ମହର୍ଷି ବେଦବ୍ୟାସଙ୍କର ପବିତ୍ର ଜନ୍ମଦିନ ଓ ଗୁରୁପୂର୍ଣ୍ଣିମା ପାଳିତ
ବାଲେଶ୍ୱର (ସରୋଜ ପଣ୍ଡା):ମହର୍ଷି ବେଦବ୍ୟାସଙ୍କର ପବିତ୍ର ଜନ୍ମଦିନ, ଗୁରୁପୂର୍ଣ୍ଣିମା ଉତ୍ସବ ହୋଲିଷ୍ଟିକ୍ ହିଲିଙ୍ଗ୍ ଯୋଗଶିକ୍ଷାକେନ୍ଦ୍ର, ବାଲେଶ୍ୱର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି। ବ୍ରାହ୍ମମୁହୂର୍ତ୍ତରେ ଅଖଣ୍ଡ ଧ୍ୟାନରେ ଯୋଗକେନ୍ଦ୍ରର ଶତାଧିକ ସାଧକ ସାଧିକା ଶାନ୍ତିର ଅପାର ଆନନ୍ଦ ନେଇଥିଲେ। ପରେପରେ ଏକ ଯୋଗ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ କେନ୍ଦ୍ରର ସାଧିକା ଶ୍ରୀମତୀ ଜୟନ୍ତୀ ନାୟକ ଓ ଶ୍ରୀମତୀ ସୁଜାତା ପଣ୍ଡା ପରିଚାଳନା କରିଥିଲେ। ସମସ୍ତେ ଏକ ଅଖଣ୍ଡ ୧୦୮ ଓମ୍ ପବିତ୍ର ଧ୍ୱନୀର ଜପ କରି ନିଜ ମନର ସ୍ଥିରତାକୁ ବହୁଗୁଣିତ କରିଥିଲେ। ଯୋଗ ଓ ଯଜ୍ଞ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ଏକ ଅଗ୍ନିହୋତ୍ର ମହାଯଜ୍ଞ ଯୋଗଗୁରୁ ସୁଜିତ୍ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଘୃତାହୁତି ମାଧ୍ୟମରେ ସମସ୍ତେ ନିଜ ଭିତର ଅବଗୁଣକୁ ଏଥିରେ ଆହୁତି ଦେଇ ପରବର୍ତ୍ତୀ ଜୀବନକୁ ସରସ ସୁନ୍ଦର କରି ସମାଜର ସେବା କରିବାରେ ବ୍ରତୀ ହୋଇଥବଲେ। ଯୋଗ ପ୍ରାଣାୟାମ ଅଭ୍ୟାସ ସହିତ ଗୁରୁପୂଜନ ଉତ୍ସବ ପାଳିତ ହୋଇଥିଲା। ସଭାରେ ଯୋଗକେନ୍ଦ୍ରର ସଭାପତି ଡ. ଜୟସ୍ମିତା ନାୟକ ଅଧ୍ୟକ୍ଷତା କରି ଗୁରୁପୂର୍ଣ୍ଣିମାର ଉପାଦେୟତା ବିଷୟରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷ ଯୋଗଦେଇ ଗୁରୁପୂଜା ଓ ଯୋଗ ଅଭ୍ୟାସର ସମନ୍ୱୟ ବିଷୟରେ ଏକ ସାରଗର୍ଭକ ଭାଷଣ ରଖିଥିଲେ। ଅଧ୍ୟକ୍ଷଙ୍କର ସହଧର୍ମିଣୀ ଶ୍ରୀମତୀ ରୀନା ଘୋଷ ମୁଖ୍ୟବକ୍ତା ଭାବରେ ସମାଜରେ ଏଭଳି ଆଧ୍ୟାମିôକ କାର୍ଯ୍ୟକ୍ରମ ଦ୍ୱାରା ପରମ୍ପରାର ପୁନରୁଦ୍ଧାର ହୋଇପାରିବ ବୋଲି କହିଥିଲେ। ଯୋଗକେନ୍ଦ୍ରର ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଶ୍ରୀ ସୂର୍ଯ୍ୟନାରାୟଣ ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମାନୀତ ଅତିଥିଭାବେ ପିଞ୍ଛାବଣିଆ ଗୁରୁକୂଳ ଆଶ୍ରମର ସଂଚାଳକ ଶ୍ରୀ ବିଜୟଜୀ ଓ ଧ୍ୱନୀ ପ୍ରତିଧ୍ୱନୀର ମୁଖ୍ୟ ସାମ୍ବାଦିକ ଶ୍ରୀ ସୃଷ୍ଟିଧର ପରିଡ଼ା ସେମାନଙ୍କର ଆଶୀଷ ପ୍ରବଚନ ପ୍ରଦାନ କରିଥିଲେ।
ଏହାପରେ ‘ବୃକ୍ଷ ହିଁ ଜୀବନ’କୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନହଟ ଗବଗାଁ ଛକରେ ଅବସ୍ଥିତ ସାଇ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଔଷଧୀୟ ଓ ଫଳଗଛ ରୋପଣ କରାଯାଇଥିଲା। ପିଲାମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଗୁରୁଜୀ ମଧୁସୂଦନ ମିଶ୍ର ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକୁ କେନ୍ଦ୍ରର ଉପସଭାପତି, ରୀତା ରାଉତ, ଦୀପ୍ତିବନ୍ତ ଦାସ, ସହସମ୍ପାଦକ ଧ୍ରୁବ ଚରଣ ବେହେରା, ସୁଶ୍ରୀ ରୀତୁ, ଅନୁରାଗ, ସଞ୍ଜୟ, ମଧୁସ୍ମିତା, କ୍ରିଷ୍ଣା, ରଣଜିତ୍, କବିତା, ମାନସୀ, ଗୀତା ପ୍ରମୁଖ ପରିଚାଳନା କରିଥିଲେ।