କଟକ ରେଳ ଷ୍ଟେସନ୍‌ରେ ଗଞ୍ଜେଇ ଜବତ

କଟକ(ଓ୍ବାଇଏନଏସ): କଟକ ରେଳ ଷ୍ଟେସନ୍‌ରେ ନୂଆ କୌଶଳରେ ଗଞ୍ଜେଇ ଚାଲାଣ କାରବାରର ପର୍ଦ୍ଦାଫାସ ହୋଇଛି। ରଙ୍ଗ ଓ ଡିଜେଲ୍ ବାଲ୍‌ଟିରେ ଗଞ୍ଜେଇ ପ୍ୟାକିଂ କରି ଚାଲାଣ ବେଳେ ଆର୍‌ପିଏଫ୍ ଧରିଛି। ୭ଟି ପ୍ଲାଷ୍ଟିକ୍‌ ବାଲ୍‌ଟିରୁ ୮୪ କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ୪୨ ଲକ୍ଷ ୧୫ ହଜାର ଟଙ୍କା ହେବ। କିନ୍ତୁ ଗଞ୍ଜେଇ ଚାଲାଣ ପଛର କାର୍ପଟଦାର ଷ୍ଟେସନ୍‌ରୁ ଫେରାର୍‌ ହୋଇଯାଇଛନ୍ତି। ଏଭଳି କୌଶଳରେ ଗଞ୍ଜେଇ ଚାଲାଣ ଉଭୟ ରେଳବାଇ ଓ ଅବକାରୀ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ସୂଚନା ଅନୁଯାୟୀ, କଟକ ରେଳଷ୍ଟେସନ୍‌ରେ ରବିବାର ସକାଳ ପ୍ରାୟ ୯ଟାରେ ୪ଟି ବାଲ୍‌ଟି ଗୋଟିଏ ସ୍ଥାନରେ ଓ ଅନ୍ୟ ୩ଟିକୁ ଟିକିଏ ଦୂରରେ ରଖାଯାଇଥିଲା। ଅନେକ ସମୟ ଧରି ଏହି ବାଲ୍‌ଟି ସେଠାରେ ରହିଥିବା ଦେଖିବାକୁ ମିଳିଥିଲେ ବି ସେଗୁଡ଼ିକର କେହି ଦାବିଦାର ନଥିଲେ। ସୂଚନା ପାଇ ଆର୍‌ପିଏଫ୍ ତୁରନ୍ତ ସେଠାରେ ପହଞ୍ଚିଥିଲା। ୬ ପୁଲିସ କର୍ମଚାରୀ ଆମ୍ବୁସ୍‌ରେ ନିୟୋଜିତ ହୋଇଥିବା ବେଳେ ଦୁଇଜଣ ସାଦା ପୋଷାକରେ ଦିନ ୧୨ଟା ଯାଏଁ ଛକି ରହିଥିଲେ। ଘଟଣା ସମ୍ପର୍କରେ ଆର୍‌ପିଏଫ୍‌ ପକ୍ଷରୁ ଜିଆର୍‌ପି ଓ ଖୋର୍ଦ୍ଧାରେ ଥିବା ଡଗ୍‌ସ୍କ୍ବାଡ୍‌କୁ ସୂଚନା ଦିଆଯାଇଥିଲା। ୭ଟି ପ୍ଲାଷ୍ଟିକ୍‌ ବାଲ୍‌ଟିରୁ ୪ଟି ଏକ ରଙ୍ଗ କମ୍ପାନିର ଡିସ୍‌ଟେମ୍ପର୍‌ ଏବଂ ଅବଶିଷ୍ଟ ୩ଟି ମୋବିଲ୍‌ କମ୍ପାନିର ବୋଲି ଉଲ୍ଲେଖ ଥିଲା। ପ୍ରତି ବାଲ୍‌ଟି ୨୦ ଲିଟର କ୍ଷମତାବିଶିଷ୍ଟ ଥିଲା। ଗୋଟିଏ ବାଲ୍‌ଟି ଖୋଲିବା ପରେ ଏଥିରେ ରଙ୍ଗ ଭଳି ଦେଖାଯାଉଥିବା କିଛି ତରଳ ପଦାର୍ଥ ଥିଲା। ଖୋର୍ଦ୍ଧାରୁ ଡଗ୍ ସ୍କ୍ବାଡ୍‌ ପହଞ୍ଚିବା ପରେ ବାଲ୍‌ଟି ଯାଞ୍ଚ କରାଯାଇଥିଲା। ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଗଞ୍ଜେଇ କିଏ ଆଣିଲା ଓ କେଉଁଆଡ଼େ ଯିବାର ଥିଲା ଜଣାପଡ଼ିନାହିଁ। ସେହି ବାଲ୍‌ଟିର ତଳ ଭାଗରେ ପ୍ଲାଷ୍ଟିକ ଜରିରେ ଗଞ୍ଜେଇ ରଖାଯାଇଥିବା ବେଳେ ତାହା ଉପରେ ରଙ୍ଗ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଆରପିଏଫ୍ ପକ୍ଷରୁ ଏ ସମ୍ପର୍କରେ କଟକ ଜିଲ୍ଲା ଅବକାରୀ ବିଭାଗକୁ ସୂଚନା ଦିଆଯାଇଛି। ଯେଉଁଠି ବାଲ୍‌ଟି ରଖାଯାଇଥିଲା ସେଠାରେ ରେଳବାଇର ନିର୍ମାଣ କାମ ଚାଲିଥିବାରୁ ସିସି କ୍ୟାମେରା କାମ କରୁନାହିଁ। ସେଥିପାଇଁ ଆଖପାଖରେ ଲାଗିଥିବା ସିସି କ୍ୟାମେରାକୁ ଆର୍‌ପିଏଫ୍ ପକ୍ଷରୁ ଯାଞ୍ଚ କରାଯାଉଛି। କଟକରୁ କେଉଁଠୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା ସେ ସଂପର୍କରେ ଜିଲ୍ଲା ଅବକାରୀ ବିଭାଗ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ ୨୪ରେ କଟକ ଷ୍ଟେସନ୍‌ରୁ ବିହାର ମଦ ଚୋରାଚାଲାଣ ବେଳେ ଆର୍‌ପିଏଫ୍ ୮ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ପୁରୁଷ ଥିଲେ। ରଙ୍ଗ ବାଲ୍‌ଟିରେ ବିଅର୍‌ କ୍ୟାନ୍ ଓ ହୁଇସ୍କି ଚାଲାଣ ହେଉଥିଲା। ବିହାର-ଜୟନଗର ଏକ୍ସପ୍ରେସ୍ ଟ୍ରେନ୍‌ରେ ଏହି ମଦ ନେବାକୁ ଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ