ବିବାହର ପ୍ରତିଶ୍ରୁତି ପରେ ନାବାଳିକାଙ୍କ ସହ ସମ୍ପର୍କ, ଯୁବକ ଗିରଫ

କଟକ, (ଓ୍ବାଇଏନଏସ): ଇନ୍‌ଷ୍ଟାଗ୍ରାମରେ ନାବାଳିକାଙ୍କ ସହିତ ପ୍ରେମ, ବିବାହର ପ୍ରତିଶ୍ରୁତି ଦେଇ ହୋଟେଲ୍‌ରେ ଶାରୀରିକ ସମ୍ପର୍କ ଓ ସାବାଳକ ହେବା ପରେ ବାହା ହେବାକୁ ମନା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଏ ସଂପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ସିଡିଏଫେଜ୍-୨ ଥାନା ପୁଲିସ ଅଭିଯୁକ୍ତକୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ସରୋଜ କୁମାର ମଲ୍ଲିକକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ସରୋଜ ଗତ ୭ ବର୍ଷ ପୂର୍ବେ ଇନ୍‌ଷ୍ଟାଗ୍ରାମ୍‌ରେ ଚୌଦ୍ୱାରରେ ରହୁଥିବା ଜଣେ ନାବାଳିକାଙ୍କ ସହିତ ସାଙ୍ଗ ହୋଇଥିଲା । କିଛିବର୍ଷ ଏହି ପ୍ଲାଟ୍‌ଫର୍ମରେ ଚାଟିଂ କଲା ପରେ ଫୋନ୍‌ରେ କଥା ଆରମ୍ଭ ହେଲା । ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ଗତ ଅଢ଼େଇ ବର୍ଷ ପୂର୍ବର ଘଟଣା । ଅଭିଯୁକ୍ତ ସରୋଜ ନାବାଳିକାଙ୍କୁ ସିଡିଏ ଅଞ୍ଚଳକୁ ଡକାଇଥିଲା । ନାବାଳିକା ଆସିବା ପରେ ସରୋଜ ତାଙ୍କୁ ଏକ ହୋଟେଲ୍‌କୁ ନେଇଯାଇଥିଲା । ସେଠାରେ ଶାରୀରିକ ସମ୍ପର୍କ ରଖିଲା ଏବଂ ଏହାକୁ ଫୋନ୍‌ରେ ରେକର୍ଡ ମଧ୍ୟ କଲା । ପରେ ଏଭଳି ଆଉ ଦୁଇଥର ହୋଟୋଲ୍‌କୁ ଡାକି ଶାରୀରିକ ସମ୍ପର୍କ ସ୍ଥାପନ କଲା । ଏହା ମଧ୍ୟରେ ନାବାଳିକାଙ୍କ ବୟସ ପ୍ରାୟ ୧୯ ହୋଇସାରିଛି। ସରୋଜଙ୍କୁ ବାହା ହେବା ପାଇଁ ଯୁବତୀ ପରିବାର ଲୋକଙ୍କୁ କହିବାରୁ ପରିବାର ଲୋକ ମଧ୍ୟ ଗ୍ରହଣ କରିଥିଲେ । କିଛି ଦିନ ପରେ ସରୋଜ ବାହା ହେବାକୁ ମନା କରିଦେଲା । ତେଣୁ ଯୁବତୀଙ୍କ ପରିବାର ଅନ୍ୟତ୍ର ବାହାଘର ଠିକ୍ କଲେ । କିନ୍ତୁ ବାହାଘର ଠିକ ହୋଇଥିବା ଯୁବକଙ୍କ ମୋବାଇଲ୍ ନମ୍ବର ସଂଗ୍ରହ କରି ସରୋଜ ତାଙ୍କ ହ୍ୱାଟ୍ସଆପ୍‌ରେ ଉକ୍ତ ହୋଟେଲ୍ ରୁମ୍‌ର ଶାରୀରିକ ସମ୍ପର୍କ ସମୟର ଭିଡିଓ ପଠାଇ ଦେଇଥିଲେ । ଏହା ପରେ ଯୁବତୀଙ୍କର ବାହାଘର ଭାଙ୍ଗି ଯାଇଥିଲା । ଏଭଳି ସ୍ଥିତିରେ ଯୁବତୀଙ୍କ ପରିବାର ସିଡିଏ ଫେଜ୍-୨ଥାନାରେ ଏତଲା ଦାୟର କଲେ । ଘର ଚୌଦ୍ୱାର ହୋଇଥିଲେ ମଧ୍ୟ ଉକ୍ତ ଶାରୀରିକ ସମ୍ପର୍କ ରଖିବା ଓ ଭିଡିଓ ରେକଡିଂ ଘଟଣା ସିଡିଏରେ ହୋଇଥିବାରୁ ଏଠାରେ ମାମଲା ହେଲା । ପୁଲିସ ଏହାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସରୋଜ ମଲ୍ଲିକକୁ ଗତକାଲି ଗିରଫ କରିବା ସହିତ ତା’ଠାରୁ ମୋବାଇଲ୍ ଫୋନ୍ ଜବତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ