ଏସ. ଲିଙ୍ଗରାଜଙ୍କ ସମେତ ବହୁ ନେତା ବିଜେପିରେ ସାମିଲ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ଯୁବ ସଭାପତିଙ୍କ ସମେତ ତାଙ୍କର ବହୁ ସମର୍ଥକ ଆଜି ବିଜେଡି ଦଳ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଛନ୍ତି. ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ବିଜେପି ଦଳର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି. ବିଜେପି ଜିଲ୍ଲା ସଭାପତିଙ୍କ ଅଧକ୍ଷତାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗଜପତି ଜିଲ୍ଲା ବିଜେପିର ପ୍ରଭାରୀ ବିଶ୍ୱେଶ୍ଵର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରଳାର ପୂର୍ବତନ ବିଧାୟକ ତଥା ରାଜ୍ୟ ଉପସଭାପତି କେ.ନାରାୟଣ ରାଓ, ବରିଷ୍ଠ ବିଜେପି ନେତା ପ୍ରଶାନ୍ତ ମଲ୍ଲିକ, ପାରଳା ମୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ ତଥା ବରିଷ୍ଠ ବିଜେପି ନେତା ନରସିଂହ ପଟ୍ଟନାୟକଙ୍କ ସମେତ ବହୁ ବିଜେପି ନେତା ଏଥିରେ ସାମିଲ ହୋଇଥିଲେ. ଆଜିର ଏହି ମିଶ୍ରଣ ପର୍ବରେ ଗଜପତିର ପୂର୍ବତନ ବିଜେଡି ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜଙ୍କ ସମେତ ତାଙ୍କର ବହୁ ସମର୍ଥକ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ. ବିଜେପି ଦଳକୁ ଗଜପତି ଜିଲ୍ଲାରେ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ମୁଁ ବିଜେପିରେ ସାମିଲ ହେଲି ବୋଲି ଶ୍ରୀ ଲିଙ୍ଗରାଜ ପ୍ରକାଶ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ଜନ ହିତକର କାର୍ଯ୍ୟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକଶିତ ଓଡ଼ିଶାର ସମସ୍ତ ବାର୍ତ୍ତାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇ ଗଜପତି ଜିଲ୍ଲାରେ ବିଜେପି ଦଳର ସଂଗଠନ ଆହୁରି ମଜବୁତ କରିବା ପାଇଁ କାର୍ଯ୍ୟ କରିଵି. ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ଵରୁ ବରିଷ୍ଠ ନେତା ଲିଙ୍ଗରାଜ ଓ ତାଙ୍କ ସହ ବହୁ ନେତା ଓ ସମର୍ଥକ ବିଜେପିରେ ସାମିଲ ହୋଇଥିବା ଯୋଗୁଁ ଆଗାମୀ ନିର୍ବାଚନ ଗୁଡିକରେ ବିଜେପି ଦଳ ବହୁତ ଭଲ ପ୍ରଦଶନ କରିବ ବୋଲି ମୁଖ୍ୟ ଅତିଥି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଟୁଡୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି.


