ଗଡ଼ଗଡ଼ିଆ ଘାଟରେ ନୌବାଣିଜ୍ୟ ସ୍ମୃତି: ଉଦ୍ଜୀବିତ ହେବ ଇଣ୍ଡୋନେସିଆ ସଂସ୍କୃତି
କଟକ,(ଓ୍ବାଇଏନଏସ): ବୋଇତରେ ବାଣିଜ୍ୟ ପାଇଁ ବିଦେଶ ଯାତ୍ରା କରୁଥିଲେ ସାଧବ ପୁଅ । ଗଡ଼ଗଡ଼ିଆ ଘାଟରୁ ବାଲି, ଜାଭା ଓ ସୁମାତ୍ରା ଭଳି କାହିଁ ଯେ କେତେ ଦେଶକୁ ଯାତ୍ରା କରୁଥିଲେ । ଏମିତିକି ଇଣ୍ଡୋନେସିଆ ସହ ନୌବାଣିଜ୍ୟର ଏକପ୍ରକାରର ମୂଳଦୁଆ ପକାଇଥିଲେ ସାଧବ ପୁଅ । ମହାନଦୀ କୂଳରୁ ଇଣ୍ଡୋନେସିଆ ସହ ନୌବାଣିଜ୍ୟର ଏହି ଇତିହାସ ଏବେ ପୁଣି ଉଦ୍ଜୀବିତ ହେବ । ସମ୍ପର୍କ ହେବ ଅଧିକ ନିବିଡ଼ । କାରଣ ଏଥର ବାଣିଜ୍ୟ ସାଙ୍ଗକୁ ମହାନଦୀ କୂଳରେ ଭାରତ-ଇଣ୍ଡୋନେସିଆ ମଧ୍ୟରେ ସଂସ୍କୃତି ଓ ପରମ୍ପରା ଆଦାନପ୍ରଦାନର ଦୃଶ୍ୟ ଦେଖିବ ପୂରା ବିଶ୍ୱ । ବାଲିଯାତ୍ରାର ଇତିହାସକୁ ମନେ ପକାଇ ପ୍ରଥମ ଥର ଚଳିତ ବର୍ଷ ବାଲିଯାତ୍ରାର ଭାଗିଦାରି ଦେଶ ଭାବେ ଯୋଡ଼ି ହେବ ଇଣ୍ଡୋନେସିଆ । ଯାହାକୁ ନେଇ ଇଣ୍ଡୋନେସିଆ ପକ୍ଷରୁ ସହମତି ପ୍ରଦାନ କରାଯାଇଥିଲାବେଳେ ଉଦ୍ଘାଟନୀ ଉତ୍ସବରେ ସାମିଲ୍ ହେବେ ଅନେକ କଳାକାରବୃନ୍ଦ । ଏଭଳି ଅନେକ କାର୍ଯ୍ୟରେ ସହଭାଗିତା ଜଣାଇଛି ଇଣ୍ଡୋନେସିଆ । ଐତିହାସିକ କଟକ ସହରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବାଲିଯାତ୍ରାର ନିଜସ୍ୱ ଇତିହାସ ରହିଛି । କେବଳ ଇତିହାସ ନୁହେଁ, ଏହି ମେଳା ସହିତ ଜଡ଼ିତ ରହିଛି ସଂସ୍କୃତି ଆଉ ପରମ୍ପରା । ଦେଶର ସର୍ବ ବୃହତ ବାଣିଜ୍ୟ ଭାବେ ଏହାର ପରିଚୟ ରହିଛି । ଏଥିରେ କଟକ ସମେତ ଦେଶ ବିଦେଶରୁ କଳା, ସଂସ୍କୃତି ଓ କାରିଗରି ଆଦି ଗୋଟିଏ ସ୍ଥାନରେ ପ୍ରଦର୍ଶିତ ହୋଇଆସୁଛି । ବିଶେଷକରି ବୋଇତ ବନ୍ଦାଣ ଉତ୍ସବରେ ପରମ୍ପରା ରକ୍ଷା କରିବାକୁ ଯାଇ ଲୋକେ କାଗଜ, ସୋଲ ଓ କଦଳୀ ବାହୁଙ୍ଗାରେ ନିର୍ମିତ ଡଙ୍ଗା ଭସାଇଥାନ୍ତି । କାରଣ ଏହି ମହାନଦୀ କୂଳ ଗଡ଼ଗଡିଆ ଘାଟରୁ ହିଁ ସାଧବ ପୁଅମାନେ ବୋଇତରେ ନୌବାଣିଜ୍ୟ କରିବାକୁ ଯାଉଥିଲେ । ସେହି ସ୍ମୃତିକୁ ଉଦ୍ଜୀବିତ କରିବା ଲାଗି ଡଙ୍ଗାଭସା ହୋଇଆସୁଛି । ସେହିପରି ବାଲିଯାତ୍ରାର ଆୟୋଜନ କରାଯାଉଛି । ଗତ ବର୍ଷ ବାଲିଯାତ୍ରାରେ ୧୪ଟି ଦେଶର ଆମ୍ବାସଡର୍ମାନେ ଯୋଗଦେଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତରେ ଯାଇ ସେଠାରେ କଟକ ବାଲିଯାତ୍ରା କଥା କହିଥିଲେ । ତେଣୁ ଏହି ସମ୍ପର୍କକୁ ଅଧିକ ଦୃଢ଼ିଭୂତ କରିବା ପାଇଁ ବାଲିଯାତ୍ରାରେ ସାମିଲ୍ ହେବାକୁ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଚିଠି ଲେଖାଯାଇଥିଲା । କେବଳ ସାମିଲ୍ ହେବାକୁ ନୁହଁ ଏଥିରେ ସହଭାଗୀ ଦେଶ ଭାବେ ଯୋଡ଼ି ହୋଇ ବାଲିଯାତ୍ରାରେ ଇଣ୍ଡୋନେସିଆର କଳା, ସଂସ୍କୃତି ଓ ପରମ୍ପରା ମଧ୍ୟ ପ୍ରଦର୍ଶିତ ହେବ। ଏହାକୁ ନେଇ ଏବେ ସହମତି ମିଳିଛି । ଏହାସହ ଉଦ୍ଘାଟନୀ ଉତ୍ସବରେ ବଲୱାନ୍ ଆଣ୍ଡ୍ ବଟୁଆନ ଏଥିନିକ୍ ଫ୍ୟୁଜନ୍ ବ୍ୟାଣ୍ଡ୍ର ୧୧ ଜଣ ସଦସ୍ୟ ସାମିଲ୍ ହୋଇ କଳା ପ୍ରଦର୍ଶନ କରିବେ । ଏହାସହିତ ଇଣ୍ଡୋନେସିଆ ପାଭିଲିଅନ୍ରେ ବିଭିନ୍ନ ଷ୍ଟଲ୍ କରାଯାଇ ସେଠାକାରା ହସ୍ତଶିଳ୍ପ ଓ ପରମ୍ପରାକୁ ପ୍ରଦର୍ଶିତ କରାଯିବ । ଏହା ଆଗାମୀ ଦିନରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରିବାରେ ସହାୟକ ହେବ ବୋଲି କୁହାଯାଉଛି ।
   	
 
             
						 
						 
						 
						 
						 
						
