟ କାର୍ଯ୍ୟକାରିଣୀ ସମିତି ସଭ୍ୟ ଜ୍ଞାନରଞ୍ଜନ ଦେଓ,ଓଷ୍ଟା ଜିଲ୍ଲା ନବ ନିର୍ବାଚିତ କାର୍ଯ୍ୟକାରୀ ସଭାପତି ସୁଧାକର ପଣ୍ଡା,ଉପସଭାପତି ବୈକୁଣ୍ଠ ମହାନ୍ତ,ମନୋଜ କୁମାର ପଣ୍ଡା,ପୁଷ୍ପାଞ୍ଜଳୀ ମିଶ୍ର,ଯୁଗ୍ମ ସଂପାଦକ ଅଜ୍ଞାନ କୁମାର ଚାନ୍ଦ,ଅନିରୁଦ୍ଧ ସେଠୀ,ଲାବଣ୍ୟବତୀ ମହାନ୍ତ,କାର୍ଯ୍ୟକାରୀ ସମିତି ସଭ୍ୟ/ସଭ୍ୟା,ବିଭିନ୍ନ ବ୍ଲକର ସଂପାଦକ,ସଭାପତି ତଥା ଓଷ୍ଟାର ସଂଗ୍ରାମୀ ଶିକ୍ଷକ,ଶିକ୍ଷୟିତ୍ରୀ,କେନ୍ଦୁଝର ଜିଲ୍ଲା ଅଲ୍ ଓଷ୍ଟା ସଭାପତି ଅଭୟ କୁମାର ଜେନା,ମାଦ୍ରାସା ଶିକ୍ଷକ ସଂଗଠନର ସଭାପତି ମୁଦ୍ଦାସିର,ଜିଲ୍ଲା ଉପଦେଷ୍ଟା ଶାନ୍ତନୁ କୁମାର ମିଶ୍ର,ରଘୁନାଥ ବେହେରା,କ୍ଷୀରୋଦ ରାଉତ ତଥା ଜିଲ୍ଲାର ବହୁଳ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଯୋଗ ଦେଇଥିଲେ ।