ଉନ୍ନୟନ ପ୍ରକଳ୍ପ ତାଲିକାରେ ବ୍ୟାପକ ତ୍ରୁଟି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପ ତାଲିକାରେ ବ୍ୟାପକ ତ୍ରୁଟି ଥିବା ଯୋଗୁଁ ଏହାର ଦୃଢ ପ୍ରତିବାଦ କରି ଗଜପତି ଜିଲ୍ଲା ପରିଷଦ ବୈଠକକୁ ସମସ୍ତ ବ୍ଲକ ଅଧକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ବର୍ଜନ କରିଛନ୍ତି.ପ୍ରବଳ ହଟ୍ଟଗୋଳ ଓ କଥା କଟାକଟି ମଧ୍ୟରେ ଚାଲି ପାରିଲାନି ଗଜପତି ଜିଲ୍ଲା ପରିଷଦ ବୈଠକ. ଗତକାଲି ବୁଧବାର ଜିଲ୍ଲାର ୫୩ ତମ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ହେଲେ ବୈଠକ ଆରମ୍ଭରୁ ଅନୁମୋଦିତ ପ୍ରକଳ୍ପ ତାଲିକାକୁ ନେଇ ବ୍ଲକ୍ ଅଧ୍ଯକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ପ୍ରଶ୍ନ କରିଥିଲେ । ବିଜୁ କନ୍ଧମାଳ ଓ ଗଜପତି ତଥା ଅନ୍ୟାନ୍ୟ ଯୋଜନା ଅନ୍ତର୍ଗତ ଉନ୍ନୟନ ପ୍ରକଳ୍ପଗୁଡ଼ିକ ଗ୍ରାମସଭା ଓ ପଞ୍ଚାୟତ ସ୍ତରରୁ ପଞ୍ଚାୟତ ସମିତି ବୈଠକରେ ଅନୁମୋଦିତ ହୋଇ ଜିଲ୍ଲା ସ୍ତରରେ ଅନୁମୋଦନ ପରେ କାମ ଆରମ୍ଭ ହୋଇଥାଏ। ତେବେ ଉକ୍ତ ପ୍ରକଳ୍ପଗୁଡ଼ିକୁ ଜିଲ୍ଲାସ୍ତରରେ ଚକ୍ରାନ୍ତ କରି ବାଦ ଦିଆଯାଇଥିବା, ଆଦିବାସୀ ଅଧ୍ଯୁଷିତ ବ୍ଲକକୁ କମ୍ ଅନୁଦାନ ଦିଆଯାଇଥିବା, ଅନାବଶ୍ୟକ ପ୍ରକଳ୍ପକୁ ବାଧ୍ୟବାଧକତା ଭାବରେ କରାଯାଉଥିବା ଆଦିକୁ ନେଇ ପ୍ରତିବାଦ କରିଥିଲେ ପଞ୍ଚାୟତ ସମିତିର ଅଧ୍ଯକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ଉନ୍ନୟନ ପ୍ରକଳ୍ପ ତାଲିକାରେ ବ୍ୟାପକ ତ୍ରୁଟି ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସନ୍ତୋଷ ଜନକ ଉତ୍ତର ମିଳି ନ ଥିବାରୁ କକ୍ଷ ତ୍ୟାଗ କରି ଚାଲିଯାଇଥିଲେ ସମସ୍ତ ବ୍ଲକର ଅଧ୍ଯକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ତଥା ଜନ ପ୍ରତିନିଧ୍ । ଜିଲ୍ଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶଙ୍କର କେର୍କେଟା, ଅତିରିକ୍ତ ନିର୍ବାହୀ ଅଧିକାରୀ ପୃଥ୍ବୀରାଜ ମଣ୍ଡଳ ବୈଠକରେ ଯୋଗ ଦେବା ପାଇଁ ସେମାନଙ୍କୁ ବୁଝାସୁଝା କରିଥିଲେ । ପରେ ଲୋକ ପ୍ରତିନିଧିଙ୍କ ସହ ଜିଲ୍ଲାପାଳ ବିଜୟ କୁମାର ଦାଶ ବୈଠକ ତ୍ୟାଗ କରିଥିବା ଜନପ୍ରତିନିଧୂଙ୍କ ସହ ଆଲୋଚନା କରିବା ସତ୍ତ୍ୱେ ଏହାର ସମାଧାନ ହୋଇ ପାରିନଥିଲା । ଫଳରେ ଆବଶ୍ୟକ ସଂଖ୍ୟାରେ ପ୍ରତିନିଧ୍ ଉପସ୍ଥିତ ନଥିବାରୁ ବୈଠକ ହୋଇପାରି ନଥିଲା।


