ଆସନ୍ତା ୧୨ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ବ୍ୟାପକ ପ୍ରଚାର ଅଭିଯାନ
ବାଲେଶ୍ୱର,(ସରୋଜ ପଣ୍ଡା): ଆସନ୍ତା ୧୨ ତାରିଖ ଗୁରୁବାର ଦିନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ମାନଙ୍କ ଆହ୍ୱାନରେ ୪ଟି ଶ୍ରମକୋଡ଼୍ ବାତିଲ୍ ଓ ଅନ୍ୟାନ୍ୟ ଜନଦାବି ନେଇ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ବାଲେଶ୍ୱରରେ ସଫଳ କରିବାକୁ ବ୍ୟାପକ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ବାଲେଶ୍ୱର ସହର ସମେତ ବିଭିନ୍ନ ଅଞ୍ଚଳରେ ମାଇକ୍ ପ୍ରଚାର ଜରିଆରେ ଜନଗଣଙ୍କୁ ଦାବିଗୁଡ଼ିକ ସଂପର୍କରେ ଅବଗତ କରାଇ ଶାନ୍ତିପୂର୍ଣ୍ଣ ଭାବରେ ସାଧାରଣ ଧର୍ମଘଟ ବା ଭାରତବନ୍ଦକୁ ବାଲେଶ୍ୱର ଜିଲ୍ଲାରେ ସଫଳ କରିବାକୁ ନିବେଦନ କରାଯାଉଛି। ବାଲେଶ୍ୱର ସହରର ବିଚାରଗଞ୍ଜ ଛକ, ଗାନ୍ଧିସ୍ମୃତି ଭବନ ସମ୍ମୁଖ ଓ ରେଳ ଷ୍ଟେସନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାଗବତ ପ୍ରତିହାରୀ, ଉମାକାନ୍ତ ଦାସ, ରବୀନ୍ଦ୍ର ବେହେରା, ଶ୍ୟାମସୁନ୍ଦର ଜେନା, ଜତିନ୍ ପାତ୍ର, ଶରତ ଦଳାଇ, ଭରତ ସେଠୀ, ପ୍ରଶାନ୍ତ ଦାସ ଓ ମିଳିତ ମଞ୍ଚର ଆବାହକ ତଥା ଟିୟୁଏସିସିର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ଦୃଢ଼ ବିରୋଧ କରିଥିଲେ। ରେମୁଣା ଗୋଲେଇରେ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ପୂର୍ବତନ ବିଧାୟକ ତଥା ଶ୍ରମିକନେତା ପ୍ରଦୀପ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଗତ ଦୁଇଦିନ ଧରି ଆଗାମୀ ଧର୍ମଘଟକୁ ସଫଳ କରିବାପାଇଁ ଶ୍ରମିକମାନଙ୍କର ଏକ ଯାଥା ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ୍ ଓ ପଞ୍ଚାୟତ ପରିକ୍ରମ କରୁଛି। ବ୍ୟାଙ୍କ୍ କର୍ମଚାରୀ ନେତା ସୁଦର୍ଶନ ଜେନାଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଧର୍ମଘଟକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୁଧବାର ଅପରାହ୍ନରେ ବାଲେଶ୍ୱର ରେଳଷ୍ଟେସନରୁ ଏକ ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି।


