ନାହିଁ ନାହିଁରେ ଚାଲିଛି ମାଳତିଦେବି ବାଳିକା ହାଇସ୍କୁଲ

ହାଟଡିହି (ଓ୍ବାଇଏନଏସ) : ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଅନେକ ନୂତନ ସ୍କୁଲ ଖୋଲି ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ପୂର୍ବରୁ ଗ୍ରାମବାସୀଙ୍କ ଉଦ୍ୟମରେ ଖୋଲା ଯାଇଥିବା ସ୍କୁଲ ଗୁଡ଼ିକର ଉନ୍ନତୀ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ରୁ ଅନେକ ସ୍କୁଲ ଏବେ ବନ୍ଦ ହେବାକୁ ବସିଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଡ଼ ରମ୍ପାସରେ ଥିବା ମାଳତୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟରେ ୩ଟି ଶ୍ରେଣୀ ଥିବାବେଳେ ୧୧୮ଜଣ ଛାତ୍ରୀ ଅଧ୍ୟୟନ କରନ୍ତି। ପୂର୍ବରୁ ସମସ୍ତ ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ ଥିବା ବେଳେ ଦୁଇ ଜଣଙ୍କୁ ଛାଡି ଅନ୍ୟ ସମସ୍ତେ ଅବସର ନେଇ ସାରିଲେଣି। ଏବେ ମାତ୍ର ଦୁଇଜଣ ଶିକ୍ଷୟିତ୍ରୀ ରେ ବିଦ୍ୟାଳୟଟି ଚାଲିଛି। ପ୍ରଧାନ ଶିକ୍ଷୟତ୍ରୀ ଗଣିତ ପଢ଼ାଉ ଥିବା ବେଳେ ସେ ଅଧିକାଂଶ ସମୟ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଅନ୍ୟ ଜଣେ ସଂସ୍କୃତ ଶିକ୍ଷୟତ୍ରୀ ଅଛନ୍ତି। ଫଳରେ ବିଜ୍ଞାନ, ହିନ୍ଦି, ଓଡିଆ, ଇଂରାଜୀ, ଭୂଗୋଳ, ଇତିହାସ ବିଷୟ କିପରି ପଢା ହେଉଥିବ ତାହା ସହଜରେ ଅନୁମେୟ। ଶିକ୍ଷାବର୍ଷ ର ତିନିମାସ ଅତିକ୍ରମ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ସବୁ ବିଷୟରେ ପାଠ ପଢ଼ା ଆରମ୍ଭ ହୋଇ ପାରିନି। ସରକାର ଅତିଥି ଶିକ୍ଷକ ଦେବେ ବୋଲି ଘୋଷଣା କରିଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଶିକ୍ଷକ ନିଯୁକ୍ତି ହୋଇ ପାରୁନି। ଫଳରେ ଶିକ୍ଷାଦାନ ଏକ ପ୍ରକାର ଠପ୍ ହୋଇ ଯାଇଛି। ସେହିପରି ତିନୋଟି ଶ୍ରେଣୀ ପାଇଁ ମାତ୍ର ଦୁଇଟି ଶ୍ରେଣୀ ଗୃହ ଥିବାରୁ ମଝିରେ ପାଲ ଟଙ୍ଗା ଯାଇ କୋଠରୀ ଭାଗ କରାଯାଇ ଛୁଆ ମାନଙ୍କୁ ବସାଯାଉଛି। ଗୋଟିଏ ସ୍ମାର୍ଟ କ୍ଲାସ ରୁମ ଥିଲେ ବି ଶିକ୍ଷକ ଶିକ୍ଷୟତ୍ରୀ ନଥିବାରୁ ତାହା ବ୍ୟବହାର ହୋଇ ପାରୁନି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପରିଚାଳନା କମିଟି ଏଥର ଦୁଇଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଠିକାରେ ରଖି ଶିକ୍ଷାଦାନର ବ୍ୟବସ୍ଥା କରାଇଛନ୍ତି। ସେହିପରି ଗତ ସରକାର ସମୟରେ ୩ବର୍ଷ ତଳେ ୩୦ଲକ୍ଷ ଟଙ୍କାରେ ଶ୍ରେଣୀଗୃହ ନିର୍ମିତ ହୋଇଥିବା ବେଳେ ଫାଇଭ ଟି ରେ ପାଖାପାଖି ୫୦ଲକ୍ଷ ଟଙ୍କା ଯୋଗାଇ ଦିଆ ଯାଇଥିଲେ ବି ତାହା ଅଧା ପାନ୍ତରିଆ ହୋଇ ପଡ଼ି ରହିଛି। କେବଳ ସ୍କୁଲ ଗେଟ ଓ ଅନ୍ୟ କିଛି ମରାମତି କରି ୧୧ଲକ୍ଷ ଉଠାଣ ହୋଇଥିବା ଜଣାପଡ଼ିଛି। ସାଇକେଲ ଷ୍ଟାଣ୍ଡ, ଶୌଚାଳୟ, ପାନୀୟ ଜଳ, ମଲ୍ଟି ପର୍ପୋଜ୍ ହଲ, ଖେଳ ପଡିଆ ଆଦି ନଥିବାରୁ ଛାତ୍ରୀମାନେ ଏସବୁରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ