୧୨ ବର୍ଷ ହେଲା ଝୁଲୁଛି ତାଲା: ଅନିଶ୍ଚିତତା ଘେରରେ ବାଲାଜୀ ସୂତାକଳ ଶ୍ରମିକଙ୍କ ଭାଗ୍ୟ

ଆସିକା (ୱାଇଏନ୍‍ଏସ୍‍): ସମଗ୍ର ଗଂଜାମ ଜିଲ୍ଲାରେ ସମବାୟ ନଗରୀ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକାର ବାଲାଜୀ ସୂତାକଳ ଇତିହାସ ପାଲଟିବାକୁ ଯାଉଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଅତୀତରେ ଏହି ସୂତାକଳ ଆସିକା ଅଞ୍ଚଳର ୧ ହଜାରରୁ ଅଧିକ ପରିବାରକୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ରୋଜଗାର ଯୋଗାଇ ଦେଉଥିଲା । ଦୀର୍ଘ ପ୍ରାୟ ୧୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ବନ୍ଦ ହୋଇପଡିଥିବା ଆସିକା ବାଲାଜୀ ସୂତାକଳକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇଆସୁଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳୁପାରୁ ନାହିଁ । ଘରୋଇ ମାଲିକାନାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅତୀତରେ ପରିଚାଳିତ ହୋଇ ଆସିଥିବା ସ୍ଥାନୀୟ ବାଲାଜୀ ସୂତାକଳରେ କାର୍ଯ୍ୟରତ ଥିବା ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ଭାଗ୍ୟ ଓ ଭବିଷ୍ୟତ ଅନିଶ୍ଚିତତା ଘେରରେ ରହିଥିବା ଜଣାପଡିଛି । ସୂତାକଳ ଚାଲିବାରେ ଅନିଶ୍ଚିତତା ଲାଗି ରହିଥିବାରୁ ପରିବାର ପ୍ରତିପୋଷଣ ପାଇଁ କାର୍ଯ୍ୟରତ ଥିବା ଶ୍ରମିକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ କେତେକ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ଅଧୀନସ୍ଥ ତତ୍କାଳୀନ ଆସିକା ସୂତାକଳକୁ ୨୦୦୬ ମସିହାରେ ରାଜ୍ୟ ସରକାର କୋଲକତାର ଜଜ୍ ଡିଷ୍ଟ୍ରିବ୍ୟୁଟର ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଶାଗମାଛ ଦରରେ ବିକ୍ରୀ କରିବା ପରେ ଏହି କମ୍ପାନୀ ସୂତାକଳର ନୂତନ ନାମକୁ ବାଲାଜୀ ସ୍ପିନିଂ ଦେଇ କାର୍ଯ୍ୟକ୍ଷମ କରିଥିଲା । ଏହି ସୂତାକଳରେ ୯ଟି ବିଭାଗରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ଗତ ୨୦୧୩ ମସିହା ଅକ୍ଟୋବର ମାସ ୧୨ ତାରିଖରେ ଘଟିଥିବା ପ୍ରଳୟଙ୍କରୀ ମହାବାତ୍ୟାଜନିତ ବିପର୍ଯ୍ୟୟ ପରେ ବାଲାଜୀ ସୂତାକଳରେ ପର୍ଯ୍ୟାପ୍ତ କ୍ଷତି ହୋଇଥିବା ଆଳରେ ସୂତାକଳ କର୍ତ୍ତୃପକ୍ଷ ସୂତାକଳକୁ ବନ୍ଦ କରି ରଖିଛନ୍ତି । ଦୀର୍ଘ ୧୨ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଘରୋଇ ମାଲିକାନାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ବାଲାଜୀ ସୂତାକଳରେ ତାଲା ପଡିରହିବା ଫଳରେ ବହୁ ଶ୍ରମିକ କାମଧନ୍ଦା ହରାଇ ନାନା ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ପ୍ରଳୟଙ୍କରୀ ମହାବାତ୍ୟାକୁ ଇତି ମଧ୍ୟରେ ୧୨ ବର୍ଷ ପୁରିଯାଇଥିଲେ ମଧ୍ୟ ବାଲାଜୀ ସୂତାକଳ କୌଣସି କାରଣରୁ ବନ୍ଦ ରହିଛି । ଅପର ପକ୍ଷରେ ସୂତାକଳରେ ସୂତା ଉତ୍ପାଦନ ସାଙ୍ଗକୁ ଅନ୍ୟାନ୍ୟ ମେସିନରେ ଲାଗିଥିବା ମୂଲ୍ୟବାନ ଯନ୍ତ୍ରାଂଶକୁ ସୂତାକଳ କର୍ତ୍ତୃପକ୍ଷ ବାହାର କରି ଅନ୍ୟତ୍ର ନେଇଯାଇଥିବା କେତେକ ମହଲରେ ମଧ୍ୟ ମତ ପ୍ରକାଶ ପାଉଛି । ଦୀର୍ଘବର୍ଷ ହେଲା ସ୍ୱଳ୍ପ ମଜୁରୀରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ଶ୍ରମଜୀବୀ ପରିବାର ମାତ୍ର ୧୫୦ ଟଙ୍କାରୁ ୨୦୫ ଟଙ୍କା ଦୈନିକ ମଜୁରୀରେ କାର୍ଯ୍ୟ କରିଆସୁଥିଲେ । ରାଜ୍ୟର ରାୟଗଡା ଓ କେସିଙ୍ଗା ଅଞ୍ଚଳରୁ ସୁଲଭ ମୂଲ୍ୟରେ କପା ଅଣାଯାଇ ସ୍ଥାନୀୟ ବାଲାଜୀ ସୂତାକଳରୁ ଉନ୍ନତ ମାନରସୂତା ଉତ୍ପାଦନ କରାଯାଇ ହରିୟାନା, କୋଲକତା ସମେତ ସ୍ଥାନୀୟ ବଜାରରେ ମଧ୍ୟ ଏହି ସୂତାକୁ ବିକ୍ରୀ କରାଯାଉଥିଲା । ସୂତାକଳରେ କାର୍ଯ୍ୟରତ ଶ୍ରମିକମାନେ କଠିନ ପରିଶ୍ରମ କରି ଉନ୍ନତ ମାନର ସୂତା ଉତ୍ପାଦନ କାର୍ଯ୍ୟରେ ନିୟୋଜିତ ଥିଲା ବେଳେ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ୱ ଦିନ ହେଲା ଏହି ସୂତାକଳ ବନ୍ଦ ରହିବା ଫଳରେ କେତେକ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ବାବେ ଚାଲିଯାଇଥିବା ବେଳେ ଅନ୍ୟ କେତେକ ଶ୍ରମିକ ଭାଗ୍ୟକୁ ଆଦରି ପଡିରହିଛନ୍ତି । ସୂତାକଳକୁ କାର୍ଯ୍ୟକ୍ଷମ କରିବା ଦିଗରେ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ନୀରବଦ୍ରଷ୍ଟା ସାଜି ରହିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିଲା ବେଳେ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନେତାମାନଙ୍କ ଭୂମିକାକୁ ମଧ୍ୟ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । ୨୦୧୩ ମସିହାରୁ ସଂପୁର୍ଣ୍ଣ ରୂପେ ବନ୍ଦ ହୋଇ ତାଲା ଝୁଲୁଥିବା ଆସିକା ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ ଓ ଆଧୁନିକୀକରଣ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଆସିକା ବାଲାଜୀ ସୂତାକଳ ପୁଣି କାର୍ଯ୍ୟକ୍ଷମ ହେଲେ ଆସିକା ସହର ତଥା ଏହାର ଆଖପାଖ ଅଂଚଳର ଶ୍ରମିକମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ନଯାଇ ନିଯୁକ୍ତିର ସୁଯୋଗ ପାଇବେ ବୋଲି ଆଲୋଚିତ ହେଉଛି । ଦୀର୍ଘ ପ୍ରାୟ ୧୨ ବର୍ଷ ଧରି ସୂତାକଳରେ ତାଲା ପଡିରହିବା ଯୋଗୁଁ ପରିବେଶରେ କୃତ୍ରିମ ଜଂଗଲ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଶ୍ରମଜିବୀ ପରିବାରଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ତୁରନ୍ତ ସୂତାକଳ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ରାଘବ କୁମାର ନାହାକ ଅନୁରୋଧ କରିଛନ୍ତି । ଆସିକା କଲେଜଛକ ସ୍ଥିତ ବାଲାଜୀ ସୂତାକଳ ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ନା ଏକ ଇତିହାସ ପାଲଟିଯିବ ତାହାକୁ ନେଇ ସଚେତନ ନାଗରିକ ମହଲରେ ଚର୍ଚ୍ଚା ଜୋର୍‍ ଧରିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ