ଚୁକ୍ତିଭିତ୍ତିକି ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସୂତିକାଳୀନ ଛୁଟି: ହାଇକୋର୍ଟ

କଟକ, (ଓ୍ବାଇଏନଏସ): ଏଣିକି ଚୁକ୍ତିଭିତ୍ତିକି ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସୂତିକାଳୀନ ଛୁଟି । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ‘ସବୁ ମହିଳା ସମାନ । ସବୁ ମହିଳାଙ୍କର ଦାୟିତ୍ୱ ସମାନ । ସନ୍ତାନ ପାଇଁ ଚୁକ୍ତିଭିତ୍ତିକ କର୍ମଜୀବୀ ମହିଳାମାନଙ୍କର ମଧ୍ୟ ସମାନ ପ୍ରକାର ଦାୟିତ୍ୱ ଥାଏ । ତେଣୁ ସେମାନଙ୍କୁ ମଧ୍ୟ ପ୍ରସୂତିକାଳୀନ ଛୁଟି ପ୍ରଦାନ କରାଯିବ’ ବୋଲି କହିଛନ୍ତି ହାଇକୋର୍ଟ । ପୂର୍ବରୁ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ମହିଳା କର୍ମଚାରୀଙ୍କୁ ପ୍ରସୂତିକାଳୀନ ଛୁଟି ପ୍ରଦାନ ପାଇଁ ଗତ ୨୦୨୨ ଅଗଷ୍ଟ ୩୦ରେ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଏକ ରିଟ୍ ଅପିଲ କରିଥିଲେ । ଏହାର ଶୁଣାଣି କରି ଜଣିକିଆ ଖଣ୍ଡପୀଠଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ । ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣ ଶ୍ରୀପଦ ଏବଂ ଜଷ୍ଟିସ ମୃଙ୍ଗାଙ୍ଗ ଶେଖର ସାହୁଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଏଣିକି ଚୁକ୍ତିଭିତ୍ତିକ କର୍ମଜୀବୀ ମହିଳାମାନେ ପ୍ରସୂତିକାଳୀନ ଛୁଟି ନେଇ ପାରିବେ । ଗର୍ଭଧାରଣ ସମୟରୁ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ସବୁ ଦିଗରେ ଜଣେ ମହିଳା ସଜାଗ ଓ ଯତ୍ନବାନ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ହେଲେ ଗର୍ଭଧାରଣ ସମୟରେ ଚାକିରୀ କରିଥିବା ଚୁକ୍ତିଭିତ୍ତିକ କର୍ମଜୀବୀ ମହିଳାମାନେ ଚିନ୍ତାରେ ଥାଆନ୍ତି ଯେ ତାଙ୍କୁ ପ୍ରସୂତାକଳୀନ ଛୁଟି ମିଳିବ କି ନାହିଁ । ଏହି ରାୟ ଆସିବା ପରେ ଚୁକ୍ତି ଭିତ୍ତିକ କର୍ମଜୀବୀ ମହିଳାମାନେ ଏକପ୍ରକାର ଆଶ୍ୱସ୍ତି ପାଇଛନ୍ତି । ହାଇକୋର୍ଟ ଦେଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଏକ ଯୁଗାନ୍ତକାରୀ ରାୟ ବୋଲି ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି । ମାମଲାରୁ ଜଣାପଡ଼ିଛି ଯେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ଅଗଷ୍ଟ ୨୦୧୬ ରୁ ୨୦୧୭ ଫେବୃଆରୀ ପର୍ଯ୍ୟନ୍ତ ପ୍ରସବକାଳୀନ ଛୁଟି ନେବା ପାଇଁ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଦରଖାସ୍ତ କରିଥିଲେ । କିନ୍ତୁ ନିଯୁକ୍ତି ଆଧାରରେ ମହିଳା ଚୁକ୍ତିଭିତ୍ତିକ କର୍ମଚାରୀ ହୋଇଥିବାରୁ ତାଙ୍କୁ ଏହି ଛୁଟି ମିଳିନଥିଲା ଓ ତାଙ୍କ ଆବଦେନକୁ ଅଗ୍ରାହ୍ୟ କରାଯାଇଥିଲା । ଏହି ଘଟଣାକୁ ନେଇ ମହିଳା ଜଣଙ୍କ ହାଇକୋର୍ଟରେ ମାମଲା ଦୟାର କରିଥିଲେ । ମାମଲାର ଶୁଣାଣି କରି ୨୦୨୨ ଅଗଷ୍ଟ ୩୦ ତାରିଖରେ ଉକ୍ତ ମହିଳା ପ୍ରସୂତିକାଳୀନ ଛୁଟି ପାଇବା ପାଇଁ ଯୋଗ୍ୟ ବୋଲି ନିର୍ଦ୍ଦେଶ ଦେଇଥିଲେ ଜଣିକିଆ ଖଣ୍ଡପୀଠ । ଅନ୍ୟପଟେ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ରିଟ ଅପିଲ କରିଥିଲେ । ତେବେ କୋର୍ଟ ଏହି ଆବଦେନକୁ ଖାରଜ କରିବା ସହ ସ୍ପଷ୍ଟ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ଦେଲେ ଈଶ୍ୱର ଖୁସି ହୁଅନ୍ତି । ଏହାଛଡା ଜଣେ ଶିଶୁକୁ ମାଆ କ୍ଷୀର ଖାଇବାରୁ ବଞ୍ଚିତ କରିବା କେବେ ବି ନ୍ୟାୟ ସଙ୍ଗତ ନୁହେଁ । ଏହା ଶିଶୁର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟକୁ ୮ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରି ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।ଓଡିଶା ହାଇକୋର୍ଟ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି, ଚୁକ୍ତିଭିତ୍ତିକ କର୍ମଚାରୀଭାବେ କାମ କରୁଥିବା ସମସ୍ତ ମହିଳା ଧାରା ୧୪ ଅନୁସାରେ ପ୍ରସୂତୀକାଳୀନ ଛୁଟି ପାଇବାକୁ ଯୋଗ୍ୟ ବୋଲି ହାଇକୋର୍ଟ ରାୟ ଶୁଣାଇଛନ୍ତି । ଯେଇଁଠି ନାରୀଙ୍କୁ ସମ୍ମାନ ଦିଆଯାଏ ସେଠି ଈଶ୍ୱର ଅବସ୍ଥାନ କରନ୍ତି । ଏହି ମାମଲାରେ ଖଣ୍ଡପୀଠ ୨୦୨୩ର ସୁପ୍ରୀମକୋର୍ଟଙ୍କର ଏକ ରାୟ ( ଡ. କବିତା ଗୁରୁ ଭର୍ସେସ ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ), କେଶବାନନ୍ଦ ଭାରତୀ କେସକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ