ଆସନ୍ତା ୧୯ରେ ‘ମନା’ ୧୦ମ ବାର୍ଷିକ ସମ୍ମିଳନୀ

ବାଲେଶ୍ୱର,(ସରୋଜ ପଣ୍ଡା): ରାଜ୍ୟସରକାରଙ୍କ ଅବକାରୀ ବିଭାଗ ଚଳିତବର୍ଷ ସହର ଓ ଗ୍ରାମାଞ୍ଚଳରେ ନୂତନ ମଦ ଦୋକାନ ନ ଖୋଲିବା ପ୍ରସ୍ତାବକୁ ‘ମନା’ ( ମିଳିତ ନିଶା ନିବାରଣ ଅଭିଯାନ) କମିଟିର ଶୁକ୍ରବାର ଦିନ ଅନୁଷ୍ଠିତ ମାସିକ ବୈଠକରେ ସ୍ୱାଗତ କରାଯାଇଛି। କିନ୍ତୁ ରାଜ୍ୟ ସରକାରଙ୍କ ପରିଚାଳିତ ପର୍ଯ୍ୟଟନ ନିଗମ ଜରିଆରେ ସମୁଦ୍ର ବେଳାଭୂମିରେ ମଦ କୁଡ଼ିଆ ଆଳରେ ନୂତନ ମଦ ଦୋକାନ ଖୋଲିବାକୁ ବୈଠକରେ ଦୃଢ଼ ବିରୋଧ କରାଯାଇଛି। ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ବୈଠକରେ ଦାବି କରାଯାଇଛି। ବାଲେଶ୍ୱର ଉପକୂଳରେ କୌଣସି ମଦ ଦୋକାନ ଖୋଲାଇ ଦିଆଯିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ସଂଗଠନ ଆସନ୍ତା ସମ୍ମିଳନୀର ସାଧାରଣ ସଭାରେ ଏ ସଂପର୍କରେ ଆଗାମୀ ପ୍ରତିବାଦ ଆନ୍ଦୋଳନ ନିମିତ୍ତ ନିଷ୍ପତ୍ତି ନିଆଯିବ ବୋଲି ସାଧାରଣ ସଂପାଦିକା ମମତା ମହାପାତ୍ର ମତ ଦେବାପରେ ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଶୁକ୍ରବାର ଦିନ ଅପରାହ୍ନରେ ‘ମନା’ର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୧୦ମ ବାର୍ଷିକ ସମ୍ମିଳନୀ ପୂର୍ବନିଷ୍ପତ୍ତି ଅନୁଯାୟୀ ଚଳିତ ମାସ ୧୯ ତାରିଖ ଦିନ ଏ.ସି.ପି.ଏଲ୍‌. ସଭାଗୃହରେ ଦିନ ୧୦ଟାରେ ଅନୁଷ୍ଠିତ ହେବ। ଏହି ଅବସରରେ ସଂଗଠନର ମୁଖପତ୍ର ଉଦ୍‌ଘାଟନ ହେବ। ଜିଲ୍ଲାର ସମସ୍ତ ବ୍ଲକ୍ କମିଟି ଓ ଶାଖା କମିଟିର ପ୍ରତିନିଧିଙ୍କ ସମେତ ନିଶା ବିରୋଧରେ କାର୍ଯ୍ୟ କରୁଥିବା ସଂଗଠନ ଓ ବ୍ୟକ୍ତିବିଶେଷ ଯୋଗଦେବାକୁ ବୈଠକରେ ନିବେଦନ କରାଯାଇଛି। ଏହି ସମ୍ମିଳନୀର ସାଧାରଣ ସଭାରେ ଅତିଥି ଓ ବକ୍ତାଭାବେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାକୁ ସମ୍ମତି ଜଣାଇଛନ୍ତି। ଆସନ୍ତା ସମ୍ମିଳନୀର ସଫଳତା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି। ବୈଠକରେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଆୟବ୍ୟୟର ହିସାବ ଆଗତ କରିଥିଲେ।
ଏହି ବୈଠକରେ ବରିଷ୍ଠ ଉପଦେଷ୍ଠା ସୁବ୍ରତ କରଙ୍କ ସମେତ ସର୍ବଶ୍ରୀ କୁମୁଦ ରଂଜନ ଗିରି, ତ୍ରିଦିପ ନାୟକ, ରମେଶ ଚନ୍ଦ୍ର ଜେନା, ଡ. କେଶବ ଚରଣ ପଣ୍ଡା, ଯୋଗେଶ ଚନ୍ଦ୍ର ପ୍ରଧାନ, ଭାରତୀ ପଣ୍ଡା, ଦୟାନିଧି ମହାପାତ୍ର, ଲକ୍ଷ୍ମଣ ବିଶ୍ୱାଳ, ରବିନାରାୟଣ ଭୋଳ, ଗୀତାଞ୍ଜଳି ସିଂହ, ବସନ୍ତ ପ୍ରଧାନ, କବି ପ୍ରଭାକର ସାହୁ, ସନାତନ ଦାସ, ସୁନାମଣି ଜେନା, କବିତା ଜେନା, କଲ୍ୟାଣୀ ନନ୍ଦ, ଅର୍ଚ୍ଚନା ନନ୍ଦୀ, ସଂଜୟ ପଣ୍ଡା, ଭାସ୍କର ଚନ୍ଦ୍ର ମିଶ୍ର, ଅକ୍ଷୟ ତ୍ରିପାଠୀ, ଗୌରାଙ୍ଗ ପାଣିଗ୍ରାହୀ, ଜଗନ୍ନାଥ ସାହୁ, ଡ. କ୍ଷିତୀଶ୍ୱର ଦାଶ, ଅବନ୍ତୀ ପ୍ରଧାନ ଓ ଶୁଭଙ୍କର ମହାପାତ୍ର ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରିଥିଲେ। ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ