ମାଟ୍ରିକ୍ ଫେଲର କୋଟି କୋଟିର ସାମ୍ରାଜ୍ୟ, ଖୋଲୁଛି ମୁନା ମହାନ୍ତିର ଠକେଇ ପେଡ଼ି
କଟକ, (ଓ୍ବାଇଏନଏସ): ମାଟ୍ରିକ୍ ଫେଲ୍ ହେବା ପରେ ଭୁବନେଶ୍ୱରକୁ ଯାଇ କାମ ସନ୍ଧାନ କରିବାକୁ ଚେଷ୍ଟା । କିଛି କାମ ନମିଳିବାରୁ ଶେଷରେ ୟୁନିଟ୍-୯ର ବୟାବାବା ମଠ ପାଖରେ ଏକ ଚା’ ଦୋକାନ ଖୋଲି ବସିଲା । ପାଞ୍ଚ ବର୍ଷ ଭିତରେ କୋଟିପତିରେ ଗଣା ହେଲା ମୁନା ମହାନ୍ତି । ଦାମୀ କାର୍, ହାଇୱା, ଟିପର୍, ଟ୍ରାକ୍ଟର, ପୋକ୍ଲିନ୍ (ମାଟିତଡ଼ା ମେସିନ୍) ଭଳି କୋଟି କୋଟି ଟଙ୍କାର ସମ୍ପତ୍ତି କରିଦେଲା । ଏ ସବୁ ଗାଡ଼ିର ରେଜିଷ୍ଟ୍ରେସନ୍ ୨୦୨୧ ରୁ ୨୦୨୪ ମଧ୍ୟରେ ରହିଥିବା ଜଣାପଡିଛି । ଏସ୍ଆଇ ନିଯୁକ୍ତି କେଳେଙ୍କରୀର ଅନ୍ୟତମ ମାଷ୍ଟର୍ମାଇଣ୍ଡ୍ କୁହାଯାଉଥିବା କଟକ ଜିଲ୍ଲା ବାଙ୍କୀ କଳାପଥର ତଳସାହି ଗ୍ରାମର ମୁନା ମହାନ୍ତି ହଠାତ୍ ଏତେ ଟଙ୍କା କେଉଁଠୁ ଆଣିଲା ତାହା ପ୍ରମାଣ କରିବାର ଆବଶ୍ୟକତା ନାହିଁ । ପିଲାଙ୍କୁ ଚାକିରି ଲୋଭ ଦେଖାଇ ଠକେଇ କରି ରାତାରାତି ବଡଲୋକ ହୋଇଯାଇଥିବା ମୁନାର ଏ କଚ୍ଚା ଚିଠା ଏବେ କ୍ରାଇମ୍ବ୍ରାଞ୍ଚ୍ ହାତରେ । ଶଙ୍କର ପୃଷ୍ଟି ସିଣ୍ଡିକେଟ୍ର ମୁଖ୍ୟ ସଦସ୍ୟ ମୁନାର ବି ରହିଥିଲା ନିଜସ୍ୱ ଏକ ସିଣ୍ଡିକେଟ୍ । ପିଲାଦିନର ବନ୍ଧୁମାନଙ୍କୁ ଏକାଠି କରି ଠକେଇ କରିବାର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା ମୁନା । କଟକ କଳାପଥରରୁ ନୟାଗଡ଼ ଦଶପଲ୍ଲା ଯାଏ ପ୍ରାୟ ଛ’ ଜଣ ଯୁବକ, ଯୁବତୀ ମୁନାର ସିଣ୍ଡିକେଟ୍ ମେମ୍ବର ରହିଥିଲେ । ସିଣ୍ଡିକେଟ୍ ସମ୍ଭାଳୁଥିଲା ମୁନାର ପିଲାଦିନର ଖାସ୍ ବନ୍ଧୁ ରିଙ୍କୁ । ରିଙ୍କୁର ମାମୁ ଘର ମୁନାର ଘର ପାଖରେ, ଅର୍ଥାତ୍ କଳାପଥରର ତଳସାହିରେ । ଛୋଟବେଳୁ ରିଙ୍କୁ ମାମୁ ଘରେ ରହି ପାଠ ପଢୁଥିଲା । ରିଙ୍କୁ ଓ ମୁନାର ଦୋସ୍ତି ବହୁତ ପୁରୁଣା ହୋଇଥିବାରୁ ଭରସାରେ ରିଙ୍କୁକୁ ସିଣ୍ଡିକେଟ୍ ଦାୟିତ୍ୱ ଦେଇଥିଲା ମୁନା । ମୁନାର ବାପା ସାଧୁଆ ମହାନ୍ତି ଦିନ ମଜୁରିଆ ଥିବାରୁ ମୁନା ପରିବାର ଛାଡ଼ି କାମ ସନ୍ଧାନରେ ଭୁବନେଶ୍ୱର ପଳାଇ ଯାଇଥିଲା । ରିଙ୍କୁର ଭୁବନେଶ୍ୱରରେ ସୁସମ୍ପର୍କ ଥିବାରୁ ତା ସହାୟତାରେ ୟୁନିଟ୍ ୯ ପାଖରେ ଚା’ ଦୋକାନ କରିଥିଲା ମୁନା । ସେଠାରେ ଶଙ୍କର, ରିଙ୍କୁ ଓ ମୁନାର ଭେଟଘାଟ ହୋଇଥିବା ଜଣାପଡିଛି । ଗତ ପାଞ୍ଚ ବର୍ଷ ଭିତରେ ନିଯୁକ୍ତି ବାବଦ ଠକେଇର ସବୁ ସୀମା ଅତିକ୍ରମ କରିଯାଇଥିଲା ଏ ସିଣ୍ଡିକେଟ୍ । ଯେଉଁଥିରେ ସମସ୍ତେ କୋଟିପତି ହୋଇଯାଇଥିଲେ । ଖାସ୍ କରି ମୁନାର ଚଳଣି ବଦଳି ଯାଇଥିଲା । କଳାପଥର ତଳସାହିରେ ରହିଥିବା ମୁନାର ଘରର କିଛି ଫଟୋ ଏବେ ‘ପ୍ରମେୟ’ର ହସ୍ତଗତ ହୋଇଛି । ଜଣେ ସାଧାରଣ ଚା’ ଦୋକାନୀ ଏତେ ବିଳାସପୂର୍ଣ୍ଣ ଘର କେମିତି କରିପାରିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଶାଗୁଆନ୍ କାଠରେ ଇଣ୍ଟେରିୟର୍, ଛାତରେ ଜିପସମ୍ ସିଲିଂ, ରଙ୍ଗୀନ ଲାଇଟ୍, ଝୁମର, ଦାମୀ ଆସବାବପତ୍ର ସାଙ୍ଗକୁ ୫ ଲକ୍ଷ ଟଙ୍କିଆ ରିମୋଟରେ ପରିଚାଳିତ ଖଟ ଏବେ ଚର୍ଚ୍ଚାରେ । ସବୁ କବାଟ ଓ ଝରକା ରିମୋଟ୍ ଦ୍ୱାରା ଅପରେଟ୍ କରାଯାଉଥିଲା । ମୁନାର ଘରର ମୂଲ୍ୟାୟନ କରାଗଲେ ଅତିକମ୍ରେ ଦୁଇ କୋଟି ଟଙ୍କା ହେବ ବୋଲି କୁହାଯାଉଛି । କୋଟି କୋଟି ଟଙ୍କାର ଗାଡ଼ିଘୋଡା ବି ସେ କିଣିଥିଲା । ନିଜ ନାଁରେ ଥାର୍ କାର୍ କରିବା ସହ ସମ୍ପର୍କୀୟଙ୍କ ନାଁରେ ଅନେକ ଗୁଡାଏ ଗାଡ଼ି କରିଥିଲା ମୁନା । ୩ଟା ଟ୍ରାକ୍ଟର, ୨ଟି ହାଇୱା, ୨ଟା ଟିପର୍ ଭଳି ଗାଡ଼ି ରହିଥିଲା ତାର । ଦଶପଲ୍ଲାର ଏକ ବାଲିଘାଟ ବୁଝାଶୁଝା କରିବା ସହ କିଛି ନେତାଙ୍କ ଲିଙ୍କ୍ରେ ରହି କଳା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲା ମୁନା । ଏବେ ଏସବୁ ଦିଗକୁ କ୍ରାଇମବ୍ରାଞ୍ଚ୍ ଖୋଳତାଡ଼ କରୁଥିବା ବେଳେ ମୁନାର ସିଣ୍ଡିକେଟ୍ ଓ ସମସ୍ତ ସମ୍ପତ୍ତି ତଦନ୍ତକାରୀ ଟିମ୍ର ସ୍କାନର୍ରେ ରହିଛି ।


