‘ମା’ ପାଟଣେଶ୍ୱରୀ’ ସ୍ମରଣିକା ଉନ୍ମୋଚିତ : ପାଟଣେଶ୍ୱରୀ ମହୋତ୍ସବ–୨୦୨୬ ଉଦଯାପିତ

ବଲାଙ୍ଗିର (ଓ୍ବାଇଏନଏସ) : ଗତ ୧ ତାରିଖରୁ ଚାରି ଦିନ ବ୍ୟାପି ଅନୁଷ୍ଠିତ ପାଟଣେଶ୍ୱରୀ ମହୋତ୍ସବ–୨୦୨୬ ବୁଧବାର ସାରଗର୍ଭିତ କାର୍ଯ୍ୟକ୍ରମ ସହିତ  ଉଦଯାପିତ   ହୋଇଯାଇଛି। ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଓ ପାଟଣେଶ୍ୱରୀ କଳା ପରିଷଦ, ବଲାଙ୍ଗିର ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିର ବଲାଙ୍ଗିରରେ ପ୍ରତିଷ୍ଠା ହୋଇଥିବାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଥିଲା। ବୁଧବାର ଆୟୋଜିତ ଉଦ୍ୟାପନୀ ସମାରୋହ ଆୟୋଜକ କମିଟିର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଟଣା ମହାରାଜ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସୁରକ୍ଷା କମିଟିର କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ ମଞ୍ଚାସୀନ ଥିଲେ। କମିଟିର ସଂପାଦକ ପ୍ରଶାନ୍ତ ମହାକୁର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅର୍ଜୁନ ସାହୁ ସଭା ପରିଚାଳନା କରିଥିଲେ। ସଭାପତି ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂହଦେଓ ପ୍ରଥମେ ମା’ ପାଟଣେଶ୍ୱରୀଙ୍କ ଦର୍ଶନ କରି ତିନି ଦିନ ବ୍ୟାପି ଚାଲିଥିବା ଯଜ୍ଞରେ ଆହୁତି ପ୍ରଦାନ କରି ପୂର୍ଣ୍ଣାହୁତି ସମ୍ପନ୍ନ କରିଥିଲେ। ନୂତନ ନିର୍ମିତ ଯଜ୍ଞମଣ୍ଡପକୁ ସର୍ବସାଧାରଣ ବ୍ୟବହାର ପାଇଁ ଉଦ୍‌ଘାଟନ କରାଯାଇଥିଲା। ପରେ ସେ ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ସ୍ୱର୍ଗତ ପୃଥ୍ୱୀରାଜ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସମାରୋହରେ ଅତିଥିମାନେ ମହୋତ୍ସବ ସ୍ମରଣିକା ‘ମା’ ପାଟଣେଶ୍ୱରୀ’ ଓ ଡ. ସୀମାରାଣୀ ରଥଙ୍କ ରଚିତ ଗବେଷଣା ପୁସ୍ତକ ‘ଜ୍ଞାନୋଦୟ – ଦ ଡନ୍ ଅଫ ତାନ୍ତ୍ରିକ ୱିଜଡମ୍ ଫ୍ରମ ଓଡିଶା’ ଉନ୍ମୋଚନ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସକାଳେ ବିଭିନ୍ନ ଦେବୀପୀଠରୁ ଆସିଥିବା ବରୁଆମାନେ ସୁଲିଆ, ବୁଢାଦେଓ, ପାଟଖଣ୍ଡା, କନ୍ଧେନ ବୁଢି, ସାଉନ୍ତେଇ, କୁଶଙ୍ଗାଇ ଓ ମାହେଶ୍ୱରୀ ନଗର ପରିକ୍ରମା କରି ମା’ ପାଟଣେଶ୍ୱରୀଙ୍କ ଦର୍ଶନ କରିଥିଲେ। ୮୪ ଘର ଜିଲ୍ଲା ଅଘରିଆ ସମାଜ ପକ୍ଷରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ମା’ ସମଲେଶ୍ୱରୀ ଚୌହାନ ବଂଶର କୁଳଦେବୀ ହୋଇଥିବା ବେଳେ ମା’ ପାଟଣେଶ୍ୱରୀ ଅନାଦିକାଳରୁ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ। ତେଣୁ ଏହି ମହୋତ୍ସବକୁ କେବଳ ୧୫୦ ବର୍ଷ ପୂର୍ତ୍ତିରେ ସୀମିତ ନ ରଖି ପ୍ରତିବର୍ଷ ଆୟୋଜନ କରାଯିବା ଉଚିତ।  ତିନି ଦିନ ବ୍ୟାପି ସନ୍ଧ୍ୟା ସମୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଞ୍ଚମ ଅନୁଷ୍ଠାନ ପକ୍ଷରୁ ଭଜନ ସମାରୋହ, ରୁଗୁଡିପଡା ଦୁର୍ଗାପୂଜା କମିଟି ପକ୍ଷରୁ ମହାଆଳତି, ପରାୟଣ ଗାୟକ ଇପ୍ସିତ ମିଶ୍ରଙ୍କ ସତସଙ୍ଗ ଏବଂ ସମ୍ବଲପୁର କଳାକେନ୍ଦ୍ର ସହ ସଂଜ୍ୟୋତ କଳା କେନ୍ଦ୍ର, ବଲାଙ୍ଗିର ପକ୍ଷରୁ ଲୋକନୃତ୍ୟ ପରିବେଷଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ