ହାତୀଆଡ଼ି ଗାଁ ରାସ୍ତା ଶୀଘ୍ର ସାରିବାକୁ ବିଡ଼ିଓଙ୍କୁ ଦାବୀପତ୍ର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଳକ କରପଡା ପଞ୍ଚାୟତ ନୂଆବନ୍ଧପଲ୍ଲୀ ଗ୍ରାମକୁ ପକ୍କା ରାସ୍ତା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।କରପଡା ଗ୍ରାମ ଠାରୁ ଉକ୍ତ ଜନଜାତି ବହୁଳ  ଗ୍ରାମକୁ ସଂଯୋଗ କରୁଥିବା  ମାଟି ରାସ୍ତାଟି ଦୀର୍ଘ ଦିନ ଧରି ଅତି ଦୟନୀୟ ଅବସ୍ଥାରେ ରହିଛି । ଗ୍ରାମରେ ୫ ଶହରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ପ୍ରତ୍ୟେକ ଦିନ ସେମାନେ ଯାତାୟାତ ନିମନ୍ତେ ଏହି ରାସ୍ତା ଉପରେ ନିର୍ଭରଶୀଳ ରହିଥାନ୍ତି । ମରାମତି ଅଭାବରୁ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ବର୍ଷା ହେଲେ ରାସ୍ତା ର ଗର୍ତ୍ତ ମାନଙ୍କରେ ପାଣି ଜମି ରହିବା ଦ୍ବାରା ଯାତାୟତ କରୁଥିବା ପଥଚାରୀ ମାନେ ଜାଣି ନପାରି ପଡ଼ିଯାଇ ଖଣ୍ଡିଆ ଖାବରା ହେଉଛନ୍ତି।  ଗୁରୁବାର  ଆଇନଜୀବି ଶ୍ରୀକାନ୍ତ ପାଢୀଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଗ୍ରାମବାସୀ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଅନାମିକା ପାଣ୍ଡେ ଙ୍କୁ ତାଙ୍କ ପ୍ରକୋଷ୍ଠ ରେ ସାକ୍ଷାତ କରି ସବିଶେଷ ଆଲୋଚନା କରିବା ସହ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ କରପଡ଼ା ପଞ୍ଚାୟତ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ଙ୍କୁ ପଚାରିବାରୁ ଉକ୍ତ ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗ୍ରାମର ଝାଙ୍କିରି ମନ୍ଦିର,ବ୍ରାହ୍ମଣଦେଇ ମନ୍ଦିର ଭାୟା ବୃନ୍ଦାବନ ପଲ୍ଲୀ ଦେଇ କରପଡା – ବଡ଼ ଡୁମ୍ବୁଳା ମୁଖ୍ୟରାସ୍ତା କୁ ସଂଯୋଗ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ସରିବା ପରେ ପ୍ରଶାସନିକ ଅନୁମୋଦନ ମିଳି ସାରିଛି।ଖୁବଶୀଘ୍ର ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ଆହ୍ବାନ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି। ସବୁଠାରୁ ବିଡମ୍ବନା ର ବିଷୟ କରପଡ଼ା ଗ୍ରାମ ଠାରୁ ହାତୀଆଡ଼ି ଗ୍ରାମ କୁ ସଂଯୋଗୀକରଣ ରାସ୍ତା ର ମାତ୍ର ୧ ଶହ ଫୁଟ ରାସ୍ତା ଦୀର୍ଘ ୩୦ ବର୍ଷ ହେଲା ନିର୍ମାଣ ହୋଇପାରୁଥିବା କାରଣରୁ ଲୋକେ ଦହଗଞ୍ଜ ହେଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।ସରକାର ପରେ ସରକାର ବଦଳୁଛି। କିନ୍ତୁ ଜମି ଅଧିଗ୍ରହଣ ସରିଥିଲେ ମଧ୍ୟ ହାତୀଆଡ଼ି ଗାଁ ର ଉକ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ।ଛାତ୍ରୀ ଛାତ୍ର ମାନେ ସ୍କୁଲ କଲେଜ ଯିବା ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ର ସମ୍ମୁଖୀନ ହେଉଛନ୍ତି।ବୃଦ୍ଧା ବୃଦ୍ଧ ମାନେ ଭତ୍ତା,ରାସନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବାକୁ ହେଲେ ଭାୟା ଚୁଡୁଙ୍ଗପୁର ଦୀର୍ଘ ରାସ୍ତା ଦେଇ କରପଡ଼ା ଯା ଆସ କରୁଛନ୍ତି। ଏନେଇ ସେ ବାରମ୍ବାର ଜିଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ନିକଟରେ ଦୃଢ଼ ଦାବି କରି ଆସୁଥିଲେ ମଧ୍ୟ ସେଥିପ୍ରତି କେହି ହେଲେ କର୍ଣ୍ଣପାତ କରୁ ନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ଥାନୀୟ ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ଏଥିରେ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ