ମାରଦା ମନ୍ଦିର ପରିଚାଳନା ପରିଷଦର ବୈଠକ

ପୋଲସରା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଚାଳନା ପରିଷଦର ଏକ ବୈଠକ ଏପ୍ରିଲ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ପରିଷଦର ଉପ ସଭାପତି ତଥା ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକକୁ ପରିଷଦର ସମ୍ପାଦକ ତଥା ଆବାହକ ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ର ସଂଯୋଜନା କରିଥିଲେ । ମାରଦା ଜଗନ୍ନାଥ ମନ୍ଦିରର ଦୈନନ୍ଦିନ ପରିଚାଳନା ନିମନ୍ତେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଭୋଗନୀତିକୁ ପୁନଃ ପ୍ରଚଳନ କରିବା ନିମନ୍ତେ ୬୫୦ ଟଙ୍କାର ଏକ ଅଟକଳ  ପ୍ରସ୍ତୁତ ହୋଇଥିଲା। ଏହା ସହିତ ବିଦ୍ୟୁତ ବିଲ ପୈଠ, ମନ୍ଦିର ପରିସରରେ ଥିବା ଉଦ୍ୟାନର ରକ୍ଷଣାବେକ୍ଷଣ, ମନ୍ଦିରର ସୁରକ୍ଷା ସହିତ ସ୍ଥାୟୀ କାର୍ଯ୍ୟାଳୟ, ମନ୍ଦିରରେ ପାଳନ ହେଉଥିବା ୪ଟି ଯାତନୀତି ପାଇଁ ୨୫ ହଜାର ଟଙ୍କାର ବ୍ୟୟ ଅଟକଳ, ସରକାରୀ ବସକୁ ମନ୍ଦିରର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଚଳାଚଳ, ପ୍ରମୁଖ ବିଷୟ ସମ୍ପର୍କରେ ଆଲୋଚନା ହୋଇଥିଲା । ମନ୍ଦିରର ଆୟ ବୃଦ୍ଧି ସହ ନିଜସ୍ଵ ପରିଚାଳନା ନିମନ୍ତେ ବ୍ୟକ୍ତିଗତ ଦାନରାଶି ସଂଗ୍ରହ କରାଯିବ, ଯାହାକୁ ମାରଦା ପରିଚାଳନା ପରିଷଦର ତଦାରଖରେ ଉନ୍ନୟନ ପରିଷଦ କାର୍ଯ୍ୟକାରୀ କରିବ । ମାରଦା ମନ୍ଦିରକୁ ଗଞ୍ଜାମ ଜିଲ୍ଲାପାଳ ବ୍ୟକ୍ତିଗତ ଦୁଇ ଲକ୍ଷ ଟଙ୍କା ଦାନ ପ୍ରଦାନ ପରେ ବିଡିଓ ମଧ୍ୟ ବ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ଦାନ କରିଥିଲେ । ଏହିପରି ଅର୍ଥରାଶି ବୃଦ୍ଧି ନିମନ୍ତେ ସଂପୃକ୍ତ କମିଟି ଜନ ସଚେତନତା ସହ ଏକ ରଥ ପୋଲସରା ଅଞ୍ଚଳରେ  ପରିକ୍ରମା କରାଯିବାକୁ ନିଷ୍ପତି ହୋଇଥିଲା । ଏହି ବୈଠକରେ ଆଲୋଚନା ବିଷୟବସ୍ତୁକୁ ଗଞ୍ଜାମ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯିବା ନିମନ୍ତେ ଆଲୋଚନା ହୋଇଥିଲା । ମାରଦା ଉନ୍ନୟନ ପରିଷଦର ମଥୁରା ମହନ୍ତ ସୁନ୍ଦର ରାମଦାସ ମହାରାଜ, ଉପସଭାପତି ରମେଶ ପ୍ରଧାନ, ସମ୍ପାଦକ ଶ୍ୟାମସୁନ୍ଦର ସାହୁ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ଟାଟା ପାୱାର , ପୋଲସରା ଥାନାଧିକାରୀ କୌଶିକ ମାଝୀ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ପୃଷ୍ଟି, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ଜଗବନ୍ଧୁ ମହାପାତ୍ର, ପବିତ୍ର କୁମାର ନାୟକ, କାମ୍ପ ବଢେଇ, ମନୋଜ କୁମାର ଖଟୁଆ, ପ୍ରସନ୍ନ କୁମାର ଡାକୁଆ, ମଙ୍ଗୁଳୁ ସାହୁଙ୍କ ସମେତ ଜଗନ୍ନାଥ ପ୍ରେମୀ ମାନେ ଉପସ୍ଥିତ ଥିଲେ । ଦୀର୍ଘ ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳ ଓ ପୋଲସରା ବିଡ଼ିଓଙ୍କ ଆନ୍ତରିକ ଉଦ୍ୟମରେ ମାରଦା ମନ୍ଦିର ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହୋଇ ମନ୍ଦିରର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ ହୋଇଥିବା ଯୋଗୁଁ ଜଗନ୍ନାଥ ପ୍ରେମୀ ବୃନ୍ଦ ଆନନ୍ଦ ପ୍ରକାଶ ସହ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ