ପ୍ରଚଣ୍ଡ ଗରମ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ

ବେତନଟୀ, (ଉଦିତ କୁମାର ପରିଡା): ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂର୍ବାହ୍ନ ୧୧ଟା ପରେ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି। ରାସ୍ତାଘାଟ ଶୂନ୍‌ଶାନ ହୋଇପଡୁଛି। ବୁଧବାର ବେତନଟୀରେ ତାପମାତ୍ରା ୪୦ଡିଗ୍ରୀରୁ ଉର୍ଦ୍ଧ ରହିଥିଲା।ଏଣୁ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଲୋକେ ଘରୁ ବାହାରୁ ନ ଥିବାରୁ ବେତନଟୀରେ ଏକାଧିକ ଦୋକାନ ପ୍ରାୟ ବନ୍ଦ ରହୁଥିବା ଦେଖିବାକୁ ମିଳିଛି। ସେହିପରି ଗ୍ରୀଷ୍ମ ପ୍ରଭାବ ଯୋଗୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଏବଂ ୧୦ ତାରିଖରୁ ସକାଳୁଆ ସରକାରୀ କାର୍ଯ୍ୟାଳୟ, କୋର୍ଟ ଚାଲୁ ରହିଥିଲା ବେଳେ ପ୍ରଚଣ୍ଡ ଖରା ଯୋଗୁଁ ୨୩ତାରିଖରୁ ସ୍କୁଲ କଲେଜ ସରକାର ଛୁଟି ଘୋଷଣା କରିଛନ୍ତି । ଖରାକୁ ଭୟ କରି ପ୍ରାୟ ଲୋକେ କୌଣସି ଜରୁରୀ କାମ ନଥିଲେ ବାହାରୁନଥିବା ଦେଖାଯାଇଛି। ଅସହ୍ୟ ଗରମ ପାଇଁ ଆଉ ଲୋକେ କାମ ନଥିଲେ ଅଫିସ ବି ଆସୁନାହାନ୍ତି ଏଣୁ ପ୍ରାୟ ଅଫିସ ଫାଙ୍କା ରହୁଛି। ପୂର୍ବରୁ ବଙ୍ଗାଳଛକରେ ବସ ପାଇଁ ଦିନତମାମ ଗହଳି ଲାଗି ରହୁଥିବା ବେଳେ ଏବେ ଜନଶୂନ୍ଯ ରହୁଛି। ଏପରିକି ବସଗୁଡିକରେ ବିନା ଯାତ୍ରୀରେ ବାଲେଶ୍ୱର, ଭୁବନେଶ୍ବର ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ସେହିପରି ବ୍ୟବସାୟୀମାନେ କୁହନ୍ତି, ଖରା ଯୋଗୁ ଗ୍ରାହକମାନେ ଦୋକାନ ଆସୁନାହାନ୍ତି, ଦିନସାରା ବେପାର ନାହିଁ। ଅନ୍ୟପଟେ ଖରା ଯୋଗୁ ମୃଦୁ ଥଣ୍ଡା ପାନୀୟ, ଆଖୁରସ, ତରଭୁଜ, ତାଳସଜର ଚାହିଦା ବୃଦ୍ଧି ପାଇଛି। ସକାଳୁ ବେତନଟୀ ବିଭିନ୍ନ ଛକରେ ଆଖୁରସ ଆଗରେ ଯାତ୍ରୀମାନେ ଭିଡ଼ ଜମାଉଛନ୍ତି। ଇଲେକ୍ଟ୍ରୋନିକ୍ସ ଦୋକାନରେ ଏସି ର ବିକ୍ରି ବଢିଛି। ଲୋକେ ଏବେ ଦୋକାନ ଓ ଘରେ ନିହାତି ଏ ସି ଟିଏ ଲଗାଉଛନ୍ତି। ସେହିପରି ପୁରୁଣା ବସ୍‌ଷ୍ଟାଣ୍ଡ, ବଙ୍ଗାଳଛକ, ହାଟ ଛକ, ଥାନା ଛକ, ବ୍ଲକ ଛକ ଆଦି ସ୍ଥାନରେ ମୃଦୁ ଥଣ୍ଡାପାନୀୟର ଚାହିଦା ବଢ଼ିଛି। ଲସିସେଣ୍ଟର ଗୁଡିକରେ ମଧ୍ୟ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ସେହିପରି ବିଭିନ୍ନ ଛକରେ ଅଧିକାଂଶ ସମୟରେ ତାଳସଜ ବିକ୍ରି ହେଉଛି। ସେହିପରି ବିଭିନ୍ନ ସ୍ଥାନରେ ତରଭୁଜର ପସରା ମେଲିଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ