ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ, ଗ୍ରାମ ପରିକ୍ରମା କଲା ମା’ଙ୍କ ବିଗ୍ରହ
ହାଟଡିହି (ବିକାଶ ବିଶ୍ବାଳ): ଛେନାପଦି ଗ୍ରାମର ଥାନପତି ମନ୍ଦିର କମିଟି ପକ୍ଷରୁ ଅସିଆ ଗ୍ରାମ ନିକଟରେ ନବ ନିର୍ମିତ ମା’ମଙ୍ଗଳା ମନ୍ଦିରର ପ୍ରତିଷ୍ଠା ଉତ୍ସବ ୨୭ତାରିଖରୁ ଆରମ୍ଭ ହୋଇଛି। ୪ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବ ପାଇଁ ୨୭ତାରିଖ ଦିନ ଅଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟ କରାଯିବା ସହ ୨୮ରେ କଳଶ ଯାତ୍ରା, ରତ୍ନମୁଦ ପ୍ରତିଷ୍ଠା କରାଯାଇଥିଲା। ଚୈତନ ଚରଣ ସା, ଶାନ୍ତିଲତା ସା କର୍ତ୍ତା ଭାବେ ପୂଜା କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ବିଜୟ କୁମାର ସା, ବିଶୋଇ ଅମାତ, କାଠିଆ ସ୍ୱାଇଁ, ଘନିଆ ଅମାତ, ସୁଧାକର ସା, ଗଣେଶ ଦେହୁରୀ, ବିଶୁ ଅମାତ, କ୍ଷେତ୍ରବାସୀ ମହାନ୍ତି, ସୁଦର୍ଶନ ସାହୁ ପ୍ରମୁଖ ସହକର୍ତ୍ତା ଭାବେ ସାମିଲ ହୋଇଛନ୍ତି। ପଣ୍ଡିତ ଗୋପବନ୍ଧୁ ପାଣିଗ୍ରାହୀ, ନାରାୟଣ ତ୍ରିପାଠୀ, ଜଗନ୍ନାଥ ମିଶ୍ର, ଚିନ୍ତାମଣି ପଣ୍ଡା, ଶିବାନନ୍ଦ କରଙ୍କ ବେଦମନ୍ତ୍ରରେ ପ୍ରତିଷ୍ଠା କାର୍ଯ୍ୟ ଚାଲୁ ରହିଛି। ଆଜି ମନ୍ଦିର ପ୍ରତିଷ୍ଠା ସହ ମା’ମଙ୍ଗଳାଙ୍କ ବିଗ୍ରହ ଗ୍ରାମ ପରିକ୍ରମା କରିଥିଲା। ଶହଶହ ଶ୍ରଦ୍ଧାଳୁଙ୍କ ସମାଗମରେ ମା’ଙ୍କ ବିଗ୍ରହ ଅସିଆ, ବଡ଼ତୀରା, ଛେନାପଦି, ଗଳି ଗୋପାଳପୁର ଆଦି ଗ୍ରାମ ପରିକ୍ରମା କରିଥିଲା। ବିଗ୍ରହ ପରିକ୍ରମା ବେଳେ ଗ୍ରାମଗୁଡିକରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଜି ସନ୍ଧ୍ୟାରେ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଛି। ମନ୍ଦିର କମିଟି ପକ୍ଷରୁ ଅନୁପ୍ରସାଦ ବଣ୍ଟନ କରାଯାଉଛି। ଆସନ୍ତା କାଲି ବିଗ୍ରହ ସ୍ଥାପନ କରାଯିବା ସହ ପୂର୍ଣ୍ଣାହୂତି ପ୍ରଦାନ କରାଯିବ। ଏଥିପାଇଁ ମନ୍ଦିର ପରିସରକୁ ସୁସଜ୍ଜିତ କରଯାଇଛି।


