ନିର୍ମାଣ ପରଠୁ ଶୌଚାଳୟରେ ଝୁଲୁଛି ତାଲା! ବୃଦ୍ଧି ପାଉଛି ଜନ ଅସନ୍ତୋଷ
ଆସିକା (ୱାଇଏନ୍ଏସ୍) : ଜନସାଧାରଣଙ୍କ ସୁବିଧା ଲାଗି ଆସିକା ଏନ୍ଏସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରଘୁନାଥନଗର ଛକ, ଖମ୍ବେଶ୍ୱରୀପାଟଣା ସ୍ଥିତ ରାମେଶ୍ୱର ମନ୍ଦିର ପରିସର ଏବଂ ଘରୋଇ ବସଷ୍ଟାଣ୍ଡ ସମେତ କେତେକ ଅଞ୍ଚଳରେ ଗତ କିଛି ଦିନ ତଳେ ନିର୍ମାଣ କରାଯାଇଥିବା ଅଧିକାଂଶ ଶୌଚାଳୟରେ ତାଲା ଝୁଲୁଥିବା ବେଳେ କେଉଁ କାରଣରୁ ସେଗୁଡିକୁ କାର୍ଯ୍ୟକ୍ଷମ କରାଯାଉନି ତାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ସହରର କେତେକ ଅଞ୍ଚଳରେ ଗତ କିଛି ଦିନ ତଳେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ନିର୍ମାଣ କରାଯାଇଥିବା ଶୌଚାଳୟ ଗୁଡିକ କୌଣସି କାରଣରୁ ମାସ ମାସ ଧରି ତାଲା ଝୁଲି ରହିବା ସାଙ୍ଗକୁ ଲୋକଙ୍କ ସେବାରେ ଆସୁନଥିବା ବେଳେ ରାସ୍ତାକଡ ପାଲଟିଛି ମୁକ୍ତାକାଶ ପରିସ୍ରାଗାର ବୋଲି ଚର୍ଚ୍ଚା ହେଉଛି । ମାସ ମାସ ଧରି ରଘୁନାଥନଗର ଛକ, ରାମେଶ୍ୱର ମନ୍ଦିର ପରିସର ଓ ଘରୋଇ ବସଷ୍ଟାଣ୍ଡ ସମେତ ଅନ୍ୟ କେତେକ ଶୌଚାଳୟ ଗୁଡିକରେ ତାଲା ଝୁଲୁଥିଲେ ମଧ୍ୟ ନିର୍ବାଚିତ ପ୍ରତିନିଧିମାନଙ୍କ ନୀରବତାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି । ଅପର ପକ୍ଷରେ ସହରର କେତେକ ସ୍ଥାନରେ ଗତ କିଛି ଦିନ ମଧ୍ୟରେ ନିର୍ମାଣ କରାଯାଇଥିବା ଶୌଚାଳୟ ଗୁଡିକରେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ଦର୍ଶାଯାଇ ବିଲ୍ କରାଯାଇଛି ବୋଲି ଗଳିକନ୍ଦିରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ମାସ ମାସ ଧରି ତାଲୁ ଝୁଲୁଥିବା ଶୌଚାଳୟ ଗୁଡିକ କେବେ ବ୍ୟବହାର ଉପଯୋଗ ହେବ ଓ ସାଧାରଣ ଜନତାଙ୍କ ସେବାରେ ଲାଗିବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଏନ୍ଏସିର ରଘୁନାଥନଗର ଛକ ଓ ଖମ୍ବେଶ୍ୱରୀପାଟଣାରେ ରାମେଶ୍ୱର ମନ୍ଦିର ପରିସର ସମେତ ଅନ୍ୟାନ୍ୟ ସ୍ଥାନରେ ଗତ କିଛି ଦିନ ମଧ୍ୟରେ ନିର୍ମାଣ କରାଯାଇଥିବା ଶୌଚାଳୟ ଗୁଡିକ ଯେପରି କାର୍ଯ୍ୟକ୍ଷମ ହେବ ସେ ଦିଗରେ ପଦକ୍ଷେପ ନେବା ସାଙ୍ଗକୁ ଶୌଚାଳୟ ନିର୍ମାଣ ପାଇଁ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଖର୍ଚ୍ଚ ଅଭିଯୋଗର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ବହୁ ଗୁମର କଥା ପଦାରେ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।