ଗ୍ରାମ୍ୟ ଉନ୍ନୟନ ବିଭାଗରେ ମହାଦୁର୍ନୀତି : ଗୋଟିଏ ରାସ୍ତା ପାଇଁ ଦୁଇଟି ଟେଣ୍ଡର

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ) :-ସରକାରୀ ପାଣ୍ଠିର ହରିଲୁଟ୍ ପାଇଁ ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଏବେ ଚରାଭୂଇଁ ପାଲଟିଛି। ଅଧୀକ୍ଷଣ ଯନ୍ତ୍ରୀଙ୍କ  ଛତ୍ରଛାୟା ତଳେ ଚାଲିଥିବା ଏହି ଦୁର୍ନୀତି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଜିଉନ୍ତି  ଗ୍ରାମ ର ଶିବ ମନ୍ଦିର-ଆରଡି ଅଫିସ୍ ରାସ୍ତାରେ ଯେଉଁଭଳି ଭାବେ ସରକାରୀ ଅର୍ଥକୁ ପାଣି ଭଳି ବୁହାଯାଉଛି, ତାହା ବିଭାଗୀୟ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିଥିବା ସୂଚନା ଏବଂ ବିଭାଗୀୟ ତଥ୍ୟ ଅନୁଯାୟୀ, ଅସ୍ତରଙ୍ଗ ବ୍ଲକ କ୍ଲାସ ରୋଡ଼ ତଥା କୁଣ୍ଢେଇ ରୁ ନଇଗୁଆଁ ରାସ୍ତାର ଉନ୍ନତିକରଣ ପାଇଁ (ଏମ୍ ଏମ୍ ଏସ ୱାଇ ସ୍କିମ ) ଫେବୃଆରୀ ୨୦୨୬ରେ ପ୍ରାୟ ୫.୫୪ କୋଟି ଟଙ୍କାର ଏକ ବୃହତ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଯେତେବେଳେ ରାସ୍ତାର ସ୍ଥାୟୀ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିଲା, ସେତେବେଳେ ସମାନ ରାସ୍ତାରେ ‘ସ୍ପେଶାଲ ମରାମତି ‘ (Special Repair) ନାଁରେ ପୁଣି ୨୦ ଲକ୍ଷରୁ ଅଧିକ ଟଙ୍କା ଏବଂ ସିଡବ୍ଲୁଏ କାର୍ଯ୍ୟ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କେଉଁ ଯୁକ୍ତିଯୁକ୍ତ ? ଅସ୍ତରଙ୍ଗ ଅଞ୍ଚଳ ସମାଜସେବୀ ଅଧ୍ୟାପକ ଡ଼ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଏକ୍ସ ମାଧ୍ୟ୍ୟମରେ ଅଭିଯୋଗ କରିଥିବା ଏହା ଜଣା ପଡିଛି| ସରକାରୀ ପାଣ୍ଠିକୁ ଚଳୁ କରିବାର ଚାଲିଛି ମସୁଧା | ଏହା କୌଣସି ସାଧାରଣ ତ୍ରୁଟି ନୁହେଁ, ବରଂ ଏହା ଏକ ସୁଚିନ୍ତିତ ଦୁର୍ନୀତି। ଗୋଟିଏ ପଟେ କୋଟି କୋଟି ଟଙ୍କାର ମରାମତି ପାଇଁ ଟେଣ୍ଡର ପଡ଼ିଥିବା ବେଳେ, ଅନ୍ୟପଟେ କାମଚଳା ମରାମତି ନାଁରେ ୩୨ ଲକ୍ଷ ଟଙ୍କା ହରିଲୁଟ୍ କରିବା ପାଇଁ ଅଧୀକ୍ଷଣ ଯନ୍ତ୍ରୀ ଙ୍କ ଭୂମିକା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହା ସହ ଅସ୍ତରଙ୍ଗ କ୍ଲାସ ରୋଡ଼ ରେ କେବଳ ମେଟାଲ କିଛି ବାଟ ପକାଇ ଟଙ୍କା ହରିଲୁଟ ପାଇଁ ମସୁଧା ହୋଇଥିବା ଚର୍ଚ୍ଚା ଜୋର ଧରିଛି।ବେହେରା ସାହିରେ ଚାଲିଥିବା ଏକ ‘ସମାନ୍ତରାଳ ଅଫିସ  ରେ ସମସ୍ତ ପିସି କାରବାର ବିଷୟ ଫାଇନାଲ୍ ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।କିଛି କର୍ମଚାରୀ ଙ୍କୁ ମୋହରା କରି ବିଲ୍ ପାସ୍ କରିବା ପାଇଁ ଅତି ନିମ୍ନମାନର ପିଚୁ କାମ କରାଯାଇ କେବଳ ସରକାରୀ ଟଙ୍କାକୁ ଚଳୁ କରାଯାଉଛି। ରାସ୍ତାର ଅବସ୍ଥା ଭଲ ହେଉ କି ଶୋଚନୀୟ ହେଉ ତରବରିଆ ଭାବେ କାମ ସାରି ବିଲ୍ ଉଠାଇବାକୁ ଯେଉଁ ତରବରିଆ ପଦକ୍ଷେପ ନିଆଯାଉଛି, ତାହା ଏବେ ଭିଜିଲାନ୍ସର ସ୍କାନରକୁ ଆସିବା ଜରୁରୀ। ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ,ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,କାର୍ଯ୍ୟ ବିଭାଗ ସଚିବ ଏବଂ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି, ଯଦି ୫.୫୪ କୋଟିର ଟେଣ୍ଡର ହୋଇଛି, ତେବେ ମରାମତି ନାଁରେ ଅତିରିକ୍ତ ୩୨ ଲକ୍ଷ ଟଙ୍କାର ଲୁଟ୍ କାହିଁକି? ନିମାପଡ଼ା ଅଧୀକ୍ଷଣ ଯନ୍ତ୍ରୀ ଏହାର ଜବାବ ସ୍ପଷ୍ଟିକରଣ ରଖିବେ କି ? ନା ଦୁର୍ନୀତିର ଏହି କଳା ପାହାଡ଼ ତଳେ ସତ୍ୟ ଦବି ରହିଯିବ? ଅଭିଯୋଗକାରୀ ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ