ବେତନଟୀ ବନାଞ୍ଚଳରେ ମାଫିଆଙ୍କ ଦ୍ୱାରା ଶାଳଗଛ ଲୁଟ: ବଢୁଛି ଗ୍ରାମବାସୀଙ୍କ ଅସନ୍ତୋଷ

ବେତନଟୀ ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବନାଞ୍ଚକ ଅଧୀନ ଭାଲିଆ ପ୍ରସ୍ତାବିତ ସଂରକ୍ଷିତ ଶାଳ ଜଙ୍ଗଲର ଶାଳ ଗଛ ମାଫିଆଙ୍କ ଦ୍ୱାରା ଲୁଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ଭାଲିଆ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚୋରା କାଠ ବ୍ୟବସାୟୀମାନେ ନିର୍ଭୟରେ ଜଙ୍ଗଲରେ ପଶି ଶାଳ ଗଛ କାଟି ବାଲେଶ୍ୱର ଅଞ୍ଚଳକୁ ଲୁଟ କରି ନେଉଥିବା ବେଳେ ବେତନଟୀ ବନ ବିଭାଗ କିପରି ସୂଚନା ପାଉନାହିଁ ବୋଲି ପ୍ରଶ୍ନ ଉଠାଇ ଛନ୍ତି। ଏହି କାଠ ଚୋରି ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ବେତନଟୀ ଫୋରେଷ୍ଟର ପ୍ରଶାନ୍ତ ସିଂ ସାମନ୍ତ ସଦଳବଳେ ଭାଲିଆ ସଂରକ୍ଷିତ ଶାଳ ଜଙ୍ଗଲ ଚଢ଼ାଉ କରିଥିବା ବେଳେ କାଠ ମାଫିଆମାନେ ଫୋରେଷ୍ଟରଙ୍କୁ ଦେଖି ଚମ୍ପଟ ମାରିଥିଲେ। ଏହି କାଠ ମାଫିଆମାନେ ସାତଟି ମୂଲ୍ୟବାନ ବଡ ଶାଳ ଗଛ କାଟି ୨୧ଟି ଗଡ଼ କରି ବାଲେଶ୍ୱର ଅଭିମୁଖେ ଚାଲାଣ ପାଇଁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ଟିମ ଚଢ଼ାଉ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ ବନବିଭାଗ ଧରିପାରି ନଥିବା ବେଳେ ଜବତ ହୋଇଥିବା କାଠ ଗଣ୍ଡିକୁ ଦୁର୍ଗାପୁର ବିଟ ହାଉସ ନିକଟରେ ରଖାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଏହି କାଠ ମାଫିଆମାନେ ନିକଟ ଅତୀତରେ ଦୁର୍ଗାପୁର ବିଟ ହାଉସ ଅଧୀନ ଚିଲବସା, କରମଶୋଳ ଓ ଭାଲିଆ ଅଂଚଳରୁ ଗଛ କାଟି ବୈଶିଙ୍ଗା ଦେଇ ବାଲେଶ୍ୱରକୁ ଚାଲାଣ କରୁଛନ୍ତି। ଏସମ୍ପର୍କରେ ବେତନଟୀ ଫୋରେଷ୍ଟର ପ୍ରଶାନ୍ତ କୁମାର ସିଂ ସାମନ୍ତଙ୍କୁ ପଚାରିବାରୁ କହନ୍ତି ଗଛ କଟାଯାଉଥୁବା ଖବର ପାଇ ଆମ୍ଭେ ସାଙ୍ଗେ ସାଙ୍ଗେ ଚଢ଼ାଉ କରିଥିଲୁ, ଗ୍ରାମବାସୀ ଏଥିପାଇଁ ସହଯୋଗ କଲେ ଚୋରା କାଠ ବେପାରୀଙ୍କୁ ଧରାଯାଇପାରିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ