ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା ” ମଙ୍ଗଳା

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ଜଗତଜନନୀ ମା “ମଙ୍ଗଳା ଙ୍କ ଜନ୍ମ ମହୋତ୍ସବ ପାଳିତ ହୋଇଛି। ଯାହାକୁ ପ୍ରସିଦ୍ଧ ନେତ୍ର ଉତ୍ସବ ବୋଲି କୁହାଯାଏ। ପ୍ରଥମ ପାଳି ଯାତ୍ରାରେ ମା “ଙ୍କ ମନ୍ଦିର ଚୂଡାରେ ବନ୍ଧା ହୋଇଥିବା ପୁରୁଣା ନେତକୁ ବଦଳାଯାଇ ନୂଆ ନେତ ବନ୍ଧା ଯିବାର ପରମ୍ପରା ରହିଛି। ମା’ ଙ୍କ ଜନ୍ମୋତ୍ସବ ରେ ମା ମଙ୍ଗଳା ଭକ୍ତଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି। ଖବର ମୁତାବକ,ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଝାମୁଯାତ୍ରାର ପ୍ରଥମ ପର୍ବ। ପ୍ରଥମ ପାଳି ଯାତ୍ରା ପାଈଁ ମନ୍ଦିର ଟ୍ରଷ୍ଟ ତରଫରୁ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୧ଘ ୩୦ମିନିଟ ରେ ଦ୍ୱାର ଫିଟା ଓ ମଙ୍ଗଳଆଳତୀ, ୧ଘ ୩୫ମିନିଟ ରୁ ୩ଘ ୩୦ମିନିଟ ମଧ୍ୟରେ ସ୍ନାନ, ମାଜଣା, ବେଶ ଓ ଚନ୍ଦନଲାଗି ଏହା ପରେ ସୂର୍ଯ୍ୟ ପୂଜା, ବଲ୍ଳଭ ଧୂପ, ସକାଳ ଧୂପ ପରେ ମଙ୍ଗଳବାର ସକାଳ ୫ଘ ୩୦ମିନିଟ ରେ ସାହାଣ ମେଳା ଓ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ସମୟରେ ପାଳିଆ ପୂଜା ପଣ୍ଡା ଏକ ପିତ୍ତଳ ଥାଳି ରେ ନୂତନ ନେତ ଓ ଚକ୍ର ମାଜଣା ସାମଗ୍ରୀ ଧରି ମନ୍ଦିରରେ ୩ଥର ବେଢା ପରିକ୍ରମା କରିଥାନ୍ତି। ଏହି ସମୟରେ ଘଣ୍ଟ, କାହାଳି, ମୃଦଙ୍ଗ ସାଙ୍ଗକୁ ଯାଦବଙ୍କ ଲଉଡ଼ି ଖେଳ, କାଳସୀ ମାନଙ୍କ ନୃତ୍ୟ ଓ ବିଭିନ୍ନ ରଙ୍ଗର ଅବିରରେ ରଙ୍ଗୀନ ହୋଇଥିଲା ମନ୍ଦିର ପରିସର। ପୂଜା ପଣ୍ଡା ବେଢା ପରିକ୍ରମା କରି ସାରିବା ପରେ ଅନ୍ୟ ସେବାୟତ ମାନଙ୍କ ହସ୍ତରେ ନେତକୁ ନେଇ ଯାଇଥାନ୍ତି। ସେବାୟତ ମାନେ ମନ୍ଦିର ଉପରେ ଚଢି ପ୍ରଥମେ ଚୁଆ, ହଳଦୀ ଆଦିରେ ଚକ୍ରକୁ ମାଜଣା କରନ୍ତି ଏବଂ ନୂତନ ନେତକୁ ବାନ୍ଧି ଦିଅନ୍ତି।ମନ୍ଦିର ବେଢାରେ ଭକ୍ତି ମୟ ପରିବେଶ ସୃଷ୍ଟି କରିଥାଏ। କାରଣ ମା ଙ୍କ ମନ୍ଦିର ର ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ଠିକ ଏହି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ରେ ହିଁ ପ୍ରତିଷ୍ଠା କରାଯାଇ ନେତ ବନ୍ଧାଯାଇଥିଲା। ତେଣୁ ପ୍ରଥମ ପାଳିଯାତ୍ରାରେ ନେତ୍ରୋତ୍ସବ ପରମ୍ପରା ମଙ୍ଗଳା ମନ୍ଦିରରେ ଅନନ୍ୟ।ଏହା ସହ ମା ‘ଙ୍କ ନେତ୍ର ଉତ୍ସବରେ ମା ଶାରଳା ପୀଠରୁ ଆସିଥିବା ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣି ତୋଳି ମା ‘ଙ୍କ ସମ୍ମୁଖରେ ଘଣ୍ଟ ପାଟୁଆ ନୃତ୍ୟ କରି ମାସ ତମାମ ମା ‘ଙ୍କ ମହିମା ପ୍ରଚାର କରି ବିଭିନ୍ନ ଗାଁ ପରିକ୍ରମା କରିଥାନ୍ତି। ଚୈତ୍ର ମାସର ମଙ୍ଗଳବାରରେ ପୁରପଲ୍ଲୀରେ ବ୍ରତଧାରୀ ମହିଳା ମାନେ ପନ୍ଥେଇ ନିର୍ମାଣ କରି ନଡ଼ିଆ, କଦଳୀ, କ୍ଷୀର ଓ ହଳଦୀ ପାଣିରେ ମା ‘ଙ୍କ ନାମରେ ବ୍ରତରଖି ପୂଜା ଆରମ୍ଭ କରିଥାନ୍ତି। ମାନସିକ ଧାରୀ ମହିଳାମାନେ ମା ‘ମଙ୍ଗଳାଙ୍କ ଉଦେଶ୍ୟରେ ମନ୍ଦିର ପ୍ରାଙ୍ଗଣରେ ପଣା, ଧୂପଦୀପ ଓ ନୈବେଦ୍ୟ ଦେଈ ପୂଜା କରିଥାନ୍ତି। ନେତ୍ର ଉତ୍ସବରେ ମା” ମଙ୍ଗଳା ଙ୍କ ରାଜରାଜେଶ୍ୱରୀ ବେଶ କରାଯାଏ। ମା ‘ଙ୍କ ଏହି ଦୁଲ୍ଳଭ ବେଶ ଦର୍ଶନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲା। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ମନ୍ଦିର ପରିସରରେ ସ୍ୱତନ୍ତ୍ର ବ୍ୟାରିକେଟ କରାଯିବା ସହ ପୁଲିସ ମୁତୟନ କରାଯାଇଥିଲା। କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା, ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ, କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ସହ ଅନ୍ୟକର୍ମକର୍ତ୍ତା ମାନେ ସ୍ଥିତି ଅନୁଧ୍ୟାନ କରିଥିଲେ। ମା ‘ଙ୍କ ଏହି ବେଶ ଦର୍ଶନ ପାଈଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟେ କାକଟପୁର କୁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ